କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇ ସାରିଛି, ସତ୍ୟ ସ୍ଵୀକାର କରନ୍ତୁ ସରକାର: ବିଶେଷଜ୍ଞ
13/06/2020 at 4:39 PM

ନୂଆଦିଲ୍ଲୀ ୧୩।୦୬: ଦେଶରେ କରୋନା ସଂକ୍ରମଣ ସାଙ୍ଘାତିକ ରୂପ ନେଇଛି। ଦିନକୁ ୧୦ ହଜାରରୁ ଅଧିକ ସଂଖ୍ୟାରେ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ICMR)ର ସିରୋସର୍ଭେ ଅନୁଯାୟୀ ଦେଶରେ ଏ ପର୍ଯ୍ୟନ୍ତ ଏହାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ନାହିଁ। ମାତ୍ର ବିଶେଷଜ୍ଞଙ୍କ ଅନୁଯାୟୀ ଆଇସିଏମଆରର ସର୍ଭେରେ ଦେଶର ବାସ୍ତବ ସ୍ଥିତି ପ୍ରତିଫଳିତ ହେଉ ନାହିଁ ଏବଂ ସରକାର ସତ୍ୟ ସ୍ଵୀକାର କରିବାରେ ପଛଘୁଞ୍ଚା ଦେଉଛନ୍ତି।
ବିଶେଷଜ୍ଞଙ୍କ କହିବା କଥା ଦେଶରେ ଅନେକ ଭାଗରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ସାରିଛି। ସରକାରଙ୍କୁ ଏହାର ସତ୍ୟତାକୁ ସ୍ଵୀକାର କରିବା ଉଚିତ୍। ଯଦ୍ଵାରା ଲୋକଙ୍କୁ ଆତ୍ମ ମୁଗ୍ଧତାରୁ ରକ୍ଷା କରାଯାଇ ପାରିବ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି। ଭାରତ ଦୁନିଆରେ ସର୍ବାଧିକ କରୋନା ସଂକ୍ରମିତ ଦେଶ ତାଲିକାରେ ଆମେରିକା, ବ୍ରାଜିଲ୍ ଓ ରୁଷ ପରେ ଚତୁର୍ଥ ସ୍ଥାନରେ ରହିଛି।

ଆଇସିଏମଆରର ନିର୍ଦ୍ଦେଶକ ଜେନେରାଲ ବଳରାମ ଭାର୍ବବ ଗୁରୁବାର ସିରୋସର୍ଭେ ରିପୋର୍ଟ ଜାରି କରି କହିଥିଲେ ଯେ, ଭାରତରେ ଏବେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ନାହିଁ। ମାତ୍ର ବାୟୋରୋଲୋଜି, ପବ୍ଲିକ୍ ହେଲ୍ଥ ଓ ମେଡିସିନର ବିଶେଷଜ୍ଞ ଏଥିରେ ସହମତ ନୁହନ୍ତି। ଦେଶରେ କରୋନା ଭୂତାଣୁ ସଂକ୍ରମଣର ବାସ୍ତବତା ଜାଣିବା ଲାଗି ପ୍ରଥମ ଥର ସିରୋସର୍ଭେ କରାଯାଇଥିଲା। ୬୫ ଜିଲ୍ଲାରେ ୨୬,୪୦୦ ଲୋକଙ୍କ ମଧ୍ୟରେ କରାଯାଇଥିବା ଏହି ସର୍ଭେରେ ୦.୭୩ ପ୍ରତିଶତ ଲୋକଙ୍କଠାରେ କରୋନା ଚିହ୍ନଟ ହୋଇଛନ୍ତି।
ଏତେ ବଡ ଦେଶରେ ଏହି ସର୍ଭେ ପର୍ଯ୍ୟାପ୍ତ ନୁହେଁ
ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡ. ଏମ ସି ମିଶ୍ରଙ୍କ ଅନୁଯାୟୀ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଅନେକ ଅଞ୍ଚଳରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ସାରିଛି। ସେ କହିଛନ୍ତି ବଡ ଧରଣରେ ପଳାୟନ ଓ ଲକ୍ଡାଉନ୍ର କୋହଳ କାରଣରୁ ଏବେ କରୋନା ସଂକ୍ରମିତ ହୁ ହୁ ହୋଇ ବଢିବାରେ ଲାଗିଛି। ଏବେ ଏହି ରୋଗ ସେହି ଅଞ୍ଚଳରେ ମଧ୍ୟ ବ୍ୟାପିବା ଆରମ୍ଭ କରିଛି, ଯେଉଁଠି କେବେ ଗୋଟିଏ ହେଲେ କରୋନା କେସ୍ ନଥିଲା। ସମୟ ଆସି ଯାଇଛି ସରକାରଙ୍କୁ ସତ୍ୟ ସ୍ଵୀକାର କରିବା ଉଚିତ୍ ଯଦ୍ଵାରା ଲୋକ ଏହାକୁ ନେଇ ଅଧିକ ସତର୍କ ହୋଇ ପାରିବେ ଏବଂ କରୋନାକୁ ହାଲୁକାରେ ନେବେ ନାହିଁ।