ନକଲି କାରଖାନା ଠାବ : ୫ଶହ ଲିଟର ମୋବିଲ୍‌ ଜବତ, ଜଣେ ଗିରଫ

Published By : Prameya-News7 Bureau | August 10, 2020 IST

ବ୍ୟାସନଗର ୧୦।୦୮: ଦୀର୍ଘ ଦିନରୁ ଯାଜପୁର ରୋଡ୍‌ରେ ଚାଲିଥିବା ନକଲି ମୋବିଲ କାରଖାନାକୁ ପୁଲିସ ଠାବ କରିଛି। କାରଖାନାରୁ ୫ଶହରୁ ଅଧିକ ଲିଟର ମୋବିଲ ଜବତ କରିବା ସହିତ କାରଖାନା ପରିଚାଳକଙ୍କୁ ଗିରଫ କରିଛି । ନକଲି ମୋବିଲ କାରବାରରେ ଜଡ଼ିତ ଗୋଟିଏ ୪ଚକିଆ ଯାନ ଏବଂ ବ୍ରାଣ୍ଡେଡ୍‌ ମୋବିଲ କମ୍ପାନି ଷ୍ଟିକରକୁ ଯାଜପୁର ରୋଡ ପୁଲିସ ଜବତ କରିଛି ।

ଯାଜପୁର ରୋଡ୍‌ ଥାନା ଅଧିକାରୀ ଅନିଲ କୁମାର ମହାନ୍ତିଙ୍କ ସୂଚନା ମୁତାବକ ସହର ଭିତରେ ଗାଡ଼ି ଯାଞ୍ଚ ପ୍ରକ୍ରିୟା ବେଳେ ଗୋଟିଏ କାର୍‌ ଭିତରେ ମୋବିଲ ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା । ମୋବିଲ କେଉଁଠୁ ଆସିଲା ବୋଲି ପୁଲିସ ଖୋଳତାଡ଼ କରିବା ବେଳେ କାରଖାନାର ସୂଚନା ପାଇଥିଲା । କାର ଚାଳକଙ୍କ ଠାରୁ ଖବର ପାଇ ପୁଲିସ ଉମାପଦାରୁ ମଙ୍ଗଳାମନ୍ଦିର ଆଡ଼କୁ ଯାଇଥିବା ରାସ୍ତାର ଏକ ଘର ଉପରେ ଚଢ଼ଉ କରିଥିଲା । ସେଠାରେ ବିପୁଳ ପରିମାଣର ମୋବିଲ ସହିତ ଏକାଧିକ ବ୍ରାଣ୍ଡେଡ୍‌ କମ୍ପାନିର ଷ୍ଟିକର ମିଳିଥିଲା। କାରଖାନାକୁ ଚଳାଉ ଥିବା ହୁଡ଼ିସାହିର ମହମ୍ମଦ ହାନୱାଜ(୩୬)କୁ ପୁଲିସ ଗିରଫ କରିଥିଲା । ପଚରାଉଚରା ବେଳେ ସାହାନୱାଜ ପୁଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଜଣାପଡ଼ିଛି । ପୂର୍ବରୁ ସାହାନୱାଜ ଏକ ନକଲି ମୋବିଲ କାରଖାନାରେ କର୍ମଚାରୀ ଭାବେ କାମ କରୁଥିଲା । ସେଠାରୁ ଆସି ଯାଜପୁର ରୋଡ୍‌ରେ ଘର ଭଡ଼ା ନେଇ କାରଖାନା କଲା । ବଜାରରୁ ପୋଡ଼ା ମୋବିଲ କିଣି ତାକୁ ନୂଆ ମୋବିଲରେ ପରିଣତ କରିବାର କୌଶଳକୁ ଏହି କାରଖାନାରେ କାର୍ଯ୍ୟକାରୀ କଲା । ଅଳ୍ପ ଦାମରେ ବ୍ରାଣ୍ଡେଡ୍‌ ମୋବିଲ ବଜାରରେ ବିକ୍ରି କରିଥିଲା ।

ବିଶେଷକରି ବ୍ୟାସନଗର ସହରରେ ସାହାନୱାଜର ବେପାର ଜୋର ଧରିଲା । କିଛି ମୋବିଲ ଦୋକାନୀଙ୍କୁ କରାୟତ କରି ସାହାନୱାନ ବ୍ୟବସାୟର କାୟା ବିସ୍ତାର କରିଥିଲା । ଯାଜପୁର ରୋଡ୍‌ରୁ ଡ଼ୁବୁରୀ, ଚଣ୍ଡିଖୋଲ, ପାଣିକୋଇଲି, ଯାଜପୁର ଟାଉନ ସମେତ ଆନ୍ଦପୁର ପର୍ଯ୍ୟନ୍ତ ବେପାର ମେଲାଇଲା । ନକଲି ମୋବିଲ ବିକ୍ରିରେ କିଛି ଅସାଧୁ କର୍ମଚାରୀଙ୍କ ସହଯୋଗ ମିଳିଥିବା ପୁଲିସ ଜାଣିବାକୁ ପାଇଥିଲା । ଫଳରେ ଆଜି ସାହାନୱାଜକୁ ଅଧିକ ପଚରାଉଚରା ନିମନ୍ତେ ଯାଜପୁର ରୋଡ୍‌ ଥାନାରେ ରଖାଯାଇଥିବା ଜଣାପଡ଼ିଛି । ଏହି ନକଲି ମୋବିଲ କାରଖାନା ସହିତ ଅନେକ ଦୋକାନୀଙ୍କ ହାତ ଥିବାରୁ ପୁଲିସ ଖୋଳତାଡ଼ ଜୋରଦାର କରିଛି । ଯାଜପୁର ରୋଡ୍‌ ଥାନାରେ ସାହାନୱାଜ ନାମରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.