ଲୁଚି ଛପି କରୁଥିଲେ କାରବାର, ପହଞ୍ଚିଗଲା ଅବକାରୀ ବିଭାଗ, ୪ ଗିରଫ

Published By : Prameya-News7 Bureau | April 22, 2021 IST

ନୀଳଗିରି, ୨୨/୪: ବାଲେଶ୍ଵର ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶରେ ନୀଳଗିରି ଅବକାରୀ ବିଭାଗର ଏକ ଟିମ ବିଭିନ୍ନ ଅଂଚଳରେ ଚଢ଼ାଉ କରି ଦୁଇ ହଜାର ଲିଟର ପୋଚ, ୧୫୩ ଲିଟର ଦେଶୀମଦ, ଦୁଇଟି ସାଇକେଲ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ସୂଚନାଯୋଗ୍ୟ, ଆଜି ନୀଳଗିରି ଅବକାରୀ ଓଆଇସି ହରପ୍ରସାଦ ରଣାଙ୍କ ତତ୍ତ୍ୱାବଧାନରେ ଏକ ଟିମ ଅଚାନକ ବିଭିନ୍ନ ଅଂଚଳରେ ଚଢ଼ାଉ ଆରମ୍ବ କରିଥିଲେ । ବରମପୁର ଥାନା ଅଧିନ ଭାଲିଆପୁସି ଅଂଚଳରେ ଏକ ଚୋରା ମଦ ଭାଟିରେ ଚଢ଼ାଉ କରିବା ପରେ ସେଠାରୁ ୨ ହଜାର ଲିଟର ପୋଚ ଜବତ କରାଯାଇଥିବା ବେଳେ ଚୋରା ମଦ ବେପରୀ ଫେରାର ହୋଇ ଯାଇଥିଲେ ।

ଏହାପରେ ସଜନାଗଡ଼ ଅଂଚଳରେ ଚଢ଼ାଉ କରି ଇନ୍ଦ୍ର ମାଣିକ (୪୨)ଙ୍କ ଠାରୁ ୨୨ ଲିଟର ଦେଶୀ ମଦ ସହ ଏକ ସାଇକେଲ ଜବତ କରାଯାଇଛି । ସେହିପରି କୁମୁଡିହା ଅଂଚଳର ଉମାକାନ୍ତ ଶତପଥୀ(୪୯)ଙ୍କ ଠାରୁ ୨୧ ଲିଟର ଦେଶୀ ମଦ ଓ ସାଇକେଲ ଜବତ କରାଯାଇଛି ।

ସେହିପରି ଚଣ୍ଡୀପୁର ଅଂଚଳରୁ ସଂଯୁକ୍ତା ସିଂ (୪୦) ଓ ବଉଳଗଡ଼ିଆ ଅଂଚଳର ରାମସାଇ ମାଝୀ (୪୫)ଙ୍କ ଠାରୁ ମୋଟ ୧୧୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଏନେଇ ପୃଥକ ୫ ଟି ମାମଲା ରୁଜୁ ହେବା ସହ ଗିରଫ ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.