Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ଗଞ୍ଜେଇ ବୋଝେଇ କାର୍‌ ଜବତ, ୨ଗିରଫ
  • ||
  • ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ଅଡୁଆରେ ପୋଲିସ
  • ||

ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ: ୩୦ ବର୍ଷ ପର୍ଯ୍ୟନ୍ତ ପାହାଡ ଖୋଳି କରି ଦେଲେ କେନାଲ, ସାହାଯ୍ୟ କରିବାକୁ ଆଗେଇ ଆସିଲେ ଆନନ୍ଦ ମହିନ୍ଦ୍ରା

19/09/2020 at 8:51 PM

ନୂଆଦିଲ୍ଲୀ ୧୯।୦୯: ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ। ଦୃଢ ମନୋବଳ ଥିଲେ ସବୁ କାର୍ଯ୍ୟ କରି ହୁଏ। ଏହି ଉକ୍ତିକୁ ସତ୍ୟ ପ୍ରମାଣିତ କରିଛନ୍ତି ବିହାରର ଜଣେ ବୃଦ୍ଧ। ବିହାରରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ୩୦ ବର୍ଷ ଧରି ଲଗାତାର ପାହାଡ  ଖୋଳି ଜମିକୁ ଜଳ ସେଚନ ପାଇଁ କେନାଲ ତିଆରି କରିଛନ୍ତି। ୭୦ ବର୍ଷର ବୃଦ୍ଧ ଲୋଙ୍ଗି ଭୂୟାଁ ମାଞ୍ଝୀ ନିଜ ପରିଶ୍ରମରେ ଶତାଧିକ ଲୋକଙ୍କ ମୁସ୍କିଲ ଦୂର କରି ପାରିଛନ୍ତି। ସେ ପାହାଡ କାଟି ୫ କିଲୋମିଟର ଲମ୍ବା କେନାଲ ଖୋଳିବାରେ ସକ୍ଷମ ହୋଇଛନ୍ତି। ପାହାଡ ଓ ବର୍ଷାର ପାଣି ଏବେ ଏହି କେନାଲ ଦେଇ ଖେତକୁ ଯାଉଛି। ଏଥିରେ ତିନି ଗାଁର ଲୋକେ ଉପକୃତ  ହୋଇ ପାରୁଛନ୍ତି। ଏବେ ଲୋଙ୍ଗି ଭୂୟାଁଙ୍କ ସାହାଯ୍ୟ ପାଇଁ ଅନେକ ଲୋକ ସାମ୍ନାକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା। ଆନନ୍ଦ ମହିନ୍ଦ୍ରା ଲୋଙ୍ଗିଙ୍କ ଏହି ମହତ୍‌ କାର୍ଯ୍ୟକୁ ସଲାମ କରି ସହାୟତାସ୍ଵରୂପ ଟ୍ରାକ୍ଟର ଦେବାକୁ ଘୋଷଣା କରିଛନ୍ତି।

ବିହାରର ଗୟା ଜିଲ୍ଲାରେ ରହୁଥିବା ଲୋଙ୍ଗିଙ୍କ କାହାଣୀ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ସେ ୩୦ ବର୍ଷ ପର୍ଯ୍ୟନ୍ତ କଠୋର ଝାଳବୁହା ପରିଶ୍ରମ କରି ପାହାଡରୁ ଝରୁଥିବା ପାଣିକୁ ଏକାଠି କରି ଗାଁ ପର୍ଯ୍ୟନ୍ତ ଆଣିବାକୁ ସଂକଳ୍ପ ନେଇ କେନାଲ ଖୋଳି ଚାଲିଥିଲେ। ନିଜର ଏହି  ସଂକଳ୍ପ ଯୋଗୁଁ ସେ ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି। ଲୋଙ୍ଗି କୋଠିଲଭା ଗାଁର ବାସିନ୍ଦା। ସେ ନିଜର ପୁଅ, ବୋହୂ ଓ ପତ୍ନୀଙ୍କ ସହିତ ରୁହନ୍ତି। ଗାଁ ଲୋକ କୁହନ୍ତି ପ୍ରଥମେ ପରିବାର ଲୋକ ଏହି କାମ କରିବାକୁ ବହୁତ ମନା କରିଥିଲେ। ହେଲେ ସେ କାହାରି କଥା ଶୁଣିନଥିଲେ ଏବଂ ନିଜ ଜିଦ୍‌ରେ ଅଟଳ ରହି କେନାଲ ଖୋଳିବାରେ ଜୁଟି ଯାଇଥିଲେ।

ସେ କୋଦାଳ ଓ ଅନ୍ୟ ମାଟି ଖୋଳା ଉପକରଣ ଜରିଆରେ କେନାଲ ଖୋଳିବା ଆରମ୍ଭ କରିଥିଲେ। ୩୦ ବର୍ଷର ପରିଶ୍ରମ ପରେ ସେ ପ୍ରାୟ ୩ କିଲୋମିଟର ଲମ୍ବା ନାଳ ଖୋଳିବାରେ ସଫଳ ହୋଇଛନ୍ତି। ନିକଟରେ ଜଣେ ୟୁଜର ରୋହିନ କୁମାର ଟ୍ଵିଟ୍‌ରରେ ଲେଖିଛନ୍ତି ଯେ ଲୋଙ୍ଗି ମାଞ୍ଝୀ ନିଜ  ଜୀବନର ୩୦ ବର୍ଷ କେନାଲ ଖୋଳିବାରେ ବିତାଇ ଦେଇଛନ୍ତି। କେବଳ ଏକ ଟ୍ରାକ୍ଟର ବ୍ୟତୀତ ଏବେ ତାଙ୍କୁ ଆଉ କିଛି ଦରକାର ନାହିଁ। ମାଞ୍ଝୀ ତାଙ୍କୁ କହିଛନ୍ତି ଯେ ଯଦି ତାଙ୍କୁ ଗୋଟିଏ ଟ୍ରାକ୍ଟର ମିଳିଯାଏ ତେବେ ବହୁତ ବଡ ସାହାଯ୍ୟ ହେବ।

ଏହି ଟ୍ଵିଟ୍‌ରରେ ଆନନ୍ଦ ମହିନ୍ଦ୍ରା ଜବାବ ଦେଇ ଲେଖିଛନ୍ତି ତାଙ୍କୁ ଟ୍ରାକ୍ଟର ଦେବା ମୋର ସୌଭାଗ୍ୟ ହେବ। ମୁଁ ପ୍ରଥମେ ମଧ୍ୟ ଟ୍ଵିଟ୍ କରିଥିଲି ଯେ, ତାଙ୍କ କେନାଲ ତାଜମହଲ କିମ୍ବା ପିରାମିଡଠୁ ମଧ୍ୟ ସମାନ ପ୍ରଭାବଶାଳୀ ହେବ। ତାଙ୍କୁ ଟ୍ରାକ୍ଟର ଗିଫ୍ଟ କରିବା ଆମ ପାଇଁ ସମ୍ମାନର କଥା।

ଗାଁ ଲୋକଙ୍କ କହିବା କଥା ଯେବେଠୁ ସେମାନେ ଦୁନିଆ ଦେଖିଲେଣି ତେବେଠୁ ମାଞ୍ଝୀଙ୍କୁ ଘରେ କମ ଏବଂ ଜଙ୍ଗଲରେ ଅଧିକାଂଶ ସମୟ ଦେଖିବାକୁ ପାଇଛନ୍ତି। ଲୋଙ୍ଗି ମାଞ୍ଝୀ ନିକଟରେ କହିଥିଲେ ଯେ, ଯଦି ସରକାର କିଛି ସାହାଯ୍ୟ ଦିଅନ୍ତି ତେବେ ସେ ଚାଷ ପାଇଁ ଟ୍ରାକ୍ଟର ଟିଏ କିଣି ପାରିବେ ଏବଂ ଚରା ଭୂଇଁ ହୋଇ ପଡିଥିବା ଜମିରେ ଫସଲ ଫଳାଇ ପାରନ୍ତେ।

   Related Posts