Face book ବ୍ରେକଅପ ମାର୍କ ଜୁକରବର୍ଗଙ୍କ ସୋସିଆଲ ମିଡିଆ ସାମ୍ରାଜ୍ୟକୁ ଧ୍ୱସ୍ତ କରିବ
10/12/2020 at 11:06 PM

ସୋସିଆଲ ମିଡିଆ ଫେସବୁକ୍ ଉପରେ ଆମେରିକା ଆଇନ ବେଳକୁ ବେଳ ଭାରି ପଡିବାରେ ଲାଗିଛି। ବଜାରରେ ଅନୁଚିତ ପ୍ରତିଯୋଗୀତା ରୋକିବା ଲାଗି ସଂଘୀୟ ଓ କେତେକ ରାଜ୍ୟ ସରକାର କମ୍ପାନୀ ବିରୋଧରେ ଔପଚାରିକ ମୋକଦ୍ଦମା ରୁଜୁ କରିଛନ୍ତି। ଯେଉଁଥିରେ କମ୍ପାନୀ ଡିଜିଟାଲ ମିଡିଆରେ ଥିବା ନିଜର ବର୍ଚସ୍ୱର ଦୂରୁପୋଯୋଗ କରିଥିବାର ଅଭିଯୋଗ ହୋଇଛି। ଏଥିରେ ଫେସବୁକ୍ ଓ ଏହାର ଅନ୍ୟ ପ୍ଲାଟଫର୍ମ ଇଂଷ୍ଟାଗ୍ରାମ ଏବଂ ହ୍ୱାଟସ୍ ଆପକୁ ପୃଥକ କରିବା ଲାଗି କୋର୍ଟଙ୍କୁ ନିବେଦନ କରାଯାଇଛି।
ଆଣ୍ଟି ଟ୍ରଷ୍ଟ ଆଇନରେ ରୁଜୁ ମୋକଦ୍ଦମାରେ ଯଦି ଫେସବୁକ୍ ହାରି ଯାଏ ତେବେ ଏହାର ପ୍ରଭାବରେ କମ୍ପାନୀର ସୋସିଆଲ ମିଡିଆ ସାମ୍ରାଜ୍ୟ ଧ୍ୱଂସ୍ତ ହୋଇଯିବା ଏବେ ଏକପ୍ରକାର ନିଶ୍ଚିତ। ଆମେରିକାରେ ଉପଭୋକ୍ତାଙ୍କୁ କମ୍ପାନୀ ମାନଙ୍କ ଶୋଷଣରୁ ମୁକ୍ତ ରଖିବା ଲାଗି ଏହି ଆଇନ ପ୍ରଣୟନ ହୋଇଛି। ବଜାରରେ ସୁସ୍ଥ ପ୍ରତିଯୋଗୀତା ଲାଗି ଥିବା ଆଇନକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଦେଶରେ ହାସ୍ୟସ୍ପଦ କରିଦେଇଛନ୍ତି। ଫଳରେ ସନ୍ଦିଗ୍ଧ ବ୍ୟବସାୟୀକ ଗତିବିଧି ବଢିଥିବା ବେଳେ ବଜାର ଆବଣ୍ଟନରେ ଗଡ଼ବଡ, ଟେଣ୍ଡର ସ୍କାମ ଭଳି ଘଟଣା ବଢିଛି।
ଆଣ୍ଟି ଟ୍ରଷ୍ଟ ଆଇନରେ ମୋକଦ୍ଦମା ରୁଜୁ ହେବାରେ ଗୁଗଲ ପରେ ଏବେ ଫେସବୁକ୍ ଦେଶର ଦ୍ୱିତୀୟ କମ୍ପାନୀ। ଗତ ଅକ୍ଟୋବର ମାସରେ ଆମେରିକା ସଂଘୀୟ ସରକାର ଓ ୧୧ ରାଜ୍ୟ ସରକାର ଗୁଗଲ ବିରୋଧରେ ଏହି ଧାରାରେ ଅଭିଯୋଗ ଆଣିଥିଲେ। ଅନଲାଇନ ସର୍ଚ୍ଚ ଓ ବିଜ୍ଞାପନ ପ୍ରତିଯୋଗୀତା ରୋକିବା ଲାଗି ଗୁଗଲ ଉଦ୍ୟମ କରିଥିବାର ଅଭିଯୋଗ ହୋଇଥିଲା। ଗୁଗଲ ପୂର୍ବରୁ ମଧ୍ୟ ମାଇକ୍ରୋସଫ୍ଟ ବିରୋଧରେ ୧୯୯୦ ମସିହାରେ ସମାନ ମାମଲାରେ ମୋକଦ୍ଦମା ହୋଇଥିଲା। ଯାହାର ରାୟ ଗତ ଶତାବ୍ଦୀ ଶେଷରେ ଆସିଥିଲା।