ଦିଲ୍ଲୀ ସରକାରଙ୍କୁ ଘାରିଛି ଅବକାରୀ ରାଜସ୍ୱ ଚିନ୍ତା ! ଜାଣନ୍ତୁ କ’ଣ ପରାମର୍ଶ ଦେଇଛନ୍ତି କମିଟି ?
30/12/2020 at 4:34 PM

ନୂଆଦିଲ୍ଲୀ ୩୦।୧୨: ଦିଲ୍ଲୀ ସରକାରଙ୍କ ଅବକାରୀ ରାଜସ୍ୱ ଆୟ ହ୍ରାସ ହେଉଛି। ଏଣୁ ରାଷ୍ଟ୍ରୀୟ ରାଜଧାନୀରେ ଅବକାରୀ ରାଜସ୍ୱ ଅଭିବୃଦ୍ଧି ଲାଗି ସରକାର ଚିନ୍ତାରେ ଥିବା ବେଳେ ଏଥିଲାଗି ପରାମର୍ଶ ଦେବାକୁ ଏକ କମିଟି ଗଠନ କରିଥିଲେ। ଏହି କମିଟିଙ୍କ ସୁପାରିଶ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କମିଟି ବାର୍ଷିକ ଡ୍ରାଇଡେ ସଂଖ୍ୟା ସର୍ବାଧିକ ୩ ଦିନରେ ସୀମିତ ରଖିବାକୁ କହିଥିବା ବେଳେ ମଦ୍ୟପାନ ଲାଗି ସର୍ବନିମ୍ନ ଆୟୁ ସୀମା ୨୧କୁ ହ୍ରାସ ନିମନ୍ତେ ପରାମର୍ଶ ଦେଇଛନ୍ତି।

ତେବେ ଦେଶରେ ମଦ ବିକ୍ରି ଲାଗି ସର୍ବନିମ୍ନ ଆୟୁ ସୀମା ଅନେକ ରାଜ୍ୟ ୨୧କୁ ହ୍ରାସ କରିସାରିଛନ୍ତି। ଏଥିରେ ରାଜଧାନୀ ଦିଲ୍ଲୀରେ ଆୟୁସୀମା ହ୍ରାସ କରାଗଲେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଜନୈକ ବରିଷ୍ଠ ଅବକାରୀ ଅଧିକାରୀ କହିଛନ୍ତି। ସେହିପରି ମଦ ବିକ୍ରି ଲାଗି ଡିପାର୍ଟମେଣ୍ଟାଲ ଷ୍ଟୋରଙ୍କୁ ଲାଇସେନ୍ସ ପ୍ରଦାନ କରିବା ଅତ୍ୟନ୍ତ ସୁବିଧାଜନକ ଓ ସରକାର ସଞ୍ଚାଳିତ ମଦ ଦୋକାନଙ୍କୁ ଅଧିକ ସାମଗ୍ରୀ ବିତରଣ କରାଗଲେ ବିକ୍ରି ବଢିବ ବୋଲି ଅଧିକାରୀ ଆଶାବ୍ୟକ୍ତ କରିଛନ୍ତି।

ମଦ ଦୋକାନ ବର୍ଷରେ ସର୍ବାଧିକ ୩ ଦିନ ବନ୍ଦ ରଖାଯାଇପାରେ । ଗଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଓ ଗାନ୍ଧି ଜୟନ୍ତୀ ବାଦେ ଅନ୍ୟ ଦିନରେ ମଦ ଦୋକାନ ବନ୍ଦ ରଖିବାର କୌଣସି କାରଣ ନାହିଁ ବୋଲି କମିଟି କହିଛନ୍ତି। ଏହା ଦ୍ୱାରା ବିକ୍ରି ହ୍ରାସନିୟନ୍ତ୍ରିତ ହୋଇପାରିବା ସହ ରାଜସ୍ୱ ଆୟ ମଧ୍ୟ ବୃଦ୍ଧି ହେବ ବୋଲି ସୁପାରିଶରେ କୁହାଯାଇଛି। ରାଷ୍ଟ୍ରୀୟ ରାଜଧାନୀରେ ମୋଟ ୮୬୪ଟି ମଦ ଦୋକାନ ରହିଛି। ଏଗୁଡିକୁ ଦିଲ୍ଲୀ ପର୍ଯ୍ୟଟନ ନିଗମ, ଦିଲ୍ଲୀ ଯୋଗାଣ ନିଗମ ଓ ଦିଲ୍ଲୀ ଆଇଆଇଡିସି ସଞ୍ଚାଳନ କରୁଛନ୍ତି। ତେବେ ଏହା ବାଦେ ମଧ୍ୟ ଆହୁରି ଅଧିକ ବିକ୍ରୟ କାଉଣ୍ଟର ସ୍ଥାପିତ ହୋଇପାରିବ ବୋଲି କମିଟି ସୁପାରିଶ କରିଛନ୍ତି।

କମିଟିଙ୍କ ଅନୁସାରେ ନଗରପାଳିକାଙ୍କ ୨୭୨ଟି ୱାର୍ଡ, ନଗରନିଗମ କ୍ଷେତ୍ର, ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ସମାନ ସଂଖ୍ୟକ କାଉଣ୍ଟର ମାଧ୍ୟମରେ ମଦ୍ୟ ବିକ୍ରୟ କରାଯାଇପାରିବ। ଦିଲ୍ଲୀରେ ୧୨୫ଟି ଡିପାର୍ଟମେଣ୍ଟ ଷ୍ଟୋର ମଧ୍ୟ ଅଛନ୍ତି। ଯେଉଁମାନେ ଏଲ୍-୧୨ ଓ ଏଲ-୧୨ଏଫ ଅବକାରୀ ଲାଇସେନ୍ସରେ ମଦକାରବାର କରୁଛନ୍ତି। ତେବେ ଏପରି ଷ୍ଟୋରମାନେ ସେମାନଙ୍କ ଦୋକାନ କ୍ଷେତ୍ରଫଳର ୧୦ ପ୍ରତିଶତରୁ ଅଧିକ ସ୍ଥାନ ସାମଗ୍ରୀ ମହଜୁଦ ଲାଗି ଉପଯୋଗ କରୁଛନ୍ତି। ନିୟମ ଉଲ୍ଲଂଘନ କାରଣରୁ ଗତବର୍ଷ ଦିଲ୍ଲୀ ସରକାର ସେମାନଙ୍କ ଲାଇସେନ୍ସ ନବୀକରଣ ନିବେଦନ ଅଗ୍ରାହ୍ୟ କରିଦେଇଥିଲେ। ତେବେ ଏଭଳି କ୍ଷେତ୍ରରେ ଲାଇସେନ୍ସ ନିୟମ କୋହଳ କରିବା ଲାଗି କମିଟି ସୁପାରିଶ କରିଛନ୍ତି।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନିଷ ଶିସୋଦିଆ ଅବକାରୀ ରାଜସ୍ୱ ଆୟ ବୃଦ୍ଧି ଲାଗି ଗତ ସେପ୍ଟେମ୍ବର ମାସରେ ଏହି କମିଟି ଗଠନ କରିଥିଲେ। କମିଟି ତାଙ୍କର ରିପୋର୍ଟ ଦିଲ୍ଲୀ ସରକାରଙ୍କୁ ଦେଇଥିବା ବେଳେ ସରକାର ଖୁବ୍ ଶୀଘ୍ର ଲୋକଙ୍କ ମତାମତ ନିମନ୍ତେ ସାର୍ବଜନିକ କରିବେ ବୋଲି କୁହାଯାଇଛି।