ଛୋଟ ବୟସରେ ବଡ଼ ଅପରାଧ: ସହପାଠୀକୁ ଧମକ ଦେଇ ୫ ଲକ୍ଷ ଟଙ୍କା ହଡ଼ପ କଲା ସପ୍ତମ ଶ୍ରେଣୀ ଛାତ୍ର

Published By : Prameya-News7 Bureau | November 02, 2021 IST

ହାଇଦ୍ରାବାଦ ୦୨/୧୧: ସପ୍ତମ ଶ୍ରେଣୀରେ ଗ୍ୟାଙ୍ଗଷ୍ଟର । ବୟସ ୧୩ କିନ୍ତୁ ‘ଭାଇ’ ହେବାର ନିଶା ପ୍ରବଳ। କେବଳ ସେତିକି ନୁହେଁ ଛୋଟ ବୟସରେ ଥାନାରେ ବଟି ଆଦାୟ ନେଇ ମାମଲା ମଧ୍ୟ ରୁଜୁ ହୋଇଛି । ସାଧାରଣତଃ ଏହି ମୟସରେ ପିଲାମାନେ ଚକୋଲେଟ୍‌, ବିସ୍କୁଟ ଖାଇବାକୁ ଜିଦ କରନ୍ତି। ବେଳେ ବେଳେ ପିଲାଟି ଟାଙ୍କାଟିଏ କି ଦୁଇ ଟଙ୍କା ଚୋରି କରିନେବା ସାଧାରଣ କଥା। କିନ୍ତୁ ଏହି ଅଭ୍ୟାସ ଆଜି ୧୩ ବର୍ଷର ପିଲାକୁ ବଟି ଆଦାୟ କରିବାକୁ ପ୍ରେରଣା ଯୋଗାଇଛି । ବୟସ ୧୩ ବୁଦ୍ଧି କିନ୍ତୁ ଗ୍ୟାଙ୍ଗଷ୍ଟର । ନିଜର ସହପାଠୀକୁ ଧମକାଇ ଚୋରି କରିବାକୁ ବାଧ୍ୟ କରିଛି ସପ୍ତମ ଶ୍ରେଣୀର ପିଲା।

୧୦ କି ୧୦୦ ନୁହେଁ ୫ ଲକ୍ଷ ଟଙ୍କା ଆଦାୟ କରିଛି । ସହପାଠୀ ଠାରୁ ବହି ଛଡ଼େଇ ନେଇ ପ୍ରତିବଦଳରେ ଟଙ୍କା ଦାବି କରିଥିଲା ଅଭିଯୁକ୍ତ। ଘରୁ ଟଙ୍କା ଆଣି ଦେଲେ ହିଁ ବହି ଫେରାଇବି ବୋଲି ଧମକ ଦେଇଥିଲା। ଏଥିରେ ଛୋଟ ପିଲାଟି ଭୟରେ ବାପା ଟଙ୍କା ରଖିଥିବା ଆଲମିରାରୁ ୫ ଲକ୍ଷ ଟଙ୍କା ଆଣି ଧରେଇ ଦେଇଥିଲା ସାଙ୍ଗ ହାତକୁ। ଅଭିଯୁକ୍ତ ଏ ଟଙ୍କାକୁ ନେଇ ନିଜର ମାମୁଁ ଏବଂ ମାକୁ ଦେଇଥିଲା । ଏ ସବୁ ଘଟଣା ଜଣାପଡ଼ିଲା ଯେତେବେଳେ ଟଙ୍କା ଦେଇଥିବା ପିଲାର ବାପା ଆଲମିରା ଦେଖିଥିଲେ। ସେ ଜଣେ ଗାଡ଼ି ମେକାନିକ୍‌ ଭାବେ କାମ କରନ୍ତି । ଆଲାମିରାରୁ ଏତେ ଗୁଡ଼ାଏ ଟଙ୍କା ଗାଏବ ହୋଇଥିବା ନେଇ  ମେକାନିକ ଜଣଙ୍କ ପରିବାର ଲୋକଙ୍କୁ ପଚାରିଥିଲେ।

କେହି କିଛି ଜାଣିନଥିବା ବେଳେ ଛୋଟ ପୁଅଟିକୁ ପଚରାଯାଇଥିଲା। ସେ ଭୟରେ ସମସ୍ତ ଘଟଣା ବଖାଣିଥିଲା। ଏହି ଘଟଣାଟି ହାଇଦ୍ରାବଦର ବଞ୍ଜାରା ହିଲ୍ସ ଥାନା ଅଞ୍ଚଳରେ ଘଟିଛି । ଜେହରାନଗରର ୩୫ ବର୍ଷୀୟ ମେକାନିକ୍‌ ପୁଅ ପାଖରୁ ସବୁ ଶୁଣି ସାରିବା ପରେ ବଞ୍ଜାରା ହିଲ୍ସ ଥାନାରେ ପହଞ୍ଚିଥିଲେ । ସମସ୍ତ ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ହତବାକ ହୋଇଯାଇଥିଲା ।

ପୁଅକୁ ସହପାଠୀ ମାଡ଼ ମାରିଥିବା ମଧ୍ୟ ମେକାନିକ୍‌ ଜଣଙ୍କ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପ​‌ରେ ପୋଲିସ ସମ୍ପୃକ୍ତ ପିଲା ନାଁରେ ବଟି ଆଦାୟ ନେଇ ମାମଲା ରୁଜୁ କରିଛି ବୋଲି ଇନ୍ସପେକ୍ଟର ମହମ୍ମଦ ହାଫିଜୁଦ୍ଦିନ କହିଛନ୍ତି। ଏହା ସହ ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ବାଳକକୁ ଏନେଇ ପଚରା ଉଚରା କରିବା ପରେ ସେ ସମସ୍ତ ଘଟଣା ସମ୍ପର୍କରେ ମାନିଛି। ସବୁ ଟଙ୍କା ନେଇ ନିଜ ମାମୁଁ ଏବଂ ବଜରଘାଟରେ ରହୁଥିବା ମାକୁ ଦେଇଛି। ତେବେ ଚୋରି ଟଙ୍କା ନେଇଥିବା ଉଭୟ ପରିବାର ସଦସ୍ୟଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିବା ମଧ୍ୟ ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.