ଅଧରାତିରେ ଏଫବି ଲାଇଭରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଫେସବୁକ ଅଫିସ୍‌ରୁ ଦିଲ୍ଲୀ ପୋଲିସକୁ ମିଳିଲା ସୂଚନା

Published By : Prameya-News7 Bureau | June 05, 2021 IST

ନୂଆଦିଲ୍ଲୀ ୫/୬: ଜୀବନ ବଞ୍ଚାଇଲା ଫେସବୁକ୍‌। ହଜାର ହଜାର କିଲୋମିଟର ଦୂର ଆମେରିକାର ଫେସବୁକ୍‌ ଅଫିସ୍‌ରୁ ଆସିଲା କଲ ଏବଂ ଆଲର୍ଟ ହୋଇଗଲା ପୋଲିସ। ଏହା ପରେ ତୁରନ୍ତ ପୋଲିସ ପହଞ୍ଚି ବଞ୍ଚାଇଦେଲା ବ୍ୟକ୍ତିଙ୍କ ଜୀବନ। ଆଜିର ଆଧୁନିକ ଯୁଗରେ ଲୋକେ ଘରେ ବସି ପୂରା ବିଶ୍ବ ସହ ଯୋଗାଯୋଗ କରିପାରୁଛନ୍ତି। ତେବେ ଏହି ମାଧ୍ୟମର ଖରାପ ବ୍ୟବହାର ମଧ୍ୟ ହେଉଛି। ସେ କଥା ଛାଡ଼ନ୍ତୁ ଫେସବୁକ ପାଇଁ କିନ୍ତୁ ଜଣେ ଲୋକଙ୍କ ଜୀବନ ବଞ୍ଚିଯାଇଛି।

ମିଳିଥିବା ସୂଚନା ଅନୁସାରେ ଗୁରୁବାର ରାତି​‌ରେ ପଶ୍ଚିମ ଦିଲ୍ଲୀର ଦ୍ବାରକା ବାସିନ୍ଦା ମୋହନ ଲାଲ ପଡ଼ୋଶୀଙ୍କ ସହ ଝଗଡ଼ା କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଇ ନିଜ ହାତକୁ କାଟି ପକାଇଥିଲେ। ମୋହନ ଲାଲ ଏକ ମିଠା ଦୋକାନରେ କାମ କରନ୍ତି। ତାଙ୍କର ଦୁଇ ଛୋଟ ଝିଅ ମଧ୍ୟ ଅଛନ୍ତି । ୨୦୧୬ରେ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଭାଙ୍ଗିପଡ଼ିଥିଲେ। ପଡ଼ୋଶୀଙ୍କ ଥଟ୍ଟା ମଜା ସହି ନପାରି ସେ ଏଭଳି ପଦକ୍ଷେପ ନେଇଥିବା ମୋହନ କହିଛନ୍ତି।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁସାରେ, ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ମୋହନ ଫେସବୁକ୍‌ ଲାଇଭ କରୁଥିଲେ। ସେତେବେଳକୁ ରାତି ପ୍ରାୟ ୧୨.୫୦ ହୋଇଥିଲା। ଠିକ୍‌ ସେହି ସମୟରେ ସାଇବର କ୍ରାଇମ୍‌ ବିଭାଗର ଡିସିପି ଅନ୍ୟେଶ ରାୟଙ୍କୁ ଆମେରିକା ସ୍ଥିତ ଫେସବୁକ୍‌ ଅଫିସ୍‌ରୁ ଦିଲ୍ଲୀର ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରୁଥିବା ନେଇ ଲାଇଭ୍‌ ଭିଡିଓ ସମ୍ପର୍କରେ ଆଲର୍ଟ ମିଳିଥିଲା। ଫେସବୁକ୍‌ ଦ୍ବାରା ପଠାଯାଇଥିବା ଆକାଉଣ୍ଟ ଡିଟେଲ୍ସ ଯାଞ୍ଚ କରିଥିଲା ପୋଲିସ। ସେଥିରେ ଥିବା ମୋବାଇଲ୍‌ ନମ୍ବର ସ୍ବିଚ୍‌ ଅଫ୍‌ ଥିଲା।

ପରେ ପୋଲିସକୁ ସୂଚନା ମିଳିଥିଲା ନମ୍ବରଟି ଦ୍ବାରକାର । ସେହି ଠିକଣାରେ ପହଞ୍ଚିଥିଲା ପୋଲିସ। ବ୍ୟକ୍ତି ଜଣଙ୍କ ଶିଢ଼ି ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିବା ଏସଆଇ ଅମିତ କୁମାର ଘଟଣାସ୍ଥଳରେ ପହଞ୍ଚିବା ପରେ ଦେଖିବାକୁ ପାଇଥିଲେ । ପରେ ପୋଲିସ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏବେ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.