ଫେସବୁକ୍ ପ୍ରେମ ପଡିଲା ମହଙ୍ଗା ; ଦିଲ୍ଲୀର ନାବାଳିକାଙ୍କୁ ମିରଟରେ ଗଣଦୁଷ୍କର୍ମ

Published By : Prameya-News7 Bureau | December 19, 2018 IST

ନୂଆଦିଲ୍ଲୀ ୧୯|୧୨: ଦେଶର ରାଜଧାନୀ ନୂଆଦିଲ୍ଲୀର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।ଅଭିଯୁକ୍ତ ଫେସବୁକରେ ନାବାଳିକାଙ୍କ ସହ ବନ୍ଧୁତା କରିଥିଲେ । ତାପରେ କଥାରେ କଥାରେ ଫସାଇ ତାଙ୍କୁ ମିରଟକୁ ଡକାଇଥିଲେ । ଅଭିଯୁକ୍ତ ଯୁବକ ଏବଂ ତାଙ୍କ ସାଙ୍ଗ ମିଶି ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତ ଯୁବକ ଜଣକ ନାବାଳିକାଙ୍କୁ ପାଖା ପାଖି ୨ମାସ ଧରି ବନ୍ଧକ ରଖିଥିବାର ଅଭିଯୋଗ ହୋଇଛି। କୌଣସି ପ୍ରକାରରେ ସେମାନଙ୍କ କବଳରୁ ନାବାଳିକା ଜଣଙ୍କ ଖସିଆସି ଘରେ ପହଞ୍ଚିଥିଲା । ତାପରେ ସମସ୍ତ ଘଟଣା ପରିବାରଲୋକଙ୍କୁ ଜଣାଇଥିଲା ।

ଏହାପରେ ଚାନ୍ଦନୀ ମହଲ ପୋଲିସ ଗଣଦୁଷ୍କର୍ମ ନେଇ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଦେଇଛି । ପୋଲିସ ଗଣଦୁଷ୍କର୍ମ ମାମଲାରେ ୨୨ବର୍ଷୀୟ ଶାହରୁଖଙ୍କୁ ଗିରଫ କରିଛି । ପୋଲିସର ସୂଚନା ଅନୁସାରେ ୧୬ବର୍ଷୀୟ ନାବାଳିକା ଜଣଙ୍କୁ ପାଖା ପାଖି ବର୍ଷେ ହେବ ଅଭିଯୁକ୍ତ ଶାହାରୁଖଙ୍କ ସହ ଫେସବୁକ୍‌ରେ ବନ୍ଧୁତା କରିଥିଲେ । ନାବାଳିକା ଜଣଙ୍କ ଏକ ହୋଟେଲରେ ରିସେପସନିଷ୍ଟ ଭାବେ କାମ କରୁଥିଲେ । ଦୁହେଁ ଦୁହିଁଙ୍କ ସହ ଘଣ୍ଟା ଘଣ୍ଟା ଧରି ଫେସବୁକ୍‌ରେ ଚାଟିଂ କରୁଥିଲେ ।ଏଇ ଭିତରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା ।

ଅଭିଯୋଗ ଅନୁସାରେ ଗତ ଅକ୍ଟୋବର ମାସରେ ଅଭିଯୁକ୍ତ ଜଣଙ୍କ ଦେଖାକରିବା ପାଇଁ ନାବାଳିକାଙ୍କୁ ମିରଟକୁ ଡକାଇଥିଲେ । ନାବାଳିକା ଜଣଙ୍କ ମିରଟରେ ପହଞ୍ଚିବାପରେ ସେ ତାଙ୍କୁ ଏକ ହୋଟେଲକୁ ନେଇଯାଇଥିଲେ । ସେଠାରେ ତାଙ୍କର ଜଣେ ସାଙ୍ଗ ପୂର୍ବରୁ ଉପସ୍ଥିତ ଥିଲେ। ଉଭୟ ମିଶି ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ତାଙ୍କୁ ଧମକାଇ ଦୁଇ ମାସ ପର୍ଯ୍ୟନ୍ତ ବନ୍ଧକ ରଖିଥିଲେ । ଗତ ୫ତାରିଖରେ କୌଣସି ପ୍ରକାରରେ ନାବାଳିକା ଜଣଙ୍କ ସେମାନଙ୍କ କବଳରୁ ଖସିଆସି ଦିଲ୍ଲୀ ସ୍ଥିତ ତାଙ୍କ ଘରେ ପହଞ୍ଚିଥିଲେ । ଘରଲୋକଙ୍କୁ ତାଙ୍କ ସହ ହୋଇଥିବା ଦୁଷ୍କର୍ମ ସଂପର୍କରେ ଜଣାଇଥିଲେ । ନାବାଳିକାଙ୍କଠାରୁ ସମସ୍ତ କଥା ଶୁଣିବା ପରେ ଚାନ୍ଦନୀ ମହଲ ଥାନାରେ ପରିବାରଲୋକ ଅଭିଯୋଗ କରିଥିଲେ । ପୋଲିସ ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ତାଙ୍କର ଡାକ୍ତରୀ ମାଇନା କରିବାପରେ ମାମଲା  ଦାୟର କରିଥିଲା । ମାମଲା ଆଧାରରେ ପୋଲିସ ଘଟଣା ଯାଞ୍ଚ ଆରମ୍ଭ କରିଥିଲା । ସୋମବାର ଦିନ ପୋଲିସ ଅଭିଯୁକ୍ତ ଶାହାରୁଖଙ୍କୁ ତାଙ୍କ ଘରୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.