ସାର୍ଟିଫିକେଟ୍ ଅସଲି, ଛାତ୍ରୀ ନକଲି : ସହପାଠୀଙ୍କ ସାର୍ଟିଫିକେଟ୍‌ରେ କଲେଜରେ ପାଠ ପଢୁଛନ୍ତି ଫେଲ୍ ଛାତ୍ରୀ

Published By : Prameya-News7 Bureau | October 23, 2019 IST

ବ୍ରହ୍ମପୁର ୨୩।୧୦: ସହପାଠୀଙ୍କ ସାର୍ଟିଫିକେଟ୍ ଓ ମାର୍କସିଟ୍ ରେ ଚଞ୍ଚକତା କରି ଫେଲ୍ ହୋଇଥିବା ଛାତ୍ରୀ କଲେଜରେ ପଢୁଛି ପାଠ । ପାସ୍ ଛାତ୍ରୀଙ୍କ ଅଭିଯୋଗ ପରେ କଲେଜ ଅଧ୍ୟକ୍ଷ ଉଭୟ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଡକାଇ ଆଲୋଚନା କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା  ସାନଖେମୁଣ୍ଡି ବ୍ଲକ୍ ପାଟପୁର ବିଶ୍ବସରାୟ ବିଜ୍ଞାନ ମହାବିଦ୍ୟାଳୟରେ । ରାମଚନ୍ଦ୍ରପୁର ଗ୍ରାମର ହେଉଛନ୍ତି ଦୁଇ କଲେଜ ଛାତ୍ରୀ । ନକଲି ଛାତ୍ରୀ ହେଲେ ସିମାଞ୍ଚଳ ବରାଡ଼ଙ୍କ ଝିଅ ସୁନିତା ବରାଡ଼ । ଅନ୍ୟ ଜଣେ ଛାତ୍ରୀ ହେଲେ ଲିପ୍ସା ମଣ୍ଡଳ ।

ଲିପ୍ସା ବିଶ୍ବସରାୟ ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରୀ । ସେ ପାସ୍ କରି ଏକ ବର୍ଷ ହେଲା ପାଠପଢା ଛାଡି ଦେଇଥିଲେ । ଏବେ କଲେଜକୁ ସାର୍ଟିଫିକେଟ୍ ନେବାକୁ ଆସିବା ପରେ  ଜାଣିଲେ ଯେ ତାଙ୍କ ନାଁରେ ତାଙ୍କ ସହପାଠୀ ଅସଲି ସାର୍ଟିଫିକେଟ୍ ମାର୍କସିଟ୍ ମାଗି ନେଇ ଆଧାର କାର୍ଡକୁ ନକଲି କରି ଅନଲାଇନରେ ସେହି କଲେଜରେ ଯୁକ୍ତ ତିନି କଳା ବିଭାଗରେ ଅଧ୍ୟୟନ କରୁଛନ୍ତି । ପୁଣି ଖୋଦ୍  ଲିପ୍ସା ମଣ୍ଡଳଙ୍କ ନାଁରେ ।

ଫଳରେ ସେ କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ । ତାପରେ ଖୋଳତାଡ ଆରମ୍ଭ ହୋଇଥିଲା । ସବୁ କାଗଜ ପତ୍ର ଯାଞ୍ଚ ହେଲା। ତାପରେ ଘଟଣାର ଫର୍ଦ୍ଦାଫାଶ ହୋଇଛି । ନକଲି ଛାତ୍ରୀ ଯୁକ୍ତ ଦୁଇ ଶ୍ରେଣୀରେ ଫେଲ୍ ହୋଇଥିଲେ ପରେ ସହପାଠୀଙ୍କ କାଗଜପତ୍ର ମାଗି ନେଇ ତାକୁ ନ ଜଣାଇ କଲେଜରେ ଯୁକ୍ତ ତିନି କଳା ବିଭାଗରେ ନାମ ଲେଖାଇଥିଲେ ।

ସହପାଠୀଙ୍କ ଅସଲି ଯୁକ୍ତ ଦୁଇ ସାର୍ଟିଫିକେଟ୍, ମାର୍କସିଟ୍,  ଆଧାର କାର୍ଡ଼କୁ ଫଟୋ ବଦଳାଇ ଚଞ୍ଚକତା କରିଛନ୍ତି। ତେବେ ଏବେ ପ୍ରଶ୍ନ ଉଠୁଛି କିଭଳି ଜଣେ ଫେଲ୍ ଛାତ୍ରୀ ଏସବୁ କରିବାକୁ ସାହାସ କଲେ ଏ ଘଟଣାରେ କଲେଜ କର୍ମଚାରୀଙ୍କ ହାତ ରହିଛି ନା ମାଷ୍ଟର ମାଇଣ୍ଡ କିଏ ରହିଛି ତାକୁ ନେଇ ସସପେନ୍ସ ଲାଗି ରହିଛି। ଏ ନେଇ କଲେଜ ଅଧ୍ୟକ୍ଷ ମୁହଁ ଖୋଲିନଥିବାବେଳେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ।

ସରକାର ଦିନକୁ ଦିନ ଶିକ୍ଷା ବିଭାଗକୁ ଆଗେଇ ନେବା ପାଇଁ ଅନଲାଇନ ସେବାକୁ ବହୁ ତ୍ୱରାନ୍ୱିତ କରୁଥିବା ବେଳେ କେମିତି ଜଣେ ଫେଲ୍ ଛାତ୍ରୀ ସହପାଠୀଙ୍କ ସରଳତାର ସୁଯୋଗ ନେଇ ଏମିତି ଘଟଣା ଘଟାଇଛନ୍ତି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.