କରୋନା କାରଣରୁ କର୍ଣ୍ଣାଟକ ଅବକାରୀ ବିଭାଗର ରାଜକୋଷ ଖାଲି, କର୍ମଚାରୀଙ୍କୁ ଦରମା ଦେବାକୁ ପଇସା ନାହିଁ

Published By : Prameya-News7 Bureau | April 28, 2020 IST

ବେଙ୍ଗାଲୁରୁ ୨୮।୦୪: କରୋନା ଭାଇରସ୍‌ କାରଣରୁ ଦେଶର ଅର୍ଥବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ରାଜ୍ୟଗୁଡିକର ସ୍ଥିତି ମଧ୍ୟ ଦୟନୀୟ ହେବାରେ ଲାଗିଛି। ପ୍ରଥମେ ଆସାମର ରାଜକୋଷ ଖାଲି  ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଏବେ ଏହି ପରି ଖବର କର୍ଣ୍ଣାଟକରୁ ଆସିଛି। କର୍ଣ୍ଣାଟକ ଅବକାରୀ ବିଭାଗର ଅବସ୍ଥା ଏମିତି ହୋଇଛି ଯେ, କର୍ମଚାରୀଙ୍କୁ ବେତନ ଦେବାକୁ ପଇସା ନାହିଁ। ଏହାକୁ ନେଇ ଅବକାରୀ ମନ୍ତ୍ରୀ ଏଚ ନାଗେଶ ବହୁତ ଚିନ୍ତିତ। ସେ କହିଛନ୍ତି ବିଭାଗ ପାଖରେ ଦରମା ଦେବାକୁ ପଇସା ନାହିଁ। ଏପରିକି ଅନ୍ୟ ସରକାରୀ ଖର୍ଚ୍ଚ ପାଇଁ ମଧ୍ୟ ପଇସା ନାହିଁ। ଏନେଇ ଅବକାରୀ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ସହ ଏହି ବିଷୟରେ ଆଲୋଚନା କରି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୫ରୁ ଜାରି ଲକ୍‌ଡାଉନ୍‌ କାରଣରୁ ସମଗ୍ର ଦେଶରେ ମଦ ଦୋକାନ ବନ୍ଦ ରହିଛି। ଏହି କାରଣରୁ କର୍ଣ୍ଣାଟକ ସରକାରଙ୍କୁ ପ୍ରତ୍ୟେକ ମାସରେ ୧୮୦୦ କୋଟି ଟଙ୍କା କ୍ଷତି ଘଟୁଛି। ନାଗେଶ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ମେ ୩ରୁ ମଦ ବିକ୍ରି ଉପରେ କିଛିଟା ରିହାତି ଦେବାକୁ କହିଛନ୍ତି। ମାତ୍ର ମୁଖ୍ୟମନ୍ତ୍ରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। ନାଗେଶ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କଠୁ କିଛି ରିହାତି ପାଇବେ ବୋଲି ଆଶା ରହିଛି।

{"id":261418,"sizeSlug":"large"}

ଉଲ୍ଲେଖଯୋଗ୍ୟ, ଦେଶରେ ଲକ୍‌ଡାଉନ୍ ଅବଧି ମେ ୩ରେ ଶେଷ ହେବାକୁ ଯାଉଛି। ଏମିତିରେ ଲୋକେ ଆଶା ରଖିଛନ୍ତି ଯେ, ମେ ୪ରୁ ଲକ୍‌ଡାଉନ୍‌ ଖୋଲିଯିବ। ଅନ୍ୟପଟେ ଅଧିକାଂଶ ଲୋକଙ୍କ କହିବା କଥା ଲକ୍‌ଡାଉନ୍‌ ଖୋଲିବା ଉଚିତ୍ ନୁହେଁ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀଙ୍କ ସହ ଗତକାଲି ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଥିଲେ।

ଏହି  ବୈଠକରେ ଅଧିକାଂଶ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ରେ ରିହାତି ଦେବା କଥା କହିଥିଲେ ମଧ୍ୟ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ହଟାଇବା କଥା କହି ନାହାନ୍ତି। କୁହାଯାଉଛି ଯେ, ହଟ୍‌ସ୍ପଟ୍‌ ଓ କଣ୍ଟେନମେଣ୍ଟ ଅଞ୍ଚଳରେ ଲକ୍‌ଡାଉନ୍‌ ପୂର୍ବବତ ବଳବତ୍ତର ରହିପାରେ ଏବଂ ଗ୍ରୀନଜୋନ୍‌ ଅଞ୍ଚଳରେ ଲକ୍‌ଡାଉନ୍‌ରେ ରିହାତି ମିଳିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.