ନକଲି ମାଓବାଦୀ ଗିରଫ
25/11/2019 at 9:04 AM

ମାଲକାନଗିରି ୨୫/୧୧: ମାଲକାନଗିରି ପୋଲିସ ପଞ୍ଝାରେ ୫ ଜଣ ନକଲି ମାଓବାଦୀ । ମୋଟୁ ଥାନା ପେଟା ଗାଁ ନିକଟରେ ଥିବା ଜି.ଭି. ଗ୍ରେନାଇଟ୍ ନାମକ ଏକ ଘରୋଇ କମ୍ପାନିର ମାଲିକ ବେଣୁଗୋପାଳ ରାଓଙ୍କୁ ୫୦ ଲକ୍ଷ ଟଙ୍କା ବଟି ମାଗି ପୋଲିସ ଜାଲରେ ଫସିଲେ ୫ ଲୁଟେରା ।

ଗତ ଏକ ବର୍ଷ ଧରି ଆନ୍ଧ୍ର ପ୍ରଦେଶର ଜି.ଭି. ଗ୍ରେନାଇଟ୍ ନାମକ ଏକ ଘରୋଇ କମ୍ପାନି ରାଜ୍ୟ ସରକାରଙ୍କ ଅନୁମତି ପରେ ମୋଟୁ ଅଞ୍ଚଳରୁ ପଥର ଖନନ କରି ବିଦେଶକୁ ରପ୍ତାନି କରି ଆସୁଛି । ତେବେ ଗତ କିଛି ମାସ ଧରି ଏହି ପାଞ୍ଚ ଜଣ ବ୍ୟକ୍ତି ନିଜକୁ ନକ୍ସଲର ପରିଚୟ ଦେଇ ଭିନ୍ନ ଭିନ୍ନ ମୋବାଇଲରୁ ବେଣୁଗୋପାଳ ରାଓଙ୍କୁ ଫୋନ କରି ୫୦ ଲକ୍ଷ ଟଙ୍କା ଦାବି କରୁଥିଲେ । ଟଙ୍କା ନଦେଲେ ବିସ୍ଫୋରଣରେ କମ୍ପାନି ଅଫିସ ଉଡାଇବାର ଧମକ ଦେଇଥିଲେ ।

ଏପରିକି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ବେଣୁଗୋପାଳ ରାଓ ମୋଟୁ ଥାନାରେ ଏ ନେଇ ଅଭିଯୋଗ କରିବା ପରେ ଫୋନ କଲକୁ ଟ୍ରାପ କରି ପୋଲିସ ଏହି ୫ ଜଣଙ୍କୁ ଗିରଫ କରିଛି । ଏମାନଙ୍କୁ ମଧ୍ୟରୁ ୩ ଜଣ ମୋଟୁ ଅଞ୍ଚଳର ହୋଇଥିବା ବେଳେ ୨ ଜଣଙ୍କ ଘର ଆନ୍ଧ୍ର ପ୍ରଦେଶରେ ବୋଲି ପୋଲିସ କହିଛି । ଗିରଫ ପରେ ସମସ୍ତ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।