‘କରୋନା ଭାଇରସ ଫ୍ଲୁ ଭଳି’, ଟ୍ରମ୍ପଙ୍କ ଏହି ପୋଷ୍ଟ ଉପରେ ଫେସବୁକ ଓ ଟ୍ବିଟର ଗ୍ରହଣ କଲା କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | October 07, 2020 IST

ଓ୍ବାଶିଂଟନ୍ ୦୭/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଯେଉଁ ଟ୍ବିଟ୍ କରିଥିଲେ ତା ଉପରେ ଫେସବୁକ ଓ ଟ୍ବିଟର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେ ସେହି ଟ୍ବିଟରେ କହିଥିଲେ ‘କରୋନା ଫ୍ଲୁ ଭଳି’।  ଅର୍ଥାତ କରୋନାକୁ ଫ୍ଲୁ ସହିତ ତୁଳନା କରିଛନ୍ତି। ସୋସିଆଲ ମିଡ଼ିଆ କମ୍ପାନି ଏହାକୁ କରୋନା ଭାଇରସ ସମ୍ପର୍କରେ ଭୁଲ ତଥ୍ୟ ଦେବା ପୋଷ୍ଟରେ ଶ୍ରେଣୀଭୁକ୍ତ କରିଛି। ଏବେ ଫେସବୁକ୍ ସେହି ପୋଷ୍ଟକୁ ହଟାଇ ଦେଇଛି। ମାତ୍ର ଏହା ପୂର୍ବରୁ ଏହାକୁ୨୬ ହଜାର ଥର ସେୟାର କରାଯାଇଛି।

କମ୍ପାନି କହିଛି କୋଭିଡ-୧୯ ଗମ୍ଭୀରତାକୁ ନେଇ ଥିବା ଭୁଲ ତଥ୍ୟ ହଟାଇ ଦେଇଛୁ। ଦୁନିଆର ସବୁଠୁ ବଡ଼ ସୋସିଆଲ ମିଡ଼ିଆ କମ୍ପାନି ଯାହା ରାଜନେତାଙ୍କୁ ଥାର୍ଡ ପାର୍ଟି ଫ୍ୟାକ୍ଟ ଚେକିଂରୁ ମୁକ୍ତି ଦେଇଥାଏ। ମାତ୍ର ଏବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଘଟଣାକୁ ଦୁର୍ଲଭ ବୋଲି କୁହାଯାଉଛି।

ଟ୍ବିଟର ମଧ୍ୟ ଟ୍ରମ୍ପଙ୍କ ଏ ପ୍ରକାର ଟ୍ବିଟ ଉପରେ ଓ୍ବାନିଂ ଲେବଲ ଲଗାଇ ଦେଇଛି। କାରଣ ସେ କହିଛି ଟ୍ରମ୍ପ କୋଭିଡ-୧୯ ଉପରେ ଭୁଲ ତଥ୍ୟ ପ୍ରଦାନ କରି ନିୟମ ଉଲ୍ଲଘଂନ କରୁଛନ୍ତି। ୨୦୧୯-୨୦ରେ ଫ୍ଲୁ ଯୋଗୁ ଆମେରିକାରେ ୨୨ ହଜାର ଲୋକ ପ୍ରାଣ ହରାଇ ଥିଲେ। ମାତ୍ର ଏବେ କରୋନା ଯୋଗୁ ଆମେରିକାରେ ୨ ଲକ୍ଷ ୧୦ ହଜାର ଲୋକଙ୍କ ଜୀବନ ଗଲାଣି। କରୋନାରେ ଆକ୍ରାନ୍ତ ହେବା ପରେ ଟ୍ରମ୍ପ ହସପିଟାଲରେ ତିନି ରାତି ବିତାଇବା ପରେ ହ୍ବାଇଟ ହାଉସ ଫେରିଛନ୍ତି।

ସୂଚନାଯୋଗ୍ୟ ଟ୍ବିଟର ଭୁଲ ତଥ୍ୟ ଟ୍ବିଟସ ଉପରେ ଲେବଲ ଲଗାଇ ଥାଏ। ଏହା ପୂର୍ବରୁ ମଧ୍ୟ ଟ୍ରମ୍ପଙ୍କ ଟ୍ବିଟ୍ ଉପରେ ଏମିତି କରାଯାଇଛି। କମ୍ପାନି କହିଛି ସେ ଏଭଳି ବାରମ୍ବାର କରିବାକୁ ପ୍ରୟାସ କରୁଛନ୍ତି। ଫେସବୁକ ପ୍ରଥମଥର ପାଇଁ ଅଗଷ୍ଟରେ କରୋନା ଭାଇରସକୁ ନେଇ ଟ୍ରମ୍ପଙ୍କ ଗୋଟିଏ ପୋଷ୍ଟ ହଟାଇ ଥିଲା। ସେହି ପୋଷ୍ଟରେ ଏକ ଭିଡ଼ିଓ ସେୟାର କରାଯାଇ ଥିଲା ଯେଉଁଥିରେ କୁହାଯାଇ ଥିଲା କୋଭିଡ-୧୯ ପ୍ରତି ପିଲାମାନଙ୍କ ରୋଗପ୍ରତିରୋଧକ କ୍ଷମତା ଅଧିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.