କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ

Published By : Prameya-News7 Bureau | May 06, 2021 IST

ନୂଆଦିଲ୍ଲୀ ୬।୫: ପୂର୍ବତନ ରଣଜୀ କ୍ରିକେଟର ବିବେକ ଯାଦବଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ କର୍କଟ ରୋଗ ସହ ସଂଗ୍ରାମ କରୁଥିଲେ । କିଛି ଦିନ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହାପରେ ବିବେକଙ୍କୁ ଜୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଛି । ବିବେକ ରାଜସ୍ଥାନ ପାଇଁ ମଧ୍ୟ ଖେଳିସାରିଛନ୍ତି । ଘରେ ବିବେକଙ୍କର ସ୍ତ୍ରୀ ଏବଂ ଝିଅ ଅଛନ୍ତି ।

ତାଙ୍କ ବନ୍ଧୁ ତଥା ରାଜସ୍ଥାନର ପୂର୍ବତନ କ୍ରିକେଟର ରୋହିତ ଜାଲାନି କହିଛନ୍ତି ଯେ, ସେ କିଛି ବର୍ଷ ପୂର୍ବେ ପେଟ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ମାତ୍ର ସେ ସୁସ୍ଥ ହୋଇଯାଇଥିଲେ । କିଛି ଦିନ ପୂର୍ବରୁ ତାଙ୍କୁ ନିୟମିତ କେମୋ ଥେରାପି ପାଇଁ ଡାକ୍ତରଖାନା ଯିବାକୁ ପଡୁଥିଲା । ତାପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ବିବେକଙ୍କ ପରିବାରଲୋକ ମଧ୍ୟ ଏ ନେଇ ସ୍ପଷ୍ଟ କରିଛନ୍ତି ।

ରାଜସ୍ଥାନ ପାଇଁ ୨୦୦୮ରେ ପ୍ରଥମ ଶ୍ରେଣୀରେ ଖେଳିବା ପରେ ଯାଦବ ୨୦୧୦-୧୧ ସିଜନରେ ରାଜସ୍ଥାନର ରଣଜୀ ଟ୍ରଫି ବିଜେତା ଦଳରେ ଥିଲେ । ବରୋଦା ବିପକ୍ଷ ଫାଇନାଲ ମ୍ୟାଚରେ ସେ ୪ ଓ୍ବିକେଟ୍ ନେଇଥିଲେ । ସେ ୨୦୧୨ରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ ଡେୟାରଡେଭିଲ୍ସ ଟିମ୍ ପାଇଁ ମନୋନୀତ ହୋଇଥିଲେ, ମାତ୍ର ଖେଳିନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.