ନକଲି ସାମ୍ବାଦିକଙ୍କୁ କାଇଦା କରି ପିଟିଲେ
6/07/2020 at 1:00 PM

ଭୁବେନଶ୍ୱର ୦୬।୦୭: ରାସ୍ତା ମରାମତି କାମ ଚାଲିଥିବା ବେଳେ ଦୁଇ ଯୁବକ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ପରିଚୟ ଦେଇ ଧମକ ଚମକ ଦେଲେ । ନିମ୍ନମାନର କାମ ହୋଇଥିବା ଭୟ ଦେଖାଇ ଟଙ୍କା ମାଗିଲେ । ଏହି ତଥ୍ୟ ପ୍ରକାଶ ନକରିବା ପାଇଁ ସେମାନେ ଠିକାଦାରଙ୍କୁ ୧୦ ହଜାର ଟଙ୍କା ଦାବି କଲେ । ଠକମାନଙ୍କ ଚାଲାଖ୍ ବୁଝିପାରି ଠିକାଦାର ସେମାନଙ୍କୁ ଅଟକ ରଖି ନିସ୍ତୁକ ମାଡ଼ ମାରି ଛାଡିଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଅଞ୍ଚଳରେ ।
ସୂଚନା ଅନୁଯାୟୀ ଡିଷ୍ଟ୍ରିକ୍ଟ ସେଣ୍ଟର ପେଟ୍ରୋଲ ପମ୍ପ ପାଖରେ ରାସ୍ତା କାମ ଚାଲିଥିବା ସମୟରେ ଦୁଇ ଯୁବକ ପହଞ୍ଚି ଆଗ ଗୁଡ଼ାଏ ଫଟୋ ଉଠାଇଥିଲେ । କହିଥିଲେ ଆମେ ଏହି ଅଞ୍ଚଳର ସାମ୍ବାଦିକ । ସଟ୍ଡାଉନ୍ରେ କାହିଁକି କାମ କରୁଛ? ରାସ୍ତା କାମ ନିମ୍ନମାନର କଣ ପାଇଁ ହୋଇଛି । ଏହାକୁ ଆମେ ପେପରରେ ଛାପିବୁ । ଠିକାଦାର କହିଥିଲେ ନାହିଁ ଆମ କାମ ସବୁ ଠିକ୍ ଅଛି । ଦୁଇ ଠକ କହିଥିଲେ ଆମ କଥାରେ ତମେ ଯଦି ରାଜି ହେବ ତା ହେଲେ ଆମେ ଖବର ଚାପିଦେବୁ । ଠିକାଦାର ରାଜି ହେବାରୁ ଦୁଇ ଠକ କହିଥିଲେ ଆମକୁ ୧୦ ହଜାର ଟଙ୍କା ଦିଅ । ଠିକାଦାରଙ୍କ ମନରେ ସନ୍ଦେହ ହେବାରୁ ସେହି ଅଞ୍ଚଳର କିଛି ଲୋକଙ୍କୁ ଫୋନ୍ କରି ଜଣାଇଥିଲେ । ପରେ ଜଣା ପଡିଥିଲା ସେମାନେ ସାମ୍ବାଦିକ ନୁହନ୍ତି । ଠିକାଦାର ତାଙ୍କର କିଛି କର୍ମଚାରୀଙ୍କ ଜରିଆରେ ସେମାନଙ୍କୁ ପ୍ଲାନ୍ କରି ଏକ ନିର୍ମାଣାଧିନ ଘରକୁ ଡାକି ନେଇଥିଲେ । ସେମାନେ ଘରେ ପହଞ୍ଚିବା ପରେ ତାଙ୍କୁ ନିସ୍ତୁକ ମାଡ଼ ମରିଥିଲେ । ସେମାନେ ଭୁଲ୍ ମାଗିବା ପରେ ଠିକାଦାର ତାଙ୍କୁ ଛାଡିଥିଲେ । ଏନେଇ ସ୍ଥାନୀୟ ଥାନାରେ ଠକଙ୍କ ନାଁରେ ଷ୍ଟେସନ୍ ଡାଏରୀ ହୋଇଥିବା ଜଣାପଡିଛି ।