ଲେଡି ୪୨୦ : ଜାଲି ଟ୍ୟାକ୍ସି ଆପ୍‌ର ବ୍ଲୁ ପ୍ରିଣ୍ଟ୍ ଦେଖାଇ ୨୫୦ କୋଟି ହଡପ, ହଜାରେରୁ ଅଧିକ ଲୋକଙ୍କୁ ଠକିଥିବା ମହିଳା ଗୋଆରେ ଅଏସ କରୁଥିବା ବେଳେ ଧରିଲା ପୋଲିସ

Published By : Prameya-News7 Bureau | October 13, 2020 IST

ନୂଆଦିଲ୍ଲୀ, ୧୩ ।୧୦:     ଫେକ୍ କ୍ୟାବ୍ ରାକେଟ୍ ଚଳାଉଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗୋଆରୁ ଗିରଫ କରାଯାଇଛି । ଅର୍ଥନୈତିକ ଶାଖା ମହିଳାଙ୍କୁ ଗିରଫ କରିଛି । ଏହି ମହିଳାଜଣଙ୍କ ପ୍ରାୟ ୧ହଜାରରୁ ଅଧିକ ଲୋକଙ୍କଠାରୁ ୨୫୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

ସୂଚନାନୁସାରେ, ଡେଜି ମେନନ୍ ନାମକ ଏହି  ମହିଳାଜଣଙ୍କ ହାଲୋ ଟାକ୍ସି ନାମରେ ଏକ ପ୍ରୋଜେକ୍ଟ ଆରମ୍ଭ କରିଥିଲେ । ତାଙ୍କର ଠକାମି ନେଇ ପୋଲିସକୁ ସୂଚନା ମିଳିବା ପରେ  ସମସ୍ତ ସତ୍ୟତା ସାମ୍ନାକୁ ଆସିଥିଲା । ପୋଲିସ ଏସଏମପି ଇମପେକ୍ସ ଓ ଏହାର ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ ପାଇଥିଲା ।

ଅଭିଯୋଗ ହୋଇଥିଲା ଯେ, ଏସଏମପିର ନିର୍ଦ୍ଦେଶକ ଲୋକଙ୍କୁ ହାଲୋ ଟାକ୍ସିରେ ନିବେଶ କରିବାକୁ କହିଥିଲେ । ଏଥିରେ ନିବେଶ କଲେ ଭଲ ରିଟର୍ଣ୍ଣ ମିଳିବ ବୋଲି ନିବେଶକଙ୍କୁ କୁହାଯାଇଥିଲା । ଏପରିକି ନିବେଶ ଅର୍ଥର ୨୦୦ ପ୍ରତିଶତ ଲାଭ ମିଳିବ ବୋଲି କମ୍ପାନୀ କହିଥିଲା । ତେବେ ଏହି କମ୍ପାନୀ ଆରବିଆଇର ଗାଇଡଲାଇନକୁ ଉଲଙ୍ଘନ କରି ଏପରି କାରବାର ଆରମ୍ଭ କରିଥିଲା ।

ପ୍ରଥମେ କମ୍ପାନୀ କିଛି ନିବେଶକଙ୍କ ଅର୍ଥ ଫେରାଇ ବିଶ୍ୱାସଭାଜନ ହୋଇଥିଲା । ପରେ ବଡ ରକମର ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହେଉଛି । ଏପରିକି କମ୍ପାନୀର ଅଫିସ ମଧ୍ୟ ହଠାତ ବନ୍ଦ ହୋଇଯାଇଥିଲା ।

ବାରମ୍ବାର ଲୋକଙ୍କୁ ଠକିବା ପାଇଁ କମ୍ପାନୀର ନିର୍ଦ୍ଦେଶକମାନେ ଗୋଟିଏ ପରେ ଗୋଟିଏ ସ୍ଥାନ ପରିବର୍ତ୍ତନ କରିଥିଲେ । ସେମାନେ ଗାଜିଆବାଦ, ପାତପରଗଞ୍ଜ ଓ ରୋହିଣିରେ ମଧ୍ୟ ଏପରି କହି ଲୋକଙ୍କୁ ଠକିଥିଲେ । ପୋଲିସ କହିଛି ଯେ, କମ୍ପାନୀ ତରଫରୁ ୩.୫ କୋଟି ଟଙ୍କାରେ ୬୦ଟି ନୂଆ ହ୍ୟୁଣ୍ଡାଇ ଏକ୍ସସେଣ୍ଟ କାର୍ କିଣାଯାଇଛି । ଯାହାକୁ ନିବେଶକମାନଙ୍କ ଠାରୁ କମ୍ପାନୀ ନେଇଥିଲା । ତେବେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗୋଆର ଏକ ରିସୋର୍ଟରୁ ଗିରଫ କରିଛି । ତାଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ସିଜ୍ କରି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.