ପାଟଣା ବ୍ଲକରେ ଅବକାରୀ ବିଭାଗର ଚଢାଉ, ୪୫ ଲିଟର ଦେଶୀ ମଦ ଜବତ, ୩ ଗିରଫ
19/12/2020 at 9:55 PM

ପାଟଣା ୧୯।୧୨: କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକରେ ବିଦେଶୀ ମଦ ବିକ୍ରି ପ୍ରଚୁର ମାତ୍ରାରେ ବଢିଥିବା ବେଳେ ଅନ୍ୟପଟେ ଶନିବାର କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ପାଟଣା, ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ଏହି ଚଢ଼ାଉରେ ଅବକାରୀ ବିଭାଗ ୪୫ ଲିଟର ଦେଶୀ ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି।
ଅବକାରୀ ବିଭାଗ ପାଟଣାଥାନା ସାନନାଳୀ ଗ୍ରାମରୁ ତପର ମୁଣ୍ଡା, ଏରେଣ୍ଡେଇ ଗ୍ରାମରୁ ମହାଦେବ ମହାନ୍ତ, ତୁରୁମୁଙ୍ଗା ଥାନା ଖଜିରା ପାଟ ଗ୍ରାମରୁ ପ୍ରଦୀପ କୁମାର ମହାକୁଡ଼ ଆଦିଙ୍କ ଘର ଉପରେ ଚଢାଉ କରି ୪୫ ଲିଟର ଦେଶୀ ମଦ ସହ ୩ ଜଣଙ୍କୁ ଗିରଫ କରିଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରିଯାଇଥିବା ପାଟଣା ଅବକାରୀ ବିଭାଗର ଇନ୍ସପେକ୍ଟର ଦିଲ୍ଲୀପ କୁମାର ତାଣ୍ଡି ସୂଚନା ଦେଇଛନ୍ତି ।