ଢେଙ୍କାନାଳ ସେଲଟର ହୋମ ଯୌନ ନିର୍ଯ୍ୟାତନା ଘଟଣା: ପୋଲିସ ପାଖରେ ଫୈଜ ରହମାନ ଓଗାଳିଲା ବହୁ ସାଙ୍ଘାତିକ ତଥ୍ୟ

Published By : Prameya-News7 Bureau | December 05, 2018 IST

ଢେଙ୍କାନାଳ ୫/୧୨ : ଢେଙ୍କାନାଳ ଗୁଡ ନ୍ୟୁଜ ସଂସ୍ଥାରେ ଯୌନ କେଳେଙ୍କାରୀ ଘଟଣାର ମୁଖ୍ୟ ଅଭିଯୁକ୍ତ ‘ଡାର୍ଟି ଡାଡି’ ଫୈଜ ରେହମାନର ଦୁଇ ଦିନିଆ ରିମାଣ୍ଡ ଆଜି ଶେଷ ହେବ | ସନ୍ଧ୍ୟାରେ ଫୈଜକୁ ଢେଙ୍କାନାଳ ପୋକସ କୋର୍ଟରେ ହାଜର କରାଯିବ | ଦୁଇ ଦିନ ଧରି ପୋଲିସ ଫୈଜକୁ ଜେରାବେଳେ ବହୁ ଗୁରୁତ୍ୱପୂର୍ଣ ଓ ସାଙ୍ଘାତିକ ତଥ୍ୟ ମିଳିଛି | ତେବେ ଜେରା ସମ୍ପୂର୍ଣ ହୋଇନଥିବାରୁ ତାକୁ ପୁଣି ରିମାଣ୍ଡରେ ନେବା ପାଇଁ ପୋଲିସ କହିଛି | ଦୁଇ ଦିନର ଜେରା ଭିତରେ ଫୈଜ କହିଛି ଯେ, ସେଲଟର ହୋମ ୧୯୯୪ ମସିହାରେ ପଶ୍ଚିମବଙ୍ଗର ସୋସାଇଟି ଆକ୍ଟରେ ପଞ୍ଜିକୃତ ହୋଇଛି | ପଶ୍ଚିମବଙ୍ଗ ମେଦିନିପୁର ସାଲେଗାଡିଆଠାରେ ହୋଲି ହୋମ ନାମକ ମୁଖ୍ୟ କାର୍ଯ୍ୟାଳୟ ରହିଛି | ସଂସ୍ଥା ପାଇଁ ଆମୋରିକାରୁ ସିଧାସଳଖ ଟଙ୍କା ମୁଖ୍ୟ କାର୍ଯ୍ୟାଳୟକୁ ଆସିଥାଏ | ଭୁବନେଶ୍ବର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରେ ରହିଛି ସଂସ୍ଥାର ଆକାଉଣ୍ଟ | ରାଜ୍ୟରେ ମୋଟ ୨୫ଟି ସେଣ୍ଟର କରିଛି ସଂସ୍ଥା | ଏହି ସଂସ୍ଥା ଜୁଭେନାଇଲ ଜଷ୍ଟିସ ଆକ୍ଟକୁ ଉଲ୍ଲଂଘନ କରୁଥିବା ଜଣାପଡିଛି | ସୂଚନାଯୋଗ୍ୟ ଯେ, ଗୁଡ଼ ନିୟୁଜ ଇଣ୍ଡିଆର ଢେଙ୍କାନାଳ ଆମ୍ବଡ଼ିଲା ଠାରେ ଥିବା ସେଲଟର ହୋମରେ ଅନାଥ ନାବାଳିକାମାନଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ଉଠିଥିଲା | ଅଭିଯୋଗ ଆଧାରରେ ତଦନ୍ତ ଚାଲିଥିବା ବେଳେ ନ୍ୟୁଜ ୭ ହାତରେ ଯୌନ ନିର୍ଯ୍ୟାତନା ଓ ଧର୍ମ ପରିବର୍ତ୍ତନର ସାଙ୍ଘାତିକ ଭିଡିଓ ଲାଗିଥିଲା | ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ଭଳି ସଂସ୍ଥାର ଓଡିଶାରେ ଥିବା ୨୫ ଟି ସେଣ୍ଟରର କେଳେଙ୍କାରୀ ପଦାକୁ ସାଇଥିଲା | ଫୈଜ ସମେତ ସଂସ୍ଥାର ୩ଜଣ କର୍ମକର୍ତ୍ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.