ଅଲ-ଅଜିଜିଆ ମାମଲାରେ ନୱାଜ ସରିଫଙ୍କୁ ମିଳିଲା ଜାମିନ୍
26/10/2019 at 8:33 PM

ଇସ୍ଲାମାବାଦ: ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସ୍ଲିମ ଲିଗ ପାର୍ଟି (ଏନ)ର ସଂସ୍ଥାପକ ମିଆଁ ନୱାଜ ସରିଫଙ୍କୁ ଇସ୍ଲାମାବାଦ ହାଇକୋର୍ଟ ଆଉ ଏକ ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ସରିଫ ଗୁରୁତର ଅସୁସ୍ଥ ଥିବାରୁ ଡାକ୍ତରୀ ଚିକିତ୍ସା ଲାଗି ତାଙ୍କୁ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ପାକ୍ ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋଙ୍କ ଅନୁମତିରେ କୋର୍ଟ ଅଲ-ଅଜିଜିଆ ଦୁର୍ନୀତି ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଗତ ଶୁକ୍ରବାର କୋର୍ଟ ଚୌଧୁରୀ ସୁଗାର ମିଲ ଅନିୟମିତତା ମାମଲାରେ ସରିଫଙ୍କୁ ଜାମିନ ମଞ୍ଜୁର କରିଥିଲେ। ସରିଫ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଶୁକ୍ରବାର ଜାମିନ ଶୁଣାଣି ପୂର୍ବରୁ ତାଙ୍କୁ ହସ୍ପିଟାଲରେ ପୁଣି ଥରେ ହୃଦଘାତ ହୋଇଥିବା ଜଣାପଡିଛି। ସେ ଏବେ ଲାହୋର ସ୍ଥିତ ସର୍ଭିସ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସହ ଝିଅ ମରିୟମ ନୱାଜ ମଧ୍ୟ ସେଠାରେ ଅଛନ୍ତି। ପୂର୍ବରୁ ପିତାଙ୍କ ସହ ହସ୍ପିଟାଲରେ ରହିବା ଲାଗି ମରିୟମ କୋର୍ଟଙ୍କୁ ଜାମିନ ନିବେଦନ କରିଥିଲେ। ତେବେ ଏଥିଲାଗି ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିନଥିଲେ।

ସରିଫ କୋଟ ଲଖପତ ଜେଲରେ ୭ବର୍ଷ ସଜା କାଟୁଥିବା ବେଳେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଅଲ-ଅଜିଜିଆ ଆର୍ଥିକ ଅନିୟମିତତା ମାମଲାରେ କୋର୍ଟ ୭ ବର୍ଷ ଜେଲଦଣ୍ଡାଦେଶ କରିଥିଲେ।