ଅବସରର ୨୧ ବର୍ଷ ପରେ ବି ମିଳିନି ବକେୟା ଦରମା ଓ ପେନସନ୍-ହାଇକୋର୍ଟଙ୍କ ନିର୍ଦେଶ ପରେ ବି ନୀରବ ବସିଛି ଗଣଶିକ୍ଷା ବିଭାଗ
25/09/2019 at 8:11 PM

ଖୋର୍ଦ୍ଧା ୨୫।୦୯- ହାଇକୋର୍ଟଙ୍କ ନିର୍ଦେଶ ପରେ ବି ନୀରବ ବସିଛି ଗଣଶିକ୍ଷା ବିଭାଗ । ଫଳରେ ବକେୟା ଦରମା ଏବଂ ପେନସନ୍ ନପାଇ ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗର ଅବସରପ୍ରାପ୍ତ ଶିକ୍ଷକ ଶଶିଭୂଷଣ ମିଶ୍ର । ୪ମାସ ସମୟ ଦେଇଥିଲେ ଉଚ୍ଚ ଅଦାଲତ । ହେଲେ ନିର୍ଦେଶକୁ ୧୦ମାସ ପୂରିଥିଲେ ମଧ୍ୟ ନିଜ ହକ୍ ପାଇବାରୁ ବଞ୍ଚିତ ଏହି ଶିକ୍ଷକ ଜଣକ ଏବେ ଅର୍ଥାଭାବରୁ ନିଜର ଚିକିତ୍ସା ମଧ୍ୟ କରିପାରୁନାହାନ୍ତି ।
ଖୋର୍ଦ୍ଧା ଗୁରୁଜଙ୍ଗର ଅବସରପ୍ରାପ୍ତ ଶିକ୍ଷକ ଶଶିଭୂଷଣ ମିଶ୍ର । ୧୯୯୮ ଫେବ୍ରୁଆରି ୨୮ରୁ ଚାକିରିରୁ ଅବସର ନେଲେଣି । ପ୍ରଧାନଶିକ୍ଷକ ଭାବେ ଗୁରୁଜଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେବାର ୨୧ବର୍ଷ ପରେ ବି ସାର୍ଙ୍କୁ ନା’ ମିଳିଛି ତାଙ୍କର ବକେୟା ବର୍ଦ୍ଧିତ ଦରମା ନା’ ମିଳୁଛି ପେନସନ୍ । ୧୯୮୭ ଜାନୁଆରୀ ୧୩ରେ ଏହି ଶିକ୍ଷକଙ୍କୁ ଉଚିତ୍ ପ୍ରାପ୍ୟ ଦେବାକୁ ଗଣଶିକ୍ଷା ବିଭାଗକୁ ନିର୍ଦେଶ ଦେଇଥିଲେ ଟ୍ରିବ୍ୟୁନାଲ । ହେଲେ ଟ୍ରିବ୍ୟୁନାଲଙ୍କ ଏହି ନିର୍ଦେଶକୁ ଚାଲେଂଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଗଣଶିକ୍ଷା ବିଭାଗ । ହେଲେ ସେଠି ମଧ୍ୟ ଗଣଶିକ୍ଷା ବିଭାଗକୁ ଉଚିତ୍ ଜବାବ୍ ମିଳିଥିଲା । ଟ୍ରିବ୍ୟୁନାଲଙ୍କ ରାୟକୁ କାଏମ ରଖିବା ସହ ୪ମାସ ଭିତରେ ଶଶିଭୂଷଣଙ୍କୁ ବର୍ଦ୍ଧିତ ଦରମା ସହ ପେନସନ ଦେବାକୁ ନିର୍ଦେଶ ଦେଇଥିଲେ ହାଇକୋର୍ଟ । ହେଲେ ଅଦାଲତଙ୍କ ନିର୍ଦେଶକୁ ୧୦ମାସ ପୂରିଥିଲେ ମଧ୍ୟ ଏବେ ବି ନିଜ ହକ୍ ପାଇବାରୁ ବଞ୍ଚିତ ଏହି ଆଦର୍ଶ ଶିକ୍ଷକ । ଏମିତିକି ପରିଣତ ବୟସରେ ଅର୍ଥାଭାବରୁ ନିଜର ଚିକିତ୍ସା ମଧ୍ୟ କରିପାରୁନାହାନ୍ତି ।
ପରିଣତ ବୟସରେ ଦରମା ଓ ପେନସନ ଗଣ୍ଡାକ ପାଇଁ କୋର୍ଟ କଚେରୀକୁ ଦଉଡ଼ି ଦଉଡ଼ି ନୟାନ୍ତ ହେବା ପରେ ବି ଜଣେ ଆଦର୍ଶ ଶିକ୍ଷକଙ୍କ ପ୍ରତି ଗଣଶିକ୍ଷା ବିଭାଗର ଏଭଳି ଉଦାସୀନତାକୁ ନେଇ ଉଠିଛି ପ୍ରଶ୍ନ । ପଚାରିଲେ ବାବୁ କହୁଛନ୍ତି ଖୁବ୍ ଶୀଘ୍ର ସବୁ ଠିକ୍ କରିଦେବୁ ।