ବିଜ୍ଞାପନର ପ୍ରତିଶ୍ରୁତି ମିଛ ହେଲେ ଜରିମାନା ଗଣିବେ ବ୍ରାଣ୍ଡ୍ ଆମ୍ବାସଡର : ଧାତ୍ରୀ ପାଇଁ ଭୋଗିଲେ ଅଭିନେତା ଅନୁପ ମେନନ

Published By : Prameya-News7 Bureau | January 05, 2021 IST

ଥିରୁବନ୍ତପୂରମ,୦୫/୦୧: ବିଜ୍ଞାପନରେ ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ଅଭିଯୋଗରେ କେରଳ କନଜ୍ୟୁମର କୋର୍ଟ ବା ଖାଉଟି ଅଦାଲତ ଜଣେ ଅଭିନେତାଙ୍କୁ ଜରିମାନା କରିଛି । କାରଣ ଏହି ଅଭିନେତାଜଣଙ୍କ ଚୁଟି ଉଠିବା ନେଇ ଏକ ବିଜ୍ଞାପନ କରିଥିଲେ । ସେ ଏହାର ବ୍ରାଣ୍ଡ୍ ଆମ୍ବାସାଡର ମଧ୍ୟ ଥିଲେ । କିନ୍ତୁ ଏହି ବିଜ୍ଞାପନର ପ୍ରତିଶ୍ରୁତି ଜଣେ ବ୍ୟକ୍ତିଙ୍କଠାରେ ଭୁଲ ପ୍ରମାଣିତ ହୋଇଥିଲା । ଫଳରେ ସେ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଥ୍ରୀସୁରର ଜିଲ୍ଲା ଖାଉଟି ରିଡ୍ରେସାଲ୍ ଫୋରମ୍ ଧାତ୍ରୀ ହେୟାର କ୍ରିମ୍  ଓ ଅଭିନେତା ଅନୁପ ମେନନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେଇଛି ।

ସୂଚନାନୁସାରେ, ଫ୍ରାନସିସ୍ ନାମକ ଜଣେ ବ୍ୟକ୍ତି ବିଜ୍ଞାପନକୁ ନେଇ ଧାତ୍ରୀ ଆୟୁର୍ବେଦ ପ୍ରାଇଭେଟ୍ ଲିମିଟେଡ୍ ଓ ଅଭିନେତା ଅନୁପଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ, ୨୦୧୨ରେ ସେ ୩୭୬ ଟଙ୍କାରେ ବିଜ୍ଞାପନରେ ପ୍ରଦତ୍ତ ତେଲ କିଣିଥିଲେ । ୬ ସପ୍ତାହରେ ଚୁଟି ଉଠିବା ନେଇ ବିଜ୍ଞାପନରେ କୁହାଯାଇଥିଲା । ଏହାର ପ୍ରୟୋଗ ପରେ ବି ତାଙ୍କଠାରେ କିଛି ଫଳପ୍ରଦ ହୋଇନଥିଲା ।ବାଧ୍ୟହୋଇ ସେ ଖାଉଟି ଅଦାଲତରେ କମ୍ପାନୀ ବିରୋଧରେ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ ।

ତେବେ ଅନୁପ ମେନନ କହିଛନ୍ତି ଯେ, ସେ କେବେବି ବିଜ୍ଞାପନରେ ଥିବା ସାମଗ୍ରୀ ବ୍ୟବହାର କରିନାହାଁନ୍ତି । ତାଙ୍କ ମାଆ ହାତରେ ଯେଉଁ ତୈଳ ପ୍ରସ୍ତୁତ କରନ୍ତି ସେ ତାକୁ ହିଁ କେବଳ ବ୍ୟବହାର କରିଥାନ୍ତି । ଖାଉଟି ଅଦାଲତ ମଧ୍ୟ ଘଟଣାରୁ ସଠିକ୍ ବାବେ ପରଖିଥିଲେ । ବିଜ୍ଞାପନରେ ଦିଆଯାଇଥିବା ସାମଗ୍ରୀ ସାମାନ୍ୟ ବି ଫଳପ୍ରଦ ନଥିବା ସ୍ପଷ୍ଟ ହୋଇଥିଲା । ଏପରି ମିଛ ବିଜ୍ଞାପନ ଜାଲରେ ନ ପଡିବା ପାଇଁ କୋର୍ଟ ଖାଉଟିଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଖବର କାଗଜ ଓ ଟିଭି ମଧ୍ୟ ବିଜ୍ଞାପନର ସତ୍ୟତା ଜାଣି ପ୍ରସାରଣ କରିବାକୁ ତାଗିଦ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.