ଆଉ ଏକ ରେଳ ଷ୍ଟେସନ୍‌ର ନାଁ ପରିବର୍ତ୍ତନ କଲେ ଯୋଗୀ ସରକାର

Published By : Prameya-News7 Bureau | October 23, 2021 IST

ଲକ୍ଷ୍ନୌ ୨୩/୧୦: ଉତ୍ତରପ୍ରଦେଶର ଫୈଜାବାଦ ରେଳ ଷ୍ଟେସନ ନାମ ପରିବର୍ତ୍ତନ ହୋଇଛି। ଏବେ ଏହାକୁ ଅଯୋଧ୍ୟା କ୍ୟାଣ୍ଟ ଭାବେ ନାମିତ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସୂଚନା ମିଳିଛି। ଫୈଜାବାଦ ରେଳ ଷ୍ଟେସନ୍‌ର ନାଁ ଅଯୋଧ୍ୟା କ୍ୟାଣ୍ଟ ରଖିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଷ୍ପତ୍ତି କରିଥିଲେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ଏହା ପୂର୍ବରୁ ଫୈଜାବାଦ ଜିଲ୍ଲାର ନାମ ପରିବର୍ତ୍ତନ କରାଯାଇଥିଲା। ନାମ ପରିବର୍ତ୍ତନ ହୋଇ ଫୈଜାବାଦକୁ ଅଯୋଧ୍ୟା କରାଯାଇଥିଲା। ଉତ୍ତରପ୍ରଦେଶ ସରକାର ପୂର୍ବରୁ ଅନେକ ସ୍ଥାନର ନାଁ ପରିବର୍ତ୍ତନ କରିଛନ୍ତି। ଚନ୍ଦୌଲି ଜିଲ୍ଲାର ମୁଗଲସରାୟ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ରଖାଯାଇଥିଲା। ଏହା ବ୍ୟତୀତ ବାରଣାସୀର ମଣ୍ଡବାଡିହ ଷ୍ଟେସନ୍‌ ଏବେ ବନାରସ୍‌ ଷ୍ଟେସନ ଭାବେ ନାମିତ ହୋଇଛି।

ଇହ୍ଲାବାଦ ଜଙ୍କସନ ଏବେ ପ୍ରୟାଗରାଜ ଜଙ୍କସନ୍‌, ଇହ୍ଲାବାଦ ସିଟି ଷ୍ଟେସନ୍‌ ଏବେ ପ୍ରୟାଗରାଜ ରାମବାଗ, ପ୍ରୟାଗରାଜ ଘାଟକୁ ଏବେ ପ୍ରୟାଗରାଜ ସଙ୍ଗମ ଭାବେ ନାମିତ କରାଯାଇଛି। ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି ବୋଲି କୁହାଯାଉଛି। ସେପଟେ ଅଯୋଧ୍ୟାର ସାଂସଦ ଲଲ୍ଲୁ ସିଂହ କହିଛନ୍ତି, ଆମେ ରେଳ ମନ୍ତ୍ରୀଙ୍କ ପାଖରେ ଫୈଜାବଦ ରେଳ ଷ୍ଟେସନ୍‌ର ନାଁ ଅଯୋଧ୍ୟା କ୍ୟାଣ୍ଟ କରିବାକୁ ଦାବି କରିଥିଲୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.