Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଭିଡ୍ ସଂକ୍ରମିତଙ୍କ ପାଇଁ ଅଧିକ ବ୍ୟାୟାମ ହୋଇପାରେ ବୁମେରାଂ, ଖେଳାଳିମାନେ ଅଧିକ ସତର୍କ ରହିବା ଜରୁରୀ

16/09/2020 at 9:57 PM

ନ୍ୟୁୟର୍କ ,୧୬ ।୦୯: ସାରା ବିଶ୍ୱରେ କରୋନା ଆତଙ୍କ ଜାରି ରହିଛି । ଏହି ମାରାତ୍ମକ ଭାଇରସ ପ୍ରତିଦିନ ହଜାର ହଜାର ଜୀବନ ନେଉଛି । ତେବେ ଏହି କୋଭିଡ-୧୯ଭାଇରସକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ଭାଇରସ କେବଳ ଫୁସଫୁସକୁ ସଂକ୍ରମିତ କରୁନାହିଁ ବରଂ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ କ୍ଷତି ପହଁଚାଉଛି । ତେବେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ  ହୋମ୍ ଆଇସୋଲେସନରେ ଥିବା ବେଳେ ୨୦ରୁ ୩୦ ପ୍ରତିଶତ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ।

ଏବେ ନୂଆ ତଥ୍ୟ ଆସୁଛି ଯେ, ଏହି ଭାଇରସ ହୃତପିଣ୍ଡକୁ ମଧ୍ୟ କ୍ଷତି ପହଁଚାଉଛି । ଅନେକଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି । ତେବେ ଅନେକ ସଂକ୍ରମିତ ବ୍ୟାୟାମ କରୁଥିଲେ ସେମାନଙ୍କଠାରେ ଏପରି ସମସ୍ୟା ଦେଖାଯାଉଛି ।

ଗବେଷଣାରୁ ଜଣାପଡିଛି ଯେ, କରୋନା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଥାଏ । ଫଳରେ ସଂକ୍ରମିତ ବ୍ୟକ୍ତି ଅଧିକ ସମୟ ଆରାମ କରିବା ଉଚିତ୍ । ତେବେ ବ୍ୟାୟାମ କିମ୍ବା ଖେଳ କୁଦ କଲେ ହୃତପିଣ୍ଡ ଉପରେ ପ୍ରଭାବ ପଡିବା ସହ ଦୁର୍ବଳତା, ଶ୍ୱାସକ୍ରିୟାରେ ସମସ୍ୟା ଓ ଏପରିକି ଅକାଳ ବିୟୋଗ ମଧ୍ୟ ହୋଇପାରେ ।

ନିକଟରେ ଫ୍ଲୋରିଡାର ଜଣେ ବାସ୍କେଟ ବଲ୍ ଖେଳାଳି ମାଇକେଲ୍ ଓଜୋ ଏକ ପ୍ରୋ ଲିଗ୍ ଖେଳିବା ବେଳେ ପ୍ରାଣ ହରାଇଥିଲେ । ଏହାପୂର୍ବରୁ ସେ କରୋନାରୁ ଆରୋଗ୍ୟ ଲାଭ କରିଥିଲେ । ଏହି ଘଟଣା ପରେ ଓହିଓ ଷ୍ଟୋଟ୍ ୟୁନିଭର୍ସିଟି ଗାଇଡଲାଇନ୍ ଜାରି କରିଥିଲା । କୌଣସି ଖେଳରେ ଭାଗ ନେବା ପୂର୍ବରୁ ଶରୀରର ସମସ୍ତ ଯାଞ୍ଚ୍ ଆବଶ୍ୟକ ବୋଲି ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି ।

ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, କରୋନା ହୃଦୟକୁ ମଧ୍ୟ କ୍ଷତି ପହଁଚାଉଛି । ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ ଅନେକ ସମୟରେ ହୃତପିଣ୍ଡ ଠିକସେ କାମ କରୁନାହିଁ । ନିକଟରେ ଜର୍ମାନୀରେ ୧୦୦ଜଣ ବ୍ୟକ୍ତିଙ୍କ ଉପରେ ଏକ ଗବେଷଣା ହୋଇଥିଲା । ଏହି ବ୍ୟକ୍ତିମାନେ କରୋନା ସଂକ୍ରମିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭୮ଜଣଙ୍କ ହୃତପିଣ୍ଡରେ ସମସ୍ୟା ଥିବା ଜଣା ପଡିଥିଲା । ତେଣୁ ସେମାନଙ୍କୁ କୌଣସି କଠିନ ପରିଶ୍ରମ କିମ୍ବା ବ୍ୟାୟାମ କରିବାକୁ ବାରଣ କରାଯାଇଥିଲା ।

ଆମେରିକାରେ ଏବେସୁଦ୍ଧା ପ୍ରାୟ ୫ କୋଟି ଲୋକ କରୋନା ସଂକ୍ରମିତ ହେବେ ବୋଲି ଅନୁମାନ କରିଛନ୍ତି ସ୍କ୍ରିପସ୍ ରିସର୍ଚ୍ଚ ଟ୍ରାନ୍ସଲେସନାଲ୍ ଇନଷ୍ଟିଚ୍ୟୁଟର ଗବେଷକ ଟୋପୋଲ । ଏବେସୁଦ୍ଧା ୬୫ ଲକ୍ଷ ଆମେରିକୀୟ ନାଗରିକ ପଜିଟିଭ୍ ଚିହ୍ନଟ ହୋଇ ସାରିଥିବା ବେଳେ ପ୍ରାୟ ୫ ଲକ୍ଷ ସଂକ୍ରମିତଙ୍କଠାରେ ହୃତପିଣ୍ଡରେ ସମସ୍ୟା ଦେଖିବାକୁ ମିଳିଛି ।

   Related Posts