AIIMSର ନକଲି ଡାକ୍ତର , ଦାମୀ କାର୍ ନିଶାରେ ଖୋଲିଗଲା ଗୁମର

Published By : Prameya-News7 Bureau | January 04, 2020 IST

ଭୁବନେଶ୍ବର ୪/୧: ହାଇପ୍ରୋଫାଇଲ୍ ଠକ। ଠକିବାର ଚିନ୍ତାରେ ଜବରଦସ୍ତ ଆଇଡିଆ। ପାଠ ବି.ଏ ପାଶ୍ କିନ୍ତୁ ପରିଚୟ ଡାକ୍ତର। ସେ ପୁଣି କେଉଁ ଛୋଟମୋଟ ଡାକ୍ତରଖାନା କିମ୍ବା ପ୍ରାଇଭେଟ୍ ପ୍ରାକ୍ଟିସ୍ ନୁହେଁ ଦେଶର ବଡ଼ ଡାକ୍ତରଖାନା AIIMSର ଡାକ୍ତର। ଏମିତି ଜଣେ ଅତି ଚତୁର ଠକକୁ ଧରିଛି ପୋଲିସ୍। ଦାମୀ କାର୍ ଚଢ଼ିବା ନିଶାରେ ସେ ନିଜକୁ ନିଜେ ଡାକ୍ତର ବନାଇ ଦେଇଥିଲେ। ଏହି ନକଲି ଡାକ୍ତରଜଣକ ହେଉଛନ୍ତି ସିଦ୍ଧାର୍ଥସ୍ବୟଂ ରାଉତ(୨୫)।

ସରକାରୀ ଡାକ୍ତରଖାନା ଏମ୍ସ ଡାକ୍ତରଭାବେ ପରିଚୟପତ୍ର ବନାଇ ଦାମୀ କାର୍ କିଣିଲା। ହେଲେ ଗୋଟିଏ ମାସ କିସ୍ତି ଦେବା ପରେ ଆଉ କାର୍ ଲୋନ୍ ସୁଝି ପାରିଲାନି। ଶେଷରେ ଅସଲି ପରିଚୟ ପଦାକୁ ଆସିଲା। ନକଲି ଏମସ ଡାକ୍ତର ସାଜି ଏମିତି ଉପାୟରେ କାର୍ କିଣିଥିବା ସିଦ୍ଧାର୍ଥକୁ ଗିରଫ କରିଛି ନୂଆପଲ୍ଲୀ ପୋଲିସ୍। ତାଙ୍କ ଘର କଟକ ସଦର ଗୋପାଳପୁର ପାଇକସାହିରେ ବୋଲି ଜଣାପଡ଼ିଛି। ପୋଲିସ୍ ତା’ଠାରୁ ୧୭ଲକ୍ଷ ଟଙ୍କା ମୂଲ୍ୟର ଏକ ଦାମୀ କାର୍ ଜବତ କରିଛି।

ସୂଚନା ଅନୁଯାୟୀ,ଗ୍ରାଜୁଏସନ ସରିବା ପରେ ସ୍ବୟଂ ବେକାର ହୋଇ ବୁଲୁଥିଲେ। ଦିନେ ସାଉଥ କୋରିଆର ଏକ ଦାମୀ କାର୍ କିଣିବାକୁ ପ୍ଲାନିଂ କଲେ। ଯାହାର ଆନୁମାନିକ ବଜାର ମୂଲ୍ୟ ୧୭ଲକ୍ଷ ୫୦ହଜାର ଟଙ୍କା ହେବ। ହେଲେ କୌଣସି ବଡ଼ କମ୍ପାନୀରେ ଚାକିରୀ କିମ୍ବା ଉଚ୍ଚପଦସ୍ଥ ଅଧିକାରୀ ହୋଇନଥିବାରୁ କାର୍ କିଣିବା ପାଇଁ ବ୍ୟାଙ୍କରୁ ଋଣ ପାଇବା ଅସମ୍ଭବ ବୋଲି ସେ ଜାଣିଥିଲେ। ଏଥିପାଇଁ ସେ ପ୍ରଥମେ ଏମ୍ସ ହସ୍ପିଟାଲରେ ଡାକ୍ତରଭାବେ ଏକ ନକଲି ପରିଚୟ ପତ୍ର ବନାଇଥିଲେ। ଦରମା ସାର୍ଟିଫିକେଟ୍ ବି ନକଲି ବନାଇ ନୂଆପଲ୍ଲୀ ଅଞ୍ଚଳରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଋଣ ପାଇଁ ଆବେଦନ କରିଥିଲେ। ଏମ୍ସ ହସ୍ପିଟାଲର ଡାକ୍ତର ଥିବା ପ୍ରୋଫାଇଲ୍ ଦେଖି ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ଦେବାକୁ ରାଜି ହୋଇଯାଇଥିଲେ।

୨୦୧୯ ଅକ୍ଟୋବରରେ ସାଉଥ କୋରିଆର କାର୍ କମ୍ପାନୀର ଭୁବନେଶ୍ବରରେ ଥିବା ସୋ ରୁମରୁ ସେ କାର୍ କିଣିଥିଲେ। ନଭେମ୍ବରରେ ବହୁ କଷ୍ଟରେ କାର୍ ବାବଦକୁ କିସ୍ତି ଡିପୋଜିଟ୍ କରିଥିଲେ। ମାତ୍ର ଡିସେମ୍ବରରେ କାର୍ ବାବଦକୁ କିସ୍ତି ନ ଦେବାରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସନ୍ଦେହ ଉପୁଜିଥିଲା। ଏନେଇ ତନାଘନା କରିବା ପରେ ସ୍ବୟଂ ଏମ୍ସରେ ଡାକ୍ତର ନଥିବା ଜଣା ପଡ଼ିଥିଲା। ତେଣୁ ନୂଆପଲ୍ଲୀ ଶାଖାର ମ୍ୟାନେଜର ଯୋଗେନ୍ଦ୍ର ନାଥ ନାୟକ ଏନେଇ ଡିସେମ୍ବର ୨ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ସେପଟେ ପୋଲିସରେ ଅଭିଯୋଗ ହୋଇଥିବା ଜାଣି ସ୍ବୟଂ ଫେରାର ହୋଇ ଯାଇଥିଲେ। ଗତକାଲି ପୋଲିସ୍ ତାକୁ ଗିରଫ କରି ଦାମୀ କାରକୁ ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.