କାଳିଆ ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ, ସରକାର ତିଆରି କଲେଣି ଫେରସ୍ତ ବାଟ, ସେପଟେ ପୁଣି ଚିହିଁକିଲେ ବିରୋଧୀ
24/07/2020 at 6:47 PM

ଭୁବନେଶ୍ୱର, ୨୪|୦୭: ରାଜ୍ୟରେ କାଳିଆ ଟଙ୍କା ହାତେଇଥିବା ଅଯୋଗ୍ୟ ହିତାଧିକାରୀ ଏବେଠାରୁ ସାବଧାନ ହୋଇଯାଆନ୍ତୁ। ଯେଉଁ ଅଯୋଗ୍ୟ ହିତାଧିକାରୀ ସରକାରଙ୍କଠାରୁ କାଳିଆ ଟଙ୍କା ହାତେଇଛନ୍ତି ସେମାନେ ଏହି ଟଙ୍କା ଫେରାଇବେ। ଏନେଇ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି । ଏକ ଉଚ୍ଚସ୍ତରୀୟ ବୈଠକରେ ପଦକ୍ଷେପ ସ୍ଥିର ହୋଇଛି ।ତେବେ ଆରମ୍ଭରୁ କାଳିଆ ଟଙ୍କା ପାଇଁ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିବା ବିରୋଧୀ ପୁଣି ଟାର୍ଗେଟ୍ କରିଛନ୍ତି ।
୫୦ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ କାଳିଆ ଟଙ୍କା ଫେରସ୍ତ ହେବ । ଅଯୋଗ୍ୟ ହିତାଧିକାରୀଙ୍କୁ ନୋଟିସ୍ ଜାରି କରିଛି କୃଷି ବିଭାଗ । କାଳିଆ ଯୋଜନାରେ ଚାଷୀଙ୍କୁ ୨ଟି କିସ୍ତିରେ ବର୍ଷକୁ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ ସରକାର । ପ୍ରାୟ ୫୧ ଲକ୍ଷ ଚାଷୀଙ୍କ ଖାତାକୁ ଯାଇଥିଲା କାଳିଆ ଟଙ୍କା। ତେବେ ଏମାନଙ୍କ ଭିତରୁ ପ୍ରାୟ ୫୦ ହଜାର ଅଯୋଗ୍ୟ ହିତାଧିକାରୀ ଅଛନ୍ତି, ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ସେଭଳି ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ଏବଂ ଟଙ୍କା ଫେରାଇବା ଲାଗି ସେମାନଙ୍କ ପାଖକୁ ନୋଟିସ ଯାଇଛି । ଏଭଳି ଅଯୋଗ୍ୟଙ୍କ ମଧ୍ୟରୁ କିଛି ନିଜ ଆଡୁ ଟଙ୍କା ମଧ୍ୟ ଫେରାଇଥିବା ଜଣାଯାଇଛି। ଅନ୍ୟ କିଛି ନିଜର ଅସାମର୍ଥ୍ୟ ଦେଖାଇଥିବା ବେଳେ ସେମାନଙ୍କଠାରୁ ଅନ୍ୟ ଉପାୟରେ ହେଲେ ବି ଟଙ୍କା ଅଣିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ କେମିତି କାଳିଆ ଟଙ୍କା ଫେରସ୍ତ କରାଯିବ ସେନେଇ କୃଷି ଭବନରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

କାଳିଆ ଟଙ୍କା ଯାଚିକି ଦେଲ ଏବେ ପୁଣି ତଣ୍ଟିରେ ହାତ ପୂରାଇ ଟଙ୍କା କାଢ଼ିବାକୁ କହୁଛ। ଏମିତି କିଛି କହି ଆକ୍ଷେପ କରିଛନ୍ତି ବିରୋଧୀ। ରାଜ୍ୟ ସରକାର ଙ୍କୁ ନିଶାନା ସାଧିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଅଯୋଗ୍ୟ ଙ୍କୁ ଟଙ୍କା ଦେଇ ଗଡ଼ବଡ଼ କରିଥିବା ଅଧିକାରୀଙ୍କ ପାଖରୁ ଟଙ୍କା ଆଦାୟ ପାଇଁ ଦାବି କରିଛି ବିଜେପି । ସେହିପରି ଟଙ୍କା ପାଇ ନ ଥିବା ଲୋକଙ୍କୁ ପାଖକୁ ବି ଟଙ୍କା ଫେରାଇବା ନୋଟିସ ଯାଇଥିବା ବିଜେପି କହିଛି ।ଅଯୋଗ୍ୟ ଲୋକଙ୍କୁ ତାଲିକାରେ କିଏ ପୂରାଇଲା ଏହାର ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ। ସେପଟେ ବିଜେଡି ଏହାର ଜବାବ ରଖିଛି। କରୋନା ସମୟରେ ଆର୍ଥିକ ପରିଚାଳନା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହି ସମୟରେ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଅର୍ଥକାଟ କରିବାକୁ ସରକାର ବିଧିବଦ୍ଧ ଯୋଜନା କରିଥିବା ସୂଚାଇ ଦେଉଛି।