ବେଟି ବଚାଓ ବେଟି ପଢାଓ ଯୋଜନାରେ ପ୍ରତିବର୍ଷ ଝିଅଙ୍କୁ ମିଳିବ ୨ ଲକ୍ଷ ଟଙ୍କା: ବିକ୍ରି ହେଉଛି ଫର୍ମ, ଜାଣନ୍ତୁ ସତ ମିଛ…

Published By : Prameya-News7 Bureau | August 07, 2019 IST

ସରକାରଙ୍କ ଯୋଜନାର ଲାଭ ହିତାଅଧିକାରୀଙ୍କୁ ମିଳିବା ପୂର୍ବରୁ ଦଲାଲ ମାନଙ୍କ ଆୟ ଆରମ୍ଭ ହୋଇଯାଏ। ସେମାନଙ୍କ କାମ ଚଲାଇବା ପାଇଁ ନୂଆ ନୂଆ ଟ୍ରିକ୍‌ସ ଫଲୋ କରନ୍ତି। ପ୍ରଧାନମନ୍ତ୍ରୀଙ୍କ  ବେଟି ବଚାଓ ବେଟି ପଢାଓ ଅଭିଯାନ ଘୋଷଣା ପରେ ଏବେ ଏ ନେଇ ଫର୍ମ ବିକ୍ରି ହେବାରେ ଲାଗିଛି। ପ୍ରଚାର କରାଯାଉଛି ୮ ରୁ ୩୨ ବର୍ଷ ବୟସ୍କ ପ୍ରତି ଝିଅଙ୍କୁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ୨ ଲକ୍ଷ ଟଙ୍କା ମିଳିବ। ଆବେଦନ ଲାଗି ପ୍ରଥମେ ଫର୍ମ ପିଛା ୫ ଟଙ୍କା ଆଦାୟ କରାଯାଏ ଓ ଫର୍ମ ଫିଲ୍‌ଅପ କରି ମନ୍ତ୍ରାଳୟରେ ଦାଖଲ କରିବା ପାଇଁ ୨୦୦ରୁ ୫୦୦ ଟଙ୍କା ନିଆଯାଏ ।ଏହି କାମ ଦଲାଲମାନେ କରିଥାନ୍ତି। ତେବେ ବାସ୍ତବତା ହେଲା ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଅଧିନରେ ଏମିତି କୌଣସି ଯୋଜନା ନାହିଁ।  ଏଥିରୁ କେବଳ ଦଲାଲମାନଙ୍କୁ ଲାଭ ହୋଇଥାଏ।

{"id":141771}

ଦଲାଲମାନେ ଦେଉଥିବା ଫର୍ମରେ ଲେଖାଯାଇଛି ଯେ, ୮ ରୁ ୩୨ ବର୍ଷ ଯାଏଁ ପ୍ରତି ଝିଅଙ୍କୁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ୨ ଲକ୍ଷ ଟଙ୍କା ମିଳିବ। ଉଭୟ ସହର ଓ ଗାଁ ପାଇଁ ଏହି ଯୋଜନା ଉପଲବ୍ଧ । ଫର୍ମରେ ନାଁ, ଠିକଣା, ବୟସ, ଆଧାର କାର୍ଡ ନମ୍ବର, ଇମେଲ ଆଇଡି, ଧର୍ମ, ଜାତି, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଆଇଏଫଏସି କୋଡର ସୂଚନା ଦେବା ଜରୁରୀ। ଏଥିରେ ଗାଁ ମୁଖିଆଙ୍କ ଦସ୍ତଖତ ରହିବ ବୋଲି ମଧ୍ୟ  କୁହାଯାଇଛି।

{"id":141772}

ତେବେ ସମସ୍ତଙ୍କ ପାଇଁ ଏକ ବଡ ସୂଚନା ଏହା ଯେ, ଏଭଳି ଫେକ୍‌ ଫର୍ମ ପାଇଁ ନିଜର ସମୟ ଓ ଟଙ୍କା ନଷ୍ଟ କରିବା ଅନୁଚିତ୍‌। ଯଦି ଏହି ଫର୍ମ ନେଇ କେହି ଆସୁଛନ୍ତି ତାହା ଫିଲ୍‌ଅପ୍‌ ନକରି ତା ନାଁରେ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିବା ଉଚିୁତ୍‌।ଏହି ଫର୍ମ ସହରରେ କମ ଗାଁରେ ଅଧିକ ବଣ୍ଟା ଯାଉଛି। ଗ୍ରାମବାସୀଙ୍କୁ ଏହି ଯୋଜନାର ଲୋଭ ଦେଖାଇ ତାଙ୍କଠୁ ଟଙ୍କା ଆଦାୟ କରନ୍ତି। ଗାଁର ମୁଖିଆମାନେ ମଧ୍ୟ କିଛି ଯାଞ୍ଚ ନକରି ଦସ୍ତଖତ କରିଦିଅନ୍ତି।  

{"id":141773}

ଏହି ବିଷୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ନିଜ ଅଫିସିଆଲ ୱେବସାଇଟ୍‌ରେ ନୋଟିଫିକେଶନ ମଧ୍ୟ ଦେଇଛି। ନୋଟିଫିକେଶନରେ ସ୍ପଷ୍ଟ କରାଯାଇଛି ଯେ, ଏହି ଫେକ୍‌ ଯୋଜନା ମନ୍ତ୍ରାଳୟ ତରଫରୁ କରାଯାଏନାହିଁ। ନୋଟିଫିକେଶନ ଅନୁସାରେ ବେଟି ବଚାଓ, ବେଟି ପଢାଓ ଯୋଜନାର ମୁଖ୍ୟ ଉଦେଶ୍ୟ ପିସିପିଏନ୍‌ଡିଟି ଆକ୍ଟକୁ ଲାଗୁ କରିବା ଅର୍ଥାତ କନ୍ୟା ଭୃଣ ହତ୍ୟା ରୋକିବା, ଝିଅମାନଙ୍କ ଶିକ୍ଷା ଓ ମହିଳାମାନଙ୍କ ସଶକ୍ତିକରଣ ଉପେର ଗୁରୁତ୍ବ ଦେବା। ଏହା ଏକ ଡିବିଟି (ଡାୟରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର) ଯୋଜନା । ଏହା ରାଜ୍ୟ ସରକାର, ଜିଲା ପ୍ରଶାସନ ଦ୍ବାରା କାର୍ଯ୍ୟକାରୀ କରାଯାଏ।   

{"id":141774}

ଅନୁସନ୍ଧାନରୁ ଜଣା ପଡିଛି ଏହି ଫର୍ମର ବଣ୍ଟନ ଉତ୍ତର ପ୍ରଦେଶରୁ ଆରମ୍ଭ ହୋଇଥିଲା। ଉତ୍ତରପ୍ରଦେଶରେ ଏନେଇ ପୂର୍ବରୁ ମାମଲା ମଧ୍ୟ ରୁଜୁ କରାଯାଇଛି। ସିବିଆଇ ଏହି ମାମଲା ନେଇ ଅନୁସନ୍ଧାନ କରୁଛି। ୟୁପି ପରେ ହରିଆଣା, ଉତ୍ତରାଖଣ୍ଡ, ପଞ୍ଜାବ, ହିମାଚଳ ପ୍ରଦେଶ ଓ ଦିଲ୍ଲୀରେ ଏହି ଫର୍ମ ବଣ୍ଟନ ହେଉଛି। ବିହାର, ରାଜସ୍ତାନ, କେରଳ ଓ ପଶ୍ଚିମ ବଙ୍ଗରୁ ଏହି ଫର୍ମ ମନ୍ତ୍ରାଳୟ ଯାଏଁ ପହଞ୍ଚିଛି। ଏବେ ମହାରାଷ୍ଟ୍ରରେ ଏହି ଫର୍ମ ବ୍ୟାପିବାରେ ଲାଗିଛି। ମନ୍ତ୍ରାଳୟକୁ ସ୍ପିଡ ପୋଷ୍ଟ ଦ୍ବାରା ଏମିତି ଲକ୍ଷ ଲକ୍ଷ ଫର୍ମ ପଠାଯାଇଛି।

{"id":141775}

ଓଡିଶାରେ ମଧ୍ୟ ଏହି ଫର୍ମ ବିକ୍ରି ପାଇଁ ଉଦ୍ୟମ ହେଉଥିବା ଜଣା ପଡିଛି। ଏଥିପାଇଁ ସତର୍କ ରହିବା ସହ ଦଲାଲମାନଙ୍କ ସମ୍ପର୍କରେ ପୋଲିସକୁ ସୁଚନା ଦେବା ଲାଗି ପରାମର୍ଶ ଜାରି କରାଯାଇଛି। କେବଳ ବେଟି ପଢାଓ ବେଟି ବଚାଓ ନୁହେଁ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ଠକିବା ପାଇଁ ଦଲାଲମାନେ ପ୍ରସ୍ତୁତ ହୋଇ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.