ଭବିଷ୍ୟତ ସହ ଖେଳୁଛନ୍ତି କର୍ତ୍ତୃପକ୍ଷ: ଦୁଇ ବର୍ଷ ହେଲା ବାହାରିନି ପରୀକ୍ଷା ଫଳ, ଧାରଣାରେ ଛାତ୍ରଛାତ୍ରୀ
8/03/2021 at 5:14 PM

ନୀଳଗିରି, ୦୮/୦୩: ବାଲେଶ୍ଵର ଜିଲ୍ଲା ନୀଳଗିରି ମହାବିଦ୍ୟାଳୟରେ ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗର ଧନ୍ଦା ମୁଳକ ଶିକ୍ଷା ପାଇଁ ଏକ ବିଭାଗ ନୂଆକରି ୨୦୧୮/୧୯ ବର୍ଷରେ ଖୋଲିଥିଲା । କେନ୍ଦ୍ରସରକାରଙ୍କ ଏହି ଯୋଜନା ଛାତ୍ରଛାତ୍ରୀମାନଙ୍କୁ ଏକ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁଥିଲା ।
ଛାତ୍ରଛାତ୍ରୀମାନେ ଆଗ୍ରହ ସହକାରେ ଏଡ଼ମିଶନ ନେଇ ପରୀକ୍ଷା ଦେଇଥିଲେ । ହେଲେ ୨୦୧୯ ମସିହାଠାରୁ ପ୍ରଥମ ସେମିଷ୍ଟାର ଦେଇଥିବା ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଆଜି ପର୍ଯ୍ୟନ୍ତ ବାହାରି ପାରିନାହିଁ । ଇତି ମଧ୍ୟରେ ଭାରତ ସରକାରଙ୍କର ଦକ୍ଷତା ବିକାଶ ବିଭାଗ ପକ୍ଷରୁ, ଦୁଇଟି ସେମିଷ୍ଟାର ପରୀକ୍ଷାର ଫଳ ପ୍ରକାଶିତ କରାଯାଇଥିବା ବେଳେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରଥମ ସେମିଷ୍ଟାରର ଫଳ ପ୍ରକାଶ କରିବାରେ ଅହେତୁକ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଛି ।
ସମ୍ପୂର୍ଣ୍ଣ ଜିଲ୍ଲାରେ ନୀଳଗିରି କଲେଜର ଏହି ଶିକ୍ଷା ବିଭାଗ ଏକମାତ୍ର ହୋଇଥିବା ବେଳେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ଯାଉଥିବାରୁ ଏଭଳି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିବା ନେଇ କଲେଜରେ ଅସନ୍ତୋଷ ପ୍ରକାଶ ପାଇଛି । ବାରମ୍ବାର କଲେଜର ଅଧକ୍ଷ ଓ ବିଭାଗର ମୁଖ୍ୟ ବିଶ୍ୱବିଦ୍ୟାଳୟକୁ ଦୌଡ଼ି ଦୌଡ଼ି ପ୍ରତିଶ୍ରୁତି ପାଇବା ଛଡା କୌଣସି ସୁଫଳ ପାଇ ପାରିନଥିବା କୁହାଯାଉଛି । ଅନ୍ୟ ସ୍ଥାନରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଛାତ୍ରଛାତ୍ରୀ ମାନେ ଚାକିରୀ ପାଇଥିବା ବେଳେ ଏଠି ଡିଗ୍ରୀରେ ପିଲାମାନେ ପରୀକ୍ଷା ଫଳ ନପାଇ ନିଜର ଭବିଷ୍ୟତକୁ ଅନ୍ଧାର ଆଡ଼କୁ ଠେଲି ଦେଇଛନ୍ତି ।
ଆସନ୍ତା ୭ ଦିନ ଭିତରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତାହେଲେ ବାଧ୍ୟହୋଇ ଛାତ୍ରଛାତ୍ରୀମାନେ ଧାରଣା ଦେବା ସହ ସମୂହ ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ସୋମବାର ୪୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ନୀଳଗିରି କଲେଜ ଆଗରେ ଧାରଣା ଦେଇଛନ୍ତି । ଯେଉଁ ପର୍ଯ୍ୟନ୍ତ ପରୀକ୍ଷା ଫଳ ପ୍ରକାଶ ନପାଇଛି ସେ ପର୍ଯ୍ୟନ୍ତ ଧାରଣା ଚାଲୁରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଖରାରେ ଧାରଣା ଦେଇଥିବାରୁ ଦୁଇଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ ନୀଳଗିରି କଲେଜର ଅଧକ୍ଷ ନିଜର ଅସହାୟ ପ୍ରକାଶ କରିଥିବା ବେଳେ ପରୀକ୍ଷା କଣ୍ଟ୍ରୋଲ ବିଭାଗ ଓ ଭାଇସ ଚାନ୍ସଲେରଙ୍କ ମତାମତ ନେବାରୁ ସେ ଖୁବଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି।