ଚାଲିଥିଲା ନକଲି ଟିକାକରଣ ଅଭିଯାନ, ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ପୋଲିସ, ୪ ଗିରଫ

Published By : Prameya-News7 Bureau | June 19, 2021 IST

ମୁମ୍ବାଇ ୧୯/୬:  କରୋନା ଦାଉରୁ ରକ୍ଷା ପାଇବାକୁ ଦେଶରେ ଜୋରସୋରରେ ଟିକାକରଣ ଚାଲିଛି। ଭାରତର ଲୋକସଂଖ୍ୟା ଅନୁସାରେ ଟିକା ଉତ୍ପାଦନ କମ ହେଉଥିବା ବେଳେ କେନ୍ଦ୍ର ସରକାର ଏହାକୁ ରାଜ୍ୟ ସରକାରଙ୍କୁ ଆବଣ୍ଟିତ କରୁଛନ୍ତି। ଲୋକେ ସ୍ଲଟ୍‌ ବୁକ୍‌ କରି ଟିକା ନେଉଛନ୍ତି। ଟିକାକରଣ ମାମଲାରେ ବିଶ୍ବରେ ଭାରତ ଉଦାହରଣ ସୃଷ୍ଟି କରିଥିବା ବେଳେ ଏବେ କିଛି ଅସାଧୁ ବ୍ୟକ୍ତି ମିଥ୍ୟା ଟିକାକରଣ ଅଭିଯାନ କରୁଥିବା ଜଣାପଡ଼ିଛି।

ଏମିତି ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ମୁମ୍ବାଇ ପୋଲିସ। ଏହି ମାମଲାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ମଧ୍ୟ ଜଣାପଡ଼ିଛି। ଏହାରି ଭିତରେ ମୁମ୍ବାଇର ଏକ କଲେଜରୁ ଟିକାକରଣରେ ଜାଲିଆତି ନେଇ ମଧ୍ୟ ଅଭିଯୋଗ ହୋଇଛି। କଲେଜ୍‌ କ୍ୟାମ୍ପସରେ ହୋଇଥିବା ଟିକାକରଣ ଅଭିଯାନରେ ଧୋକା ମିଳିଥିବା ନେଇ କଲେଜ୍‌ କର୍ତ୍ତୃପକ୍ଷ ଥାନାର ଦ୍ବାରସ୍ଥ ହୋଇଛନ୍ତି। ବୋରିଭଲିରେ ଥିବା ଆଦିତ୍ୟ କଲେଜ୍‌ କର୍ତ୍ତୃପକ୍ଷଙ୍କୁ ଲାଗୁଛି କ୍ୟାମ୍ପସ୍‌ରେ ହୋଇଥିବା ଟିକାକରଣରେ ଦୁର୍ନୀତି ହୋଇଛି। ଅଭିଯୁକ୍ତ କୋକିଳାବେନ୍‌ ହସ୍ପିଟାଲ୍‌ କର୍ମଚାରୀ କହିବା ସହ କ୍ୟାମ୍ପସରେ ଟିକାକରଣ ଅଭିଯାନ କରିଥିବା କଲେଜ୍‌ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

 ଗିରଫ ଗ୍ୟାଙ୍ଗର ସଦସ୍ୟ ୩ ଜୁନ୍‌ରେ ଆଦିତ୍ୟ କଲେଜ୍‌ରେ ଟିକାକରଣ କ୍ୟାମ୍ପ୍‌ କରିଥିଲେ। ସେମାନଙ୍କ ଉପରେ କାନ୍ଦିବଲୀର ହାଉସିଂ ସୋସାଇଟ୍‌କୁ ଠକି ଥିବା ଅଭିଯୋଗ ହୋଇଥିଲା। ନକଲି ଟିକାକରଣ କ୍ୟାମ୍ପ ଚଳାଉଥିବା ଅଭିଯୋଗରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ରାଜେଶ ପାଣ୍ଡେୟ ଆଦିତ୍ୟ କଲେଜରେ ଭ୍ୟାକ୍ସିନେସନ୍‌ କ୍ୟାମ୍ପ କରିଥିଲା। ଯେଉଁ ଇଭେଣ୍ଟ କମ୍ପାନୀ ମାଧ୍ୟମରେ ଟିକାକରଣ ହୋଇଥିଲା ତାର ମ୍ୟାନେଜର ରାଜେଶ ପାଣ୍ଡେୟ କୋକିଳାବେନ ହସ୍ପିଟାଲର ସେଲ୍ସ ବିଭାଗର ମୁଖ୍ୟ ମ୍ୟାନେଜର ବୋଲି ମଧ୍ୟ ପୋଲିସ ଜାଣିବାକୁ ପାଇଛି। ଟିକାକରଣ ଅଭିଯାନ କରିବା ପାଇଁ ସବୁ ପ୍ରକାର ପ୍ରତିଶ୍ରୁତି ଦେଇଥିବା ରାଜେଶ ପରବର୍ତ୍ତୀ ସମୟରେ ଟିକାକରଣ ପ୍ରମାଣ ପତ୍ର ଦେଇପାରିନଥିଲା । ଯାହାକୁ ନେଇ କଲେଜ କର୍ତ୍ତୃପକ୍ଷ ସନ୍ଦେହ ପ୍ରକାଶ କରିବା ସହ ଥାନାରେ ଅଭିଯୋଗ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.