Z+ ସୁରକ୍ଷାରୁ ପୂର୍ବତନ ପୋଲିସ ଡିଜି ଫେରାର, ଗିରଫ ଲାଗି SIT ଚଢଉ ଜାରି

Published By : Prameya-News7 Bureau | September 12, 2020 IST

ଚଣ୍ଡିଗଡ ୧୨।୯ : ପଞ୍ଜାବର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁମେଧ ସୈନୀ ଜେଡ ପ୍ଲସ ସୁରକ୍ଷା ଭାଙ୍ଗି ଶନିବାର ଫେରାର ହୋଇଯାଇଛନ୍ତି।  ତାଙ୍କୁ ଗିରଫ କରିବା ଲାଗି କୋର୍ଟ ଆରେଷ୍ଟ ୱାରେଣ୍ଟ ଜାରି କରିବା ପରେ ସେ ଫେରାର ହୋଇଯାଇଛନ୍ତି। ଏଣୁ ପଞ୍ଜାବ ପୋଲିସ ତାଙ୍କ ଗିରଫ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରିଥିବା ବେଳେ ଏବେ ବିଭିନ୍ନ ସ୍ଥାନରେ ଚଢଉ ଚାଲିଥିବା ଜଣାପଡିଛି।

୧୯୯୧ ମସିହାରେ ନିଖୋଜ ବଲବନ୍ତ ମୂଲତାନୀ ମାମଲାରେ ସୈନୀଙ୍କୁ ଗିରଫ ଲାଗି କୋର୍ଟ ଶନିବାର ୱାରେଣ୍ଟ ଜାରି କରିଛନ୍ତି। ମୁଲତାନୀ ଚଣ୍ଡିଗଡ ଔଦ୍ୟୋଗିକ ଓ ପର୍ଯ୍ୟଟନ ନିଗମରେ ଜୁନିୟର ଇଞ୍ଜିନିୟର ଥିବା ବେଳେ ଅଚାନକ ନିଖୋଜ ନେଇ ପୋଲିସରେ ଅଭିଯୋଗ ହୋଇଥିଲା। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ମାମଲାରେ ମଙ୍ଗଳବାର ସୈନୀଙ୍କ ଅଗ୍ରୀମ ଜାମିନ ନିବେଦନ ଅଗ୍ରାହ୍ୟ କରିଦେଇଥିଲେ।

ମାମଲାରେ ଅନ୍ୟ ଏକ ପିଟିସନ ଫାଇଲ କରାଯାଇଥିବା ବେଳେ ଏତଲ୍ଲା ରଦ୍ଦ କରିବା ଅଥବା ମାମଲାର ଯାଞ୍ଚ ସିବିଆଇକୁ ହସ୍ତାନ୍ତର ଲାଗି ସୈନୀ ନିବେଦନ କରିଥିଲେ। ତେବେ  ସୈନୀଙ୍କ କୌଣସି ଯୁକ୍ତି ଓ ଦାବିକୁ କୋର୍ଟ ଗ୍ରହଣ କରିନଥିବା ବେଳେ ଅଗ୍ରାହ୍ୟ କରିଦେଇଥିଲେ। ମୂଲତାନୀ ନିଖୋଜ ମାମଲା ହତ୍ୟା ବୋଲି ଜଣାପଡିବା ପରେ ଏଥିରେ ପୂର୍ବତନ ପୋଲିସ ଇନିସପେକ୍ଟର ଜାଗିର ସିଂହ ଓ ଏଏସଆଇ କୂଲଦୀପ ସିଂହଙ୍କୁ କୋର୍ଟ ଅଭିଯୁକ୍ତ କରି କୋର୍ଟ ଏତଲାରେ ଧାରା ୩୦୨ରେ ମୋକଦ୍ଦମା ରୁଜୁ କରିଥିଲେ।

ସେପ୍ଟେମ୍ବର ୩ ତାରିଖରେ ପଞ୍ଜାବ ପୋଲିସ ସୈନୀଙ୍କ ଜୀବନ ଲାଗି ବିପଦ ଆଶଙ୍କା କରାଯାଉଥିବାରୁ ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଥିବା କୋର୍ଟଙ୍କୁ କହିଥିଲେ। ତେବେ ମାମଲାରେ ତାଙ୍କର ସମ୍ପୃକ୍ତି ଜଣାପଡିବା ପରେ କୋର୍ଟ ତାଙ୍କ ଆବେଦନ ଅଗ୍ରାହ୍ୟ କରିବା ସହ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଏହା ଜଣାପଡିବା ପରେ ସୈନୀ ସୁରକ୍ଷା ବଳୟ ପାର କରି ଫେରାର ହୋଇଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.