ମାଓ ଗଡରେ ଶିକ୍ଷକଙ୍କୁ ନିଆରା ବିଦାୟ: ପଡିଲା ଚିତା-ଝୋଟି, ପଞ୍ଚବାଦ୍ୟରେ ଦୁଲୁକିଲା ଗାଁ ଦାଣ୍ଡ, ଏମିତି ରହିଥିଲା ବିଦାୟକାଳୀନ ଦୃଶ୍ୟ...

Published By : Prameya-News7 Bureau | March 01, 2021 IST

ବଲାଙ୍ଗୀର ୦୧/୦୩: ମାଓ ଗଡରେ ଶିକ୍ଷକଙ୍କୁ ନିଆରା ବିଦାୟ। ଦୀର୍ଘ ୨୦ ବର୍ଷ ଧରି ଶିକ୍ଷକତା କରୁଥିବା ଶିକ୍ଷକଙ୍କୁ ମିଳିଛି ଲୋକଙ୍କ ଭରପୁର ଭଲପାଇବା ଓ ସ୍ନେହ ଶ୍ରଦ୍ଧା।  ପ୍ରତିଟି ଘର ସମ୍ମୁଖରେ ପଡିଲା ଝୋଟି ଚିତା ଏବଂ କଳସ । ପଞ୍ଚବାଦ୍ୟରେ ଦୁଲୁକି ଉଠୁଥିଲା ଗାଁ ଦାଣ୍ଡ। ଏକ ଲମ୍ବା ଶୋଭାଯାତ୍ରା । ରାସ୍ତା କଡରେ ଫୁଲମାଳ ଧରି ଠିଆ ହୋଇଥିଲେ ବୁଢ଼ାଠୁ ପିଲା । ଲାଗୁଥିଲା ସତେ ଯେମିତି ଗାଁ ଗସ୍ତରେ କୌଣସି ଜଣେ ବଡ ରାଜନେତା କିମ୍ବା ସରକାରୀ ବାବୁ ଆସୁଛନ୍ତି।  ଏସବୁ ଆୟୋଜନ ଦୀର୍ଘ ୨୦ବର୍ଷ ଧରି ମାଓ ପ୍ରବଣ ଖପ୍ରାଖୋଲ ବ୍ଲକ ଭାନପୁର ନୋଡାଲ ୟୁପି ସ୍କୁଲରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରିଆସିଥିବା ଶ୍ୟାମସୁନ୍ଦର ସାହୁଙ୍କ ବିଦାୟକାଳୀନ ମୁହୂର୍ତ୍ତର।

{"id":416622,"sizeSlug":"large","linkDestination":"none"}

ଭାନପୁର ଆଞ୍ଚଳିକ ସାଧନକେନ୍ଦ୍ର ଏବଂ ଶିକ୍ଷକମାନଙ୍କ ତରଫରୁ ଶ୍ରୀ ସାହୁଙ୍କୁ ଏଭଳି ଢ଼ଙ୍ଗରେ ବିଦାୟ ଦିଆଯାଇଛି । ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମୀନକେତନ ବରିହା ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ପରେ ଆଦର୍ଶ ଶିକ୍ଷକ ଶ୍ରୀ ସାହୁଙ୍କୁ ଭାନପୁର ଗାଁ ପରିଭ୍ରମଣ କରାଯାଇଥିଲା। ଗ୍ରାମବାସୀ ଭାବବିହ୍ଵଳ ପରିବେଶରେ ନିଜର ଆଦର୍ଶ ଶିକ୍ଷକଙ୍କୁ ବିଦାୟ ଦେଇଥିଲେ। ସଭାସ୍ଥଳକୁ ଆସିବା ପୂର୍ବରୁ ଶିକ୍ଷକଙ୍କୁ ନେଇ ଶୋଭାଯାତ୍ରା ହୋଇଥିଲା ।

{"id":416623,"sizeSlug":"large","linkDestination":"none"}

ତେଣୁ ଘରେ ଘରେ ଝୋଟି ଚିତା ଦେଇ କଲସ ସ୍ଥାପନ କରାଯାଇଥିଲା । ମହିଳାମାନେ ଶିକ୍ଷକଙ୍କୁ ଉପଢୌକନ ଦେଇ, ଗୋଡ଼ ଧୋଇ କାନ୍ଦି କାନ୍ଦି ବିଦାୟ ଦେଇଥିଲେ। ଦୀର୍ଘ ୨୦ବର୍ଷ ଧରି ନିରବିଛନ୍ନ ଭାବରେ ଭାଁନପୁର ଗାଁରେ ଶିକ୍ଷାଦାନ ଦେଇ ଗାଁ ବାସୀ ତଥା ଅଭିଭାବକ ମହଲରେ ସେ ପ୍ରିୟପାତ୍ର ହୋଇଥିଲେ। ନାଚ ଗୀତ ମାଧ୍ୟମରେ ଶିକ୍ଷାଦାନ ଦେଉଥିବାରୁ ଛାତ୍ରଛାତ୍ରୀ ମାନେ ପସନ୍ଦ କରୁଥିଲେ । ଏପରିକି ଗତ କରୋନା ସମୟରେ ସେ ସ୍କୁଲକୁ ନ ଯାଇ ମଧ୍ୟ ଗାଁ ମଣ୍ଡପରେ ସାମାଜିକ ଦୂରତାରେ ଛୁଆଙ୍କୁ ବସାଇ ଶିକ୍ଷାଦାନ କରୁଥିଲେ । ତେବେ ଏଭଳି ଏକ ଆଭ୍ୟନ୍ତରୀଣ ଅଞ୍ଚଳରେ ଏଭଳି ଜଣେ ଶିକ୍ଷକ ମିଳିବା ଭଗବାନଙ୍କ ଆଶୀର୍ବାଦ ବୋଲି ଗ୍ରାମବାସୀ କୁହନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.