ନକଲି କନିଆଁ ସହ ବିବାହ କରାଇ ବର ପିତାଙ୍କଠୁ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା, ୩ ଗିରଫ

Published By : Prameya-News7 Bureau | February 01, 2021 IST

ଜୟପୁର ୦୧/୦୨:  ପୁଅଟିଏ ପାଇଁ କନିଆଁ ଖୋଜି ଖୋଜି ନୟାନ୍ତ ହେବା ପରେ ବାପା-ମା ମଧ୍ୟସ୍ଥି ଉପରେ ଭରସା କରନ୍ତି। କିନ୍ତୁ ମଧ୍ୟସ୍ଥି ଧୋକା ଦେଲେ ବର ପିତା କରିବେ ବା କଣ। ଏମିତି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଅସଲି ବର ପାଇଁ ନକଲି କନିଆଁ ଠିକ୍‌ କରି ବର ପିତାଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରି ଫେରାର ହେଉଥିବା ଗ୍ୟାଙ୍ଗକୁ କାବୁ କରିଛି ପୋଲିସ। ଗ୍ୟାଙ୍ଗରେ ଥିବା ମା-ପୁଅଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି।

ରାଜସ୍ଥାନର ଜାଲୋର ଜିଲ୍ଳାରେ ଘଟଣା ଘଟିଥିବା ବେଳେ ଜଣେ ବର ପିତାଙ୍କ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସର ସୂଚନା ମୁତାବକ, ଅଭିଯୁକ୍ତମାନେ ଅନ୍ୟ ରାଜ୍ୟରୁ ନକଲି କନିଆଁ ଆଣି ବିବାହ କରାଇଦେବା ନାଁରେ ଜଣେ ବର ପିତାଙ୍କଠୁ ୮ ଲକ୍ଷ ୫୦ ହଜାର ଟଙ୍କା ହଡ଼ପ କରିଥିଲେ। ପ୍ରେମା ରାମ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ କିଛି ଲୋକ ମହାରାଷ୍ଟ୍ରର ମରାଠା ଜାତିର ଜଣେ ଯୁବତୀଙ୍କୁ ଆଣି ତାଙ୍କ ସାମଜର ବୋଲି କହି ବିବାହ କରାଇଥିଲେ। ପରେ ସାଢ଼େ ୮ ଲକ୍ଷ ନେଇ ଫେରାର ହୋଇଯାଇଥିଲେ ଅଭିଯୁକ୍ତ।

ଅଭିଯୋଗ ପାଇବା ପରେ ପୋଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ମୁଖ୍ୟ ଅଭିଯୁକ୍ତ ଦିନେଶ ଖାନକୁ ଗିରଫ କରିଛି। ଏହା ସହ ଅନ୍ୟ ଅଭିଯୁକ୍ତ ଗଫୁର ଖାନ, ଦିନେଶ ଖାନର ମା’ ମଫି ଖାନକୁ ଗିରଫ କରିଛି। ସେମାନଙ୍କ ପାଖରୁ ୭ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଏହି ଗ୍ୟାଙ୍ଗ ସହ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପୋଲିସ ପଚରା ଉଚରା କରୁଥିବା ବେଳେ ସେମାନେ ଅନ୍ୟ ଲୋକଙ୍କୁ ମଧ୍ୟ ଠକିଥିବା ନେଇ ସନ୍ଦେହ କରୁଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.