ପାକିସ୍ତାନକୁ ସେମିଫାଇନାଲରେ ପୂରାଇ ନଦେବା ପାଇଁ ବାଂଲାଦେଶ ଓ ଶ୍ରୀଲଙ୍କା ସହ ଭାରତ ଜାଣିଶୁଣି ହାରିପାରେ: ପାକିସ୍ତାନ ଟିମର ପୂର୍ବତନ କ୍ୟାପଟେନଙ୍କ ଭବିଷ୍ୟବାଣୀ
28/06/2019 at 6:53 PM

ଲଣ୍ଡନ୨୮|୬: ବିଶ୍ବକପ ସେମି ଫାଇନାଲ ପୂର୍ବରୁ ଭାରତ ଆହୁରି ତିନୋଟି ମ୍ୟାଚ ଖେଳିବ । ୩୦ ତାରିଖରେ ଇଂଲଣ୍ଡ, ଜୁଲାଇ ୨ ତାରିଖରେ ବାଲାଂଦେଶ ଓ ଜୁଲାଇ ୬ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବ । ବର୍ତ୍ତମାନ ସୁଦ୍ଧା ଭାରତ ୬ଟି ମ୍ୟାଚ ଖେଳିଥିବାବେଳେ ନ୍ୟୁଜଲାଣ୍ଡ ବିପକ୍ଷ ମ୍ୟାଚ ବେଳେ ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୋଇଥିଲା । ଅନ୍ୟ ୫ଟି ମ୍ୟାଚରୁ ୫ଟି ଯାକ ଭାରତ ଜିତିଛି ।
ବର୍ତ୍ତମାନ ସୁଦ୍ଧା ବିଶ୍ବକପରେ ଅପରାଜେୟ ଥିବା ଭାରତ, ପାକିସ୍ତାନ ସେମିଫାଇନାଲରେ ପ୍ରବେଶ ନକରିବା ପାଇଁ ଚକ୍ରାନ୍ତ କରିବ । ସେଥିପାଇଁ ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷରେ ଜାଣି ଶୁଣି ଭାରତ ମ୍ୟାଚ ହାରିବ ବୋଲି ପୂର୍ବାନୁମାନ କରିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟ ଖେଳାଳି ତଥା କ୍ୟାପଟେନ ବାସିତ ଅଲ୍ଲୀ । ବାସିତ ଅଲ୍ଲୀ ୧୯୯୩ରୁ ୧୯୯୬ ପର୍ଯ୍ୟନ୍ତ ପାକିସ୍ତାନ ଟିମର କ୍ୟାପଟେନ ଥିଲେ । ବାସିତ ତାଙ୍କ ସ୍ବଳ୍ପ କାଳୀନ କ୍ରିକେଟ କ୍ୟାରିଅର ମଧ୍ୟରେ ପାକିସ୍ତାନ ପାଇଁ ୧୯ଟି ଟେଷ୍ଟ ଓ ୫୦ଟି ଏକଦିବସୀୟ ଖେଳିଛନ୍ତି । ବାସିତ କହିଛନ୍ତି ଯେ, ପାକିସ୍ତାନ ସେମିଫାଇନାଲକୁ ଯାଉ ଏକଥା ଭାରତ କେବେ ଚାହିଁବ ନାହିଁ। ତେଣୁ ବାଂଲାଦେଶ ବିପକ୍ଷରେ ଖରାପ ପ୍ରଦର୍ଶନ କରି ସେମାନଙ୍କ ମଧ୍ୟରୁ କେହି ସେମିଫାଇନାଲକୁ ଯିବା ଲାଗି ଭାରତ ାସ୍ତା କରିବ ବୋଲି ସେ ଆକଳନ କରିଛନ୍ତି ।
ବାସିତ ପାକିସ୍ତାନର ଏକ ଟିଭି ଚ୍ୟାନଲକୁ ସାକ୍ଷାତକାର ଦେଇ ଏକଥା କହିଛନ୍ତି । ତାଙ୍କ ସାକ୍ଷାତକାରର ଏହି ଅଂଶକୁ ଚ୍ୟାନେଲର ସମ୍ବାଦିକ ଟୁଇଟ ମଧ୍ୟ କରିଛନ୍ତି । କେବଳ ଭାରତ ନୁହଁ ଜାଣିଶୁଣି ଖରାପ ପ୍ରଦର୍ଶନ କରିବା କ୍ଷେତ୍ରରେ ଅଷ୍ଟ୍ରେଲିଆକୁ ମଧ୍ୟ ବାସିତ ଟାର୍ଗେଟ କରିଛନ୍ତି । ଭାରତ ବିପକ୍ଷରେ ୱାର୍ଣ୍ଣର ଜାଣିଶୁଣି ଖରାପ ପ୍ରଦର୍ଶନ କରିଥିବା ସେ କହିଛନ୍ତି । ଅଫଗାନିସ୍ତାନ-ଭାରତ ମ୍ୟାଚର ଉଦାହରଣ ଦେଇ ବାସିତ କହିଛନ୍ତି ଯେ, ଆଫଗାନୀସ୍ତାନ ବିପକ୍ଷରେ ମଧ୍ୟ ଭାରତ ଜାଣିଶୁଣି ଖରାପ ପ୍ରଦର୍ଶନ କରିଥିଲା ।