Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୮ଟି ଭାଷାକୁ ଅନୁବାଦ କରିବ ଫେସ୍ ମାସ୍କ: ‘ଡୋନଟ୍‌ ରୋବୋଟିକ୍ସ’ କମ୍ପାନୀ ପ୍ରସ୍ତୁତ କରିଛି ଏହି ମାସ୍କ

28/08/2020 at 12:53 PM

ନୂଆଦିଲ୍ଲୀ ୨୮/୮: କରୋନା ସଙ୍କଟ କାଳରେ ବର୍ତ୍ତମାନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥା ଅତ୍ୟାବଶ୍ୟକ ସାମଗ୍ରୀ ହେଉଛି ଫେସ୍‌ ମାସ୍କ । ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ଅଧିକାଂଶ କମ୍ପାନି ଫେସ୍‌ ମାସ୍କକୁ ଅଧିକ ପ୍ରଭାବଶାଳୀ ଓ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ଏଥିରେ ଅନେକ ଉନ୍ନତ ଟେକ୍ନୋଲୋଜି ପ୍ରୟୋଗ କରୁଛନ୍ତି । ଫଳରେ ଉନ୍ନତ ଟେକ୍ନୋଲୋଜିରେ ବିକଶିତ ଫେସ୍‌ ମାସ୍କ ବଜାରରେ ଉପଲବ୍ଧ ହେଉଛି ।

ଏବେ ଜାପାନର ଏକ ଟେକ୍‌ କମ୍ପାନି ଏକ ଫେସ୍‌ ମାସ୍କ ପ୍ରସ୍ତୁତ କରିଛି, ଯାହା ଦୁଇ ପ୍ରକାର କାର୍ଯ୍ୟକଳାପ ମାଧ୍ୟମରେ ୟୁଜର୍‌ଙ୍କ ଜୀବନକୁ ଅଧିକ ସହଜ କରିବ । ଡୋନଟ୍‌ ରୋବୋଟିକ୍ସ ନାମକ କମ୍ପାନି ଏହି ମାସ୍କ ପ୍ରସ୍ତୁତ କରିଛି, ଯାହା ଭାଷାଗୁଡ଼ିକର ଅନୁବାଦ କରିବାରେ ସକ୍ଷମ । ଏହାର ନାମ ‘ସି-ଫେସ୍‌ ସ୍ମାର୍ଟ ମାସ୍କ’ । ଏହା ବାର୍ତ୍ତା ପ୍ରସାର ସହିତ ଜାପାନୀ ଭାଷାକୁ ଅନ୍ୟ ୮ ଭାଷାରେ ଅନୁବାଦ କରିପାରେ ।

ସ୍ମାର୍ଟଫୋନ୍‌ ଆପ୍‌ ସହିତ ସଂଯୁକ୍ତ ହେବା ପାଇଁ ମାସ୍କଟି ବ୍ଲୁଟୁଥ୍‌ ଟେକ୍ନୋଲୋଜି ବ୍ୟବହାର କରେ, ଯାହା ପାଠ ଓ କଲ୍‌ରେ ଭାଷାର ଅନୁବାଦ କରେ । ଏହି ମାସ୍କ ପିନ୍ଧିଥିବା ବ୍ୟକ୍ତିଙ୍କର ସ୍ୱରକୁ ଏହି ଆପ୍‌ ବଢ଼ାଇପାରେ ଏବଂ ୧୦ ମିଟର ଦୂରତା ପର୍ଯ୍ୟନ୍ତ ଡିଭାଇସ୍‌ ସହ ସଂଯୁକ୍ତ ହୋଇପାରେ । ଡୋନଟ୍‌ ରୋବୋଟିକ୍ସର ଇଞ୍ଜିନିୟରମାନେ କରୋନା ମହାମାରୀ ସମୟରେ ସେମାନଙ୍କ ବ୍ୟବସାୟକୁ ବଢ଼ାଇବା ପାଇଁ ନୂଆ ଉତ୍ପାଦ ଉପରେ ଗବେଷଣା କରିବାବେଳେ ଏହି ଫେସ୍‌ ମାସ୍କ ବିଷୟରେ ବିଚାର କଲେ ।

ଏ ନେଇ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତାଇସୁକେ ଓନୋ କହନ୍ତି ‘ଦୀର୍ଘ ବର୍ଷ ଧରି ଆମେ ଏକ ରୋବୋ ନିର୍ମାଣ କ୍ଷେତ୍ରରେ କାମ କରିଛୁ। ବର୍ତ୍ତମାନର କରୋନା ସଙ୍କଟରେ ସେହି ଟେକ୍ନୋଲୋଜିକୁ ମାସ୍କ ଉପରେ ପ୍ରୟୋଗ କଲୁ। ଏହି ମାସ୍କ ଓ ଆପ୍‌ ଖୁବ୍‌ ସାହାଯ୍ୟକାରୀ । ଆସନ୍ତା ବର୍ଷ ଆରମ୍ଭରୁ ମାସ୍କଟି ବଜାରରେ ଉପଲବ୍ଧ ହେବ । ଏହାର ମୂଲ୍ୟ ପ୍ରାୟ ୪୦ ଡଲାର ରହିବ।’

   Related Posts