TCS ସଂସ୍ଥାପକ ଫକୀର ଚନ୍ଦ କୋହଲୀଙ୍କ ୯୬ ବର୍ଷ ବୟସରେ ପରଲୋକ

Published By : Prameya-News7 Bureau | November 26, 2020 IST

ନୂଆଦିଲ୍ଲୀ ୨୬।୧୧: ଭାରତର ସର୍ବ ବୃହତ ସୂଚନା ଓ ପ୍ରାଦ୍ୟୋଗିକ (ଆଇଟି) ସଂସ୍ଥା ଟାଟ କନସଲ୍ଟାନ୍ସି ସର୍ଭିସ (ଟିସିଏସ୍‌) ସଂସ୍ଥାପକ ଫକୀର ଚନ୍ହ କୋହଲୀଙ୍କର ଗୁରୁବାର ୯୬ ବର୍ଷ ବୟସରେ ପରଲୋକ ହୋଇଛି। ତାଙ୍କୁ ଭାରତୀୟ ଆଇଟି ଉଦ୍ୟୋଗର ଜନକ ବୋଲି ମଧ୍ୟ କୁହାଯାଏ। ଜଣେ ଟେକ୍ନୋକ୍ରାଟ୍‌ ଭାବେ ଜଣାଶୁଣା ଫକୀର ଚନ୍ଦ ୧୯୯୧ ମସିହାରେ ଆଇବିଏମକୁ ଟାଟା-ଆଇବିଏମ ଭାବେ ଭାରତ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।

ଫକୀରଚନ୍ଦଙ୍କ ପରଲୋକରେ ଉଦ୍ୟୋଗ ଜଗତରେ ଶୋକର ଛାୟା ଖେଳିଯାଇଛି। ଭାରତୀୟ ସଫ୍ଟୱେର ଇଣ୍ଡଷ୍ଟ୍ରିର ଜନକ କୋହଲୀ ଭାରତର ପ୍ରାଦ୍ୟୋଗିକ କ୍ରାନ୍ତିର ନେତୃତ୍ୱ ନେବା ସହ ଟିସିଏସ୍‌ର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଦେଶରେ ୧୦୦ ବିଲିୟନ ଡଲାରର ଆଇଟି ଇଣ୍ଡଷ୍ଟ୍ରିର ନିଅଁ ପକାଇଥିଲେ। ୧୯୫୧ରେ ଫକୀର ଚନ୍ଦ ଟାଟା ଇଲେକ୍ଟ୍ରିକ କମ୍ପାନୀରେ ଯୋଗଦେଇଥିଲେ। ସିଷ୍ଟମ ଅପରେସନ ପରିଚାଳନା ଲାଗି ଲୋଡ ଡେସ୍ପାଚିଂ ସିଷ୍ଟମ ସ୍ଥାପନାରେ ସହଯୋଗ କରିଥିଲେ।

୧୯୭୦ ମସିହାରେ ଫକୀରଚନ୍ଦ ଟାଟା କମ୍ପାନୀରେ ନିର୍ଦ୍ଦେଶକ ପଦରେ ଯୋଗ ଦେଇଥିଲେ। ପରେ ତାଙ୍କୁ ଟିସିଏସ୍‌ର ପ୍ରଥମ ସିଇଓ ନିଯୁକ୍ତ କରାଯାଇଥିଲା। ଦେଖୁ ଦେଖୁ ଟିସିଏସ ଦେଶର ପ୍ରମୁଖ ଆଇଟି କମ୍ପାନୀରେ ପରିଣତ ହୋଇଥିଲା। ଫକୀର ଚନ୍ଦଙ୍କ ପରଲୋକରେ ଟେକ୍‌ ମହିନ୍ଦ୍ରା  ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ସି.ପି.ଗୁରନାନୀ, ଟାଟା ସନ୍ସ ଅଧ୍ୟକ୍ଷ ଏନ.ଚନ୍ଦ୍ର ଶେକରନ, ନାରାୟଣ ମୂର୍ତ୍ତି, ୱିପ୍ର ଅଧ୍ୟକ୍ଷ ଅଜିମ ପ୍ରେମଜୀ, ଡବ୍ଲୁଏନଏସ୍ ସିଇଓ କେଶବ ମୁର୍ଗେସ ପ୍ରମୁଖ ଗଭୀର ଶୋକ ପ୍ରକଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.