ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛରେ ପରକୀୟା ପ୍ରୀତି ! ଡିଏଫଓଙ୍କ ସହ ପତ୍ନୀଙ୍କ ସଂପର୍କ ଥିବା ଅଭିଯୋଗ ଆଣିଲେ ମୃତକଙ୍କ ଭାଇ

Published By : Prameya-News7 Bureau | July 15, 2021 IST

ଗଜପତି ୧୫।୭: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ । ସୋମବାର ବିଳମ୍ବିତ ରାତିରେ ସରକାରୀ ବାସଭବନରେ ପତ୍ନୀଙ୍କ ସହ ଥିବାବେଳେ ନିଆଁରେ ପୋଡ଼ି ହୋଇ ଗୁରୁତର ହେବାରୁ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଆଖି ବୁଝିଥିଲେ ସୋମ୍ୟରଞ୍ଜନ ।  ମୃତ୍ୟୁ ସମ୍ପର୍କରେ ନବ ବିବାହିତା ସ୍ତ୍ରୀ ମୁହଁ ଖୋଲୁ ନଥିବା ବେଳେ ପୁଅର ମୃତ୍ୟୁ ପାଇଁ ବୋହୂଙ୍କୁ ଦାୟୀ କରିଛନ୍ତି ଶ୍ବଶୁର । ଘଟଣା ନୂଆ ମୋଡ ନେଇଥିବା ବେଳେ ସୋମ୍ୟଙ୍କ ମୃତ୍ୟୁ ପଛରେ ଡିଏଫଓଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ ।  ତାଙ୍କୁ ପୋଡି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ସୋମ୍ୟଙ୍କ ପରିବାର ।  ଘଟଣାରେ ଡିଏଫଓଙ୍କ ଭୂମିକା ଏବେ ସନ୍ଦେହ ଘେରରେ ।

ସୋମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପରିବାର ସୋମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ସନ୍ଦେହ କରୁଥିବା ବେଳେ ତାଙ୍କ ବଡ ଭାଇ ଏହି ଘଟଣାରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ନେଇ ଅଭିଯୋଗ ଆଣିଛନ୍ତି ।  ଏନେଇ ଲିଖିତ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଭାରତୀ ଏବଂ ବନଖଣ୍ଡ ଅଧିକାରୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିବାରୁ ଉଭୟ  ମିଳିମିଶି ସୋମ୍ୟରଞ୍ଜନଙ୍କ ମୃତ୍ୟୁ ପାଇଁ ଯୋଜନା କରିଥିଲେ । ସୋମ୍ୟରଞ୍ଜନଙ୍କୁ ଡ୍ୟୁଟି ଆଳରେ ବିଭିନ୍ନ ସମୟରେ ବାହାରକୁ ପଠାଯାଉଥିଲା । ତାଙ୍କ ଅନିଚ୍ଛା ସତ୍ତ୍ବେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା ।  ଯାହାର ଫାଇଦା ନେଇ ବିଦ୍ୟାଭାରତୀଙ୍କ ସହ ମିଶିବାର ସୁଯୋଗ ପାଉଥିଲେ । ଡିଏଫଓଙ୍କ ଏଭଳି କାର୍ଯ୍ୟ କଳାପକୁ ସହଯୋଗ କରୁଥିଲେ ରୋଷେୟ । ଏଭଳି ଅଭିଯୋଗ କରିଛନ୍ତି ସୋମ୍ୟଙ୍କ ବଡଭାଇ ।

ଅର୍ଦ୍ଧଦଗ୍ଧ  ଅବସ୍ଥାରେ ଥିବାବେଳେ ଚିକିତ୍ସାରେ ଜାଣିଶୁଣି ବିଳମ୍ବ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ପରିବାର ଲୋକଙ୍କ କହିବା ଅନୁସାରେ ପାରଳାଖେମୁଣ୍ଡି ବିଶାଖାପାଟଣା ନିକଟରେ ହୋଇଥିବା ବେଳେ ଜାଣିଶୁଣି କଟକ ସ୍ଥାନାନ୍ତର କରାଗଲା । ଯାହା ଫଳରେ ସୋମ୍ୟଙ୍କ ଚିକିତ୍ସାରେ ବିଳମ୍ବ ହୋଇ ତାଙ୍କର ମୃତ୍ୟୁ ଘଟିଛି । ସୋମ୍ୟଙ୍କ ମୃତ୍ୟୁ ଘଟଣା ରହସ୍ୟମୟ ରହିଥିବା ବେଳେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀଙ୍କ ଉପରେ ଉଠିଛି ଅଙ୍ଗୁଳି । ଏସମ୍ପର୍କରେ ପ୍ରତିକ୍ରିୟା ରଖି  ଅଭିଯୋଗକୁ ଖଣ୍ଡନ କରିବା ସହ ଘଟଣାରେ ପୋଲିସର ତଦନ୍ତକୁ ସମ୍ପୂର୍ଣ୍ଣ ସହଯୋଗ କରିବି ବୋଲି କହିଛନ୍ତି ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା ।

ସେପଟେ ପରିବାର ଲୋକଙ୍କ ଅଭିଯୋଗ ପରେ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।  ତେବେ ଏହାର ତଦନ୍ତ କେଉଁଆଡେ ଯାଉଛି ଏବଂ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ କେବେ ଉନ୍ମୋଚିତ ହେଉଛି ତାହା ଦେଖିବା ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.