Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅବକାରୀ ବିଭାଗର ଚଢାଉ : ୧୦୦ ଲିଟରରୁ ଉର୍ଦ୍ଧ୍ବ ଚୋରା ମଦ ଜବତ, ୩ ଗିରଫ

6/05/2021 at 3:11 PM

ରାଇରଙ୍ଗପୁର ୬।୫: କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଛଡା ଅନ୍ୟ ସମସ୍ତ ଦୋକାନ ବନ୍ଦ ରହୁଛି । ଏହାର ସୁଯୋଗ ନେଇ ଚୋରା ମଦ ବ୍ୟବସାୟୀ ବେଶ୍ ସକ୍ରିୟ ହୋଇ ଉଠିଛନ୍ତି । ଲକ୍ ଡାଉନ୍ ପୂର୍ବରୁ ବିପୁଳ ପରିମାଣର ବିଦେଶୀ ମଦ ସହିତ ବିୟର ଗଚ୍ଛିତ ରଖି ଚଢା ଦାମରେ ବିକ୍ରି କରୁଥିଲେ । ପେଟି ପେଟି ମଦ ଗାଡିମାନଙ୍କରେ ଖୁଲମଖୁଲା ଭାବରେ ବୁହା ଯାଉଥିବା ବେଳେ ପୋଲିସ ସବୁ ଜାଣି ମଧ୍ୟ ନ ଜାଣିବା ପରି ବସି ରହିଥିଲା । କିନ୍ତୁ ଅବକାରୀ ବିଭାଗର ତତ୍ପରତା ଚୋରା ମଦ ବେପାରୀଙ୍କ ସବୁ ଆଶାକୁ ପଣ୍ଡ କରିବା ସହିତ କୋକୁଆ ଭୟ ସୃଷ୍ଟି କରିଛି ।

ରାଇରଙ୍ଗପୁର ସହରର କିଛି ପ୍ରମୁଖ ସ୍ଥାନରେ ବେଧଡକ ମଦ ବିକ୍ରି ହେଉଥିବା ସୂଚନା ପାଇ ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରିଥିଲା । ରାଇରଙ୍ଗପୁର ମହାବିଦ୍ୟାଳୟ ଛକ ନିକଟ ଦୋକାନରୁ ୩୦ ଲିଟରରୁ ଅଧିକ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଓ ୪୬ ଲିଟରରୁ ଅଧିକ ବିୟର ସହିତ କାରବାରରେ ଲିପ୍ତ ମଳୟ ବସନ୍ତ ଦାସ ନାମକ ବେପାରୀକୁ ଗିରଫ କରିଛି ।

ସେହିପରି ବାଇଦାପୋଷିରୁ ସାଢ଼େ ଆଠ ଲିଟର ବିଦେଶୀ ଓ ଦେଢ଼ ଲିଟର ଦେଶୀ ମଦ ସହିତ ଲକ୍ଷଣ ବାରିକକୁ ଗିରଫ କରିବା ସହିତ କଣ୍ଟାବଣୀରୁ ୭ ଲିଟରରୁ ଅଧିକ ବିଦେଶୀ ଓ ୫ ଲିଟର ଦେଶୀ ମଦ ସହିତ ଉଜ୍ଜଳ ଘୁଣିଆ ନାମକ ବେପାରୀକୁ ଗିରଫ କରିଛି । ଲକ୍ ଡାଉନ୍ ର ଦ୍ବିତୀୟ ଦିନରେ ଅବକାରୀ ବିଭାଗ ସହରର ପ୍ରମୁଖ ସ୍ଥାନରୁ ୧୦୦ ଲିଟରରୁ ଉର୍ଦ୍ଧ୍ବ ଚୋରା ମଦ ଜବତ କରିବା ନେଇ ସାଧାରଣରେ ପ୍ରଶଂସା କରା ଯାଉଥିବାବେଳେ ପୋଲିସ ଚୋରା ବେପାରୀଙ୍କ ଟେର ନ ପାଉଥିବାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି ।

   Related Posts