ମଦ ଯୋଗୁଁ ରାଜ୍ୟର ଛାତ୍ର ଓ ଯୁବଗୋଷ୍ଠୀ ଉଦଭ୍ରାନ୍ତ ହେଉନାହାନ୍ତି କି ଗ୍ରାମାଞ୍ଚଳର ଜନ ଜୀବନ ଓ ଅର୍ଥନୀତି ବିପନ୍ନ ହେଉନାହିଁ ବୋଲି କହିଲେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ

Published By : Prameya-News7 Bureau | November 19, 2019 IST

ଭୁବନେଶ୍ବର୧୯\୧୧: ରାଜ୍ୟରେ ମଦର ପ୍ରସାରକୁ ନେଇ ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ଓ ଅନଶନ ଚାଲିଥିବାବେଳେ ରାଜ୍ୟର ଅବକାରୀ ମନ୍ତ୍ରୀଙ୍କ ଏକ ବୟାନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ କଥାକୁ ସମସ୍ତେ ହୃହଙ୍ଗମ କରୁଛନ୍ତି ଯେ, ମଦ ଯୋଗୁଁ ରାସ୍ତା ଦୁର୍ଘଟଣା ବଢୁଛି, ପାରିବାରିକ ହିଂସା ବୃଦ୍ଧି ପାଉଛି, ସାଧାରଣ ହିଁସାର ଏକ ବଡ କାରଣ ହେଉଛି ମଦ, ଗ୍ରାମଞ୍ଚଳର ଅର୍ଥନୀତି ଉପରେ ମଦର କୁ ପ୍ରଭାବ ମଧ୍ୟ ବେଶ ସୁଦୃଶ୍ୟ । ମଦ ଯୋଗୁଁ ସମାଜରେ କେତେ କେତେ ଅଘଟଣ ଓ ଅଭାବନୀୟ ଘଟଣା ଘଟୁଛି ତାହା କହିବାର ଆବଶ୍ୟତା ନାହିଁ । ତେବେ ରାଜ୍ୟର ଅର୍ଥମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀଙ୍କ ମତ କିନ୍ତୁ ଏ ପ୍ରସଂଗରେ ସମ୍ପୂର୍ଣ୍ଣ ଭିନ୍ନ । ମଦ ପ୍ରଭାବରେ ଛାତ୍ର ଓ ଯୁବଗୋଷ୍ଠୀ ଉଦଭ୍ରାନ୍ତ ହେବା ସହ ଗ୍ରାମାଞ୍ଚଳରେ ଜନ ଦୀବନ ଓ ଅର୍ଥନୀତି ମଦ ଯୋଗୁଁ ବିପନ୍ନ ହେବା ସତ କଥା ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । ଖୋଦ ଶାସକ ଦଳ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଅଣ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଦେବା ବେଳେ ମନ୍ତ୍ରୀ ଏଭଳି ମତବ୍ୟକ୍ତ କରିଛନ୍ତି ।

ବିଧାନସଭାର ଅଣ ତାରକା ପ୍ରଶ୍ନ ସଂଖ୍ୟ ୬୨୫ରେ ବିଧାୟକ ଶ୍ରୀ ପଟ୍ଟନାୟ ମନ୍ତ୍ରୀଙ୍କଠାରୁ ଜାଣିବାକୁ ଚାହିଁ ଥିଲେ ଯେ, ରାଜ୍ୟରେ ଦେଶୀ ଓ ବିଦେଶୀ ମଦ ଦୋକାନ ସଂଖ୍ୟା ୨୦୧୪ରେ କେତେ ଥିଲା ଓ ୨୦୧୯ ମାର୍ଚ୍ଚମାସ ସୁଦ୍ଧା ତାହା କେତେରେ ପହଞ୍ଚିଛି । ଅବକାରୀ ରାଜସ୍ବ ଏହି ୫ ବର୍ଷରେ କେତେରୁ କେତେ ବୃଦ୍ଧି ପାଇଛି । ଅବକାରୀ ରାଜସ୍ବ ବୃଦ୍ଧି ମଦର ପ୍ରସାରକୁ ଇଙ୍ଗିତ କରୁନାହିଁ କି ? ମଦ ପ୍ରଭାବରେ ଛାତ୍ର ଓ ଯୁବଗୋଷ୍ଠୀ ଉଦଭ୍ରାନ୍ତ ହେବା ସହ ଗ୍ରାମାଞ୍ଚଳରେ ଜନ ଜୀବନ ଓ ଅର୍ଥନୀତି ବିପନ୍ନ ହେଉଥିବାରୁ ସରକାର ନିରପେକ୍ଷ ସର୍ଭେ କରି ସନ୍ତୁଳିତ ଅବକାରୀ ନୀତି ନୀତି ଆଣିବେ କି ?

ବିଧାୟକଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ରାଜ୍ୟରେ ଦେଶୀ ଓ ବିଦେଶୀ ମଦ ଦୋକାନ ସଂଖ୍ୟ ୨୦୧୪ ମସିହାରେ ୩୪୯୦ଟି ଥିବାବେଳେ ୨୦୧୯ ମାର୍ଚ୍ଚମାସ ସୁଦ୍ଧା ୩୫୭୬ ହୋଇଛି । ଏହି ସମୟ ମଧ୍ୟରେ ଅବକାରୀ  ରାଜସ୍ବ ୧୭୮୦.୨୯କୋଟି ଟଙ୍କାରୁ ୩୯୨୫.୪୧କୋଟିକୁ ବୃଦ୍ଧି ପାଇଛି । ତେବେ ମନ୍ତ୍ରୀ କହିଛନ୍ତି ଯେ, ଅବକାରୀ ରାଜସ୍ବ ବୃଦ୍ଧି ମଦର ପ୍ରସାର ଯୋଗୁଁ ହେଉଥିବା କଥା ତଥ୍ୟ ଭିତ୍ତିକ ନୁହେଁ । ପ୍ରତିବର୍ଷ ସରକାର ଏପ୍ରିଲ ମାସ ୧ ତାରିଖରୁ ନୂତନ ଅବକାରୀ ନୀତି ପ୍ରଣୟନ କରିଥାନ୍ତି । ଅବକାରୀ ନୀତିରେ ଦେଶୀ –ବିଦେଶୀ ମଦ ଦୋକାନର ଲାଇସେନ୍ସ ଫି, ଶୁଳ୍କ ଇତ୍ୟାଦି ବୃଦ୍ଧି କରିଥାନ୍ତି ।

ସେହିଭଳି ମଦ ପ୍ରଭାବରେ ଛାତ୍ର-ଯୁବ ଗୋଷ୍ଠୀ ଉଦଭ୍ରାନ୍ତ ହେବା ସହ ଗ୍ରାମାଢ୍ଚଳରେ ଜନଜୀବନ ଓ ଅର୍ଥନୀତି ବିପନ୍ନ ହେଉଥିବା କଥା ତଥ୍ୟ ଭିତ୍ତିକ ନୁହଁ ବୋଲି ମଧ୍ୟ ମନ୍ତ୍ରୀ ନିଜ ଉତ୍ତରରେ କହିଛନ୍ତି । ମଦର ପ୍ରସାର କରି ଅବକାରୀ ରାଜସ୍ବ ବୃଦ୍ଧି କରିବା ତଥା ଗ୍ରାମାଞ୍ଚଳରେ ଜନ ଜୀବନ ନଷ୍ଟ କରିବା ସରକାରଙ୍କର ଅଭିପ୍ରାୟ ନୁହେଁ । ଚୋରା ମଦକୁ ପ୍ରତିହତ କରିବା ପାଇଁ ଏବଂ କୌଣସି ଅଞ୍ଚଳରେ ମଦ୍ୟପାନ ସହ ଅଭ୍ୟସ୍ତ ଥିବା ବ୍ୟକ୍ତିମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ଉପଯୁକ୍ତ ମୂଲ୍ୟରେ ସଠିକମାନର ମଦଯୋଗାଇଦେବା ନିମନ୍ତେ ସରକାର ଲାଇସେନ୍ସ ପ୍ରାପ୍ତ ଦେଶୀ ଓ ବିଦେଶୀ ଖୁଚୁରା ବିକ୍ରୟ କେନ୍ଦ୍ର ନିମନ୍ତେ ଅନୁମତି ଦେଇଥାନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀଙ୍କ ଏଭଳି ବିବୃତ୍ତିରୁ ସେ ଦେଉଥିବା ତଥ୍ୟ ଓ ସେ କହୁଥିବା କଥା ଭିତରେ କେତେ ବିରୋଧାଭାସ ରହିଛି ତାହା ସ୍ପଷ୍ଟ ଜଣାପଡୁଛି । ଦେଶର ବିଭିନ୍ନ ରାଜ୍ୟ ମଦ ପ୍ରଚଳନ ଓପରେ କଟକଣା ଜାରୀ କରିସାରିଛନ୍ତି । କିନ୍ତୁ ରାଜ୍ୟ ସରକାର ମଦ ଉପରେ କଟକଣା ବଦଳରେ ଦିନକୁ ଦିନ ଅଧିକ ସଂଖ୍ୟକ ମଦ ଦୋକାନ ଖୋଲିବାରେ ଲାଗିଛନ୍ତି । ଏହାର ପରିଣାମ କଣ ହେଉଛି ତାହା ସମସ୍ତେ ଜାଣନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.