କେନ୍ଦ୍ରାପଡାରେ ବଢ଼ିବାରେ ଲାଗିଛି ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ
Published By : Prameya-News7 Bureau | August 22, 2018 IST
କେନ୍ଦ୍ରାପଡା ୨୧/୮ : ’ଜାତିର ଉନ୍ନତି ସେ କାହୁଁ କରିବ ସ୍ବାର୍ଥେ ଯାର ବ୍ୟସ୍ତ ମନ, ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ’। ହଁ ଏବେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି। ଶାଗୁଣା ଓ ବିଲୁଆମାନଙ୍କ ହାତରେ ଲଟକିଛି ରୋଗୀମାନଙ୍କ ଭାଗ୍ୟ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା, ଓ ରାଜନଗର ପ୍ରଭୃତି ବ୍ଳକ୍ ରେ ଏବେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭ।ବ ବେଶ୍ ବଢି ଯାଇଛି। ଭୁଲ୍ ଚିକିତ୍ସା ଯୋଗୁଁ ରୋଗୀଙ୍କ ପ୍ରାଣ ମଧ୍ୟ ଯାଉଛି। ଏମିତି ଅସଂଖ୍ୟ ନକଲି ଡାକ୍ତରଙ୍କୁ ନେଇ ନିୟୁଜ୍ ସଭେନ୍ କରିଥିଲା ଷ୍ଟିଙ୍ଗ୍ ଅପରେସନ୍।
ନାମ ବଶିଷ୍ଟ ବିଶ୍ବାଳ। ଶିକ୍ଷାଗତ ଯୋଗ୍ୟତା ବିଏ। ମେଡିକାଲ ପଢିବା ତ ଦୂରର କଥା ମେଡିକାଲ କଲେଜ୍ ର ବାରଣ୍ଡା ମଧ୍ୟ ମାଡି ନାହାନ୍ତି ଏଇ ଭଦ୍ରଲୋକ ଜଣକ। କିନ୍ତୁ ସେ ଜଣେ ଡାକ୍ତର। ତାଙ୍କର କ୍ଲିନିକ୍ ରହିଛି ରାଜକନିକା ବଜାରରେ। ସେ ନିଜେବି ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସ୍ବୀକାର କରୁଛନ୍ତି ।
ଦିନକୁ ଦିନ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଶେଷ କରି ଆଳି, ପଟାମୁଣ୍ଡାଇ, ରାଜକନିକା ଓ ରାଜନଗର ବ୍ଲକ୍ ରେ ବିଭିନ୍ନ ବଜାର ଏବଂ ହସ୍ପିଟାଲ ପାଖରେ ରହିଛି ଏହି ସବୁ ନକଲି ଡାକ୍ତରଙ୍କ କ୍ଲିନିକ୍। ଏଠାରେ ରୋଗୀମାନଙ୍କର ସମସ୍ତ ରୋଗର ଔଷଧ ଓ ଉପଚାର ଉପଲବ୍ଧ ହେଉଛି। ଗତ ଜୁଲାଇ ମାସ ୧୫ ତାରିଖରେ ଏମିତି ଜଣେ ନକଲି ଡାକ୍ତରଙ୍କଠାରୁ ଔଷଧ ଖାଇ ରାଜନଗର ବିଲିକଣା ଶାସନର ଅଷ୍ଟମ ଶ୍ରେଣୀ ଛାତ୍ର ସୁବ୍ରତ କୁମାର ବାରିକଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ସ୍ଥାନୀୟ ପ୍ରଶାସନ ନିଦରୁ ଉଠି ବିଳିବିଳେଇବା ପରି ଜଣେ ଅଧେଙ୍କ କ୍ଲିନିକ୍ ବନ୍ଦ୍ କରି ଏବେ ପୁଣି ନିଦରେ ଶୋଇ ପଡିଛି।
ଆଳି, ପଟ୍ଟାମୁଣ୍ଡାଇ, ରାଜକନିକା ଓ ରାଜନଗର ବ୍ଲକ୍ ରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ସରକାରୀ ହସ୍ପିଟାଲ ପ୍ରଭୃତି ରହିଥିଲେ ସୁଦ୍ଧା ଏହି ସବୁ ନକଲି ଡାକ୍ତରଙ୍କ କ୍ଲିନିକ୍ ରେ ଭିଡ ହେଉଛି ।
ହସପିଟାଲରେ ଲମ୍ବାଧାଡିରେ ଛିଡାହେବା ଓ ଏଠୁ ସେଠିକି ଧାଇଁବାକୁ ପଡୁଥିବାରୁ ସେମାନେ ଏହି ସବୁ କ୍ଲିନିକ୍ ଉପରେ ନିର୍ଭର କରୁଛନ୍ତି ବୋଲି କହିଥିଲେ। ତେବେ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ନିରାମୟ ଯୋଜନାରେ ଉପଲବ୍ଧ ଔଷଧ ନଲେଖି ବାହାର ଦୋକାନରେ ଉପଲବ୍ଧ ହେଉଥିବା ଔଷଧ ଲେଖୁଥିବାରୁ ଆମେ ଅନ୍ୟ ଆଡେ ରୋଗୀ ଦେଖାଉଛୁ ବୋଲି ମଧ୍ୟ କହିଛନ୍ତି କତେକ ରୋଗୀଙ୍କ ସମ୍ପର୍କୀୟ। କାରଣ ଯାହାବି ହେଉନା କାହିଁକି ନକଲି ଡାକ୍ତରଙ୍କ ପାଖରେ ଅଧିକ ଅର୍ଥ ବ୍ୟୟ କରି ସଧାରଣ ନିରିହ ଲୋକମାନେ ନିଜ ମୃତ୍ୟୁକୁ ନିମନ୍ତ୍ରଣ ଦେଉଛନ୍ତି ଏ କଥାକୁ ଅସ୍ବୀକାର କରି ହେବନି। ଏହି ସବୁ ନକଲି ଡାକ୍ତରଙ୍କ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ସ୍ଥାନୀୟ ମେଡିକାଲ ଅଫିସରଙ୍କୁ ନିର୍ଦ୍ଧେଶ ଦେଇଥିବା ଖୋଦ୍ ମେଡିକାଲ ଅଫିସର ସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ଏହି ନକଲି ଡାକ୍ତରମାନଙ୍କ ଭିତରେ ଅଧିକାଂଶ ପଡୋଶୀ ପଶ୍ଚିମବଂଗର ବୋଲି ଜଣା ପଡିଛି।