୭ ରନରେ ଦ୍ଵିଶତକରୁ ବଞ୍ଚିତ ହେଲେ ଫକର ଜମାନ, ତଥାପି ହେଲେ ବିଶ୍ଵ ରେକର୍ଡର ଅଧିକାରୀ

Published By : Prameya-News7 Bureau | April 04, 2021 IST

ଜୋହାନ୍ସବର୍ଗ ୦୪।୦୪: ପାକିସ୍ତାନର ଓପନିଂ ବ୍ୟାଟସମ୍ୟାନ ଫକର ଜମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଦିନିକିଆରେ ଦ୍ଵିଶତକରୁ ମାତ୍ର ୭ ରନରୁ ଦୂରରେ ରହିଗଲେ। ଏହା ପରେ ମଧ୍ୟ ତାଙ୍କ ନାମରେ  ବିଶ୍ଵ ରେକର୍ଡ ସ୍ଥାପନ ହୋଇଛି। ଓପନର ୧୫୫ ବଲ୍‌ରୁ ୧୮ ଚୌକା ଓ ୧୦ ଛକା ସହ ୧୯୩ ରନର ବିସ୍ଫୋରକ ଇନିଂସ ଖେଳି ଶେଷ ଓଭରରେ ରନ ଆଉଟ୍ ହୋଇଛନ୍ତି। ତାଙ୍କର ସାହସିକ ଓ ସଂଘର୍ଷପୂର୍ଣ୍ଣ ଇନିଂସ ସତ୍ତ୍ଵେ ବି ପାକିସ୍ତାନକୁ ଦ୍ଵିତୀୟ ଦିନିକିଆରେ ୧୭ ରନରେ ପରାଜିତ ହେବାକୁ ପଡିଛି।

ଯଦି ସେ ୭ ରନ କରିଥାନ୍ତେ ତେବେ ଏହା ତାଙ୍କର ଦ୍ଵିତୀୟ ଦିନିକିଆ ଦ୍ଵିଶତକ ହୋଇଥାନ୍ତା। ଏହା ପୂର୍ବରୁ ଜମାନ ଜିମ୍ବାଓ୍ଵେ ବିପକ୍ଷରେ ୨୦୧୮ ଜୁଲାଇ ୨୦ରେ ଅପରାଜିତ ୨୧୦ ରନର ଇନିଂସ ଖେଳିଥିଲେ। ସେ ପାକିସ୍ତାନ ପାଇଁ ଦିନିକିଆରେ ଦ୍ଵିଶତକ ହାସଲ କରିବାରେ ପ୍ରଥମ ବ୍ୟାଟସମ୍ୟାନ।

କୌଣସି ବି ଦିନିକିଆ ମୁକାବିଲାରେ ଦ୍ଵିତୀୟ ଇନିଂସରେ ଲକ୍ଷ୍ୟର ପିଛା କରି  କୌଣସି ବ୍ୟାଟସମ୍ୟାନର ଏହା ସର୍ବଶ୍ରେଷ୍ଠ ସ୍କୋର। ଫକର ଜମାନ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ସେନ ଓ୍ଵାଟସନଙ୍କ ରେକର୍ଡ ଭାଙ୍ଗିଛନ୍ତି। ଓ୍ଵାଟସନ ୨୦୧୧ରେ ବାଂଲାଦେଶ ବିପକ୍ଷ ମୀରପୁରରେ ବିଜୟ ଲକ୍ଷ୍ୟର ପିଛା କରି ଅପରାଜିତ ୧୮୫ ରନର ଦମଦାର ଇନିଂସ ଖେଳିଥିଲେ।

କେବଳ ଏତିକି ନୁହେଁ ମ୍ୟାଚ୍‌ ହାରିଥିବା ଦଳ ପକ୍ଷରୁ କୌଣସି ବ୍ୟାଟସମ୍ୟାନଙ୍କ ଦ୍ଵାରା ଏହା ଦ୍ଵିତୀୟ ସର୍ବଶ୍ରେଷ୍ଠ ଇନିଂସ। ଜିମ୍ବାଓ୍ଵେର ଚାର୍ଲ୍ସ କଭେଣ୍ଟ୍ରି ବାଂଲାଦେଶ ବିପକ୍ଷରେ ୧୯୪ ରନ କରିଥିଲେ। ଉକ୍ତ ମ୍ୟାଚ୍‌ରେ ଜିମ୍ବାଓ୍ଵେ ପରାଜିତ ହୋଇଥିଲା।

ଲକ୍ଷ୍ୟ ପିଛା କରି ସର୍ବାଧିକ ରନ(ବ୍ୟକ୍ତିଗତ)

୧୯୩ ରନ- ଫକର ଜମାନ ବନାମ ଦକ୍ଷିଣ ଆଫ୍ରିକା, ଜୋହାନ୍ସବର୍ଗ ୨୦୨୧

୧୮୫* ରନ - ସେନ ଓ୍ଵାଟସନ ବନାମ ବାଂଲାଦେଶ, ମୀରପୁର ୨୦୧୧

୧୮୩* ରନ- ଏମଏସ ଧୋନୀ ବନାମ ଶ୍ରୀଲଙ୍କା, ଜୟପୁର, ୨୦୦୫

୧୮୨ ରନ- ବିରାଟ କୋହଲି ବନାମ ପାକିସ୍ତାନ, ମୀରପୁର, ୨୦୧୨

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.