ବିଜେପିରେ ଯୋଗଦେବା ପୂର୍ବରୁ ଶୁଭେନ୍ଦୁଙ୍କୁ ମିଳିଲା ‘Z+’ ସୁରକ୍ଷା ଓ ବୁଲେଟ୍ ପ୍ରୁଫ ଗାଡି, ଇସ୍ତଫା ଗ୍ରହଣ କରୁନାହାନ୍ତି ବାଚସ୍ପତି

Published By : Prameya-News7 Bureau | December 18, 2020 IST

କୋଲକାତା ୧୮।୧୨: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦିନ ହିଁ ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ଜେଡ୍ କ୍ୟାଟଗରୀ ସୁରକ୍ଷା ପ୍ରଦାନ ଲାଗି କେନ୍ଦ୍ର ନିଷ୍ପତ୍ତି ନେଇଥିଲା।  ସେହି ଅନୁସାରେ ତାଙ୍କ ଘର ଆଗରେ ୱାଇ ପ୍ଲସ୍‌ ସୁରକ୍ଷାର ବନ୍ଦୋବସ୍ତ ମଧ୍ୟ  ହୋଇଛି। ତାଙ୍କୁ ଖୁବ୍ ଶୀଘ୍ର ବୁଲେଟପ୍ରୁଫ ଗାଡି ମଧ୍ୟ ମିଳିବ। ହେଲେ ବିଧାନସଭା ବାଚସ୍ପତି ତାଙ୍କ ଇସ୍ତଫା ଗ୍ରହଣ ନ କରିବା ଏବେ ତାଙ୍କ ଲାଗି ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି କରିଛି। 

ବିଧାନସଭା ବାଚସ୍ପତ ବିମାନ ବାନାର୍ଜୀ ତାଙ୍କ ଇସ୍ତଫା ଗ୍ରହଣ କରିନଥିବା କହିଛନ୍ତି। ସେ ସମ୍ବିଧାନ ଓ ବିଧାନସଭା ନିୟମାନୁସାରେ ଇସ୍ତଫା ଦେଇ ନଥିବା କହିଛନ୍ତି ବାଚସ୍ପତି, ଏଣୁ ଏହା ଅଗ୍ରାହ୍ୟ ହୋଇଯାଇଛି। ସେ ବ୍ୟକ୍ତିଗତ ଭାବେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେଇ ନାହାନ୍ତି। ଏଣୁ ତାଙ୍କ ଇସ୍ତଫା ଉଚିତ ଅଥବା ଅନୁଚିତ ତାହା ସେ ଜାଣି ନଥିବା ବାନାର୍ଜୀ କହିଛନ୍ତି। ଏ ସମ୍ପର୍କରେ ଯେଉଁ ପର୍ଯ୍ୟନ୍ତ ତାଙ୍କଠାରୁ ସ୍ପଷ୍ଟୋକ୍ତି ନ ପାଇଛନ୍ତି ସେ ପର୍ଯ୍ୟନ୍ତ ତାଙ୍କ ଇସ୍ତଫା ଗ୍ରହଣ କରିହେବନି ବୋଲି ବାଚସ୍ପତି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତମ ଶୁଭେନ୍ଦୁ ଅଧିକାରୀ ବୁଧବାର ବିଧାୟକ ପଦରୁ ଓ ଗୁରୁବାର ଦଳରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ସେ ଦଳ ଓ ସରକାରରୁ ନିଜକୁ ଦୂରେଇ ନେଇଥିଲେ। ଶୁଭେନ୍ଦୁ ତୃଣମୂଳ ଛାଡିବା ମମତାଙ୍କ ସମେତ ତାଙ୍କ ଦଳ ଲାଗି ଝଟକା ବୁଝା ଯାଉଥିଲା। ଏବେ ଶୁଣା ଯାଉଛି ସେ ବିଜେପିରେ ଯୋଗଦେଉଛନ୍ତି। ଅମିତ ଶାହଙ୍କ ବେଙ୍ଗଲ ଗସ୍ତକାଳରେ ସେ ହୁଏତ ବିଜେପିରେ ଯୋଗଦାନ କରିପାରନ୍ତି ବୋଲି ଆକଳନ କରାଯାଉଛି।

ଶୁଭେନ୍ଦୁ ମେଦିନାପୁର ଜିଲ୍ଲାର ବଡ ନେତା ଭାବେ ଜଣାଶୁଣା। ତାଙ୍କ ପରିବାର ଦୀର୍ଘ ବର୍ଷରୁ ରାଜନୀତି ସହ ଜଡିତ। ଶୁଭେନ୍ଦୁଙ୍କ ପିତା କଂଗ୍ରେସ ବିଧାୟକ ଓ ସାଂସଦ ନିର୍ବାଚିତ ହୋଇଥିଲେ। ଗତ ୟୁପିଏ ସରକାରରେ ତାଙ୍କ ପିତା ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଥିଲେ ଓ ଏବେ ତୃଣ ମୂଳ ସାଂସଦ ଅଛନ୍ତି। ସହିପରି ଶୁଭେନ୍ଦୁ ମଧ୍ୟ ନିଜେ ବିଧାନସଭା ଓ ଲୋକସଭା ନିର୍ବାଚନ ଜିତିଛନ୍ତି।

୨୦୦୬ ମସିହାରେ ସେ ପ୍ରଥମ ବିଧାନସଭା ନିର୍ବାଚନ ଲଢିବା ସହ ବିଜୟୀ ହୋଇଥିଲେ। ୨୦୦୯ ମସିହାରେ ଲୋକସଭାକୁ ସାଂସଦ ନିର୍ବାଚିତ ହୋଇଥିଲେ। ୨୦୧୪ରେ ମଧ୍ୟ ତାଙ୍କ ବିଜୟ ଧାରା କାୟମ ଥିଲା। ୨୦୧୬ ବିଧାନସଭା ନିର୍ବାଚନରେ ଜିତି ମମତାଙ୍କ ମନ୍ତ୍ରୀମଣ୍ଡଳରେ ପରିବହନ ମନ୍ତ୍ରୀ ଦାୟିତ୍ୱ ପାଇଥିଲେ।  ଶୁଭେନ୍ଦୁଙ୍କ ଜଣେ ଭାଇ ସାଂସଦ ଥିବା ବେଳେ ଅନ୍ୟ ଜଣେ ଭାଇ ନଗରପାଳିକା ଅଧ୍ୟକ୍ଷ ଅଛନ୍ତି। ରାଜ୍ୟର ୬ଟି ଜିଲ୍ଲାରେ ୮୦ଟି ଆସନରେ ପରିବାରର ପ୍ରଭାବ ରହିଛି। ଏଣୁ ଶୁଭେନ୍ଦୁ ଦଳ ଲାଗି ଲାଭଜନକ ହୋଇପାରନ୍ତି ବୋଲି ବିଜେପି ବିଚାର କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.