ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମାତୃ ବିୟୋଗ, ଲଣ୍ଡନରେ ତ୍ୟାଗ କଲେ ଶେଷ ନିଶ୍ୱାସ

Published By : Prameya-News7 Bureau | November 22, 2020 IST

ଲାହୋର ୨୨।୧୧: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ମିଆଁ ନୱାଜ ସରିଫଙ୍କ ମା ବେଗମ ଶମୀମ ଅଖତରଙ୍କ ରବିବାର ଲଣ୍ଡନରେ ପରଲୋକ ହୋଇଛି। ପାକିସ୍ତାନ ମୁସ୍ଲିମ ଲିଗ୍-ନୱାଜ(ପିଏମଏଲ-ଏନ୍) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୯୧ ବର୍ଷ ବୟସ୍କା ଶମୀମ ଗତମାସରୁ ଅସୁସ୍ଥ ଥିଲେ। ଗତ ଫେବୃଆରୀ ମାସରେ ସେ ଲଣ୍ଡନ ଯାଇଥିଲେ। ସେଠାରେ ନୱାଜ ସରିଫ ଓ ପରିବାର ଲୋକଙ୍କ ସହ ଅବସ୍ଥାନ କରୁଥିଲେ। ତାଙ୍କର ଅନ୍ତ୍ୟେଷ୍ଟି ଲାହୋରରେ ଅନୁଷ୍ଠିତ ହୋଇପାରେ ବୋଲି ଅନୁମାନ କରାଯାଉଛି।

ପିଏମଏଲ-ଏନ୍‌ ଉପ ସମ୍ପାଦକ ଅତାଉଲ୍ଲାହ ତରାର ସୋମବାର ଶମୀମ ଅଖତରଙ୍କ ପାର୍ଥୀବ ଶରୀର ଲାହୋର ଅଣାଯାଇ ଶରିଫଙ୍କ ପାରିବାରିକ ଆବାସସ୍ଥିତ ପତିଙ୍କ କବର କଡରେ କବର ଦିଆଯାଇପାରେ ବୋଲି କହିଛନ୍ତି। ତେବେ ସରିଫଙ୍କ ଭାଇ ତଥା ପିଏମଏଲ-ଏନ୍ ଅଧ୍ୟକ୍ଷ ଶହବାଜ ସରିଫ ଏବେ ଜେଲରେ ବନ୍ଦୀ ଅଛନ୍ତି। ଏଣୁ ତାଙ୍କ ମାଙ୍କ ଶବ ଯାତ୍ରାରେ ସାମିଲ କରିବା ଲାଗି ତାଙ୍କୁ ପାରୋଲରେ ମୁକ୍ତ କରିବା ନିମନ୍ତେ ଦାବି କରାଯିବ ବୋଲି ଅତାଉଲ୍ଲାହ କହିଛନ୍ତି।

ତେବେ ନୱାଜ ସରିଫ ଲାହୋରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହୋଇ ନ ପାରନ୍ତି। ଏଥିଲାଗି ହୁଏତ ସେ ଲଣ୍ଡନରେ ନମାଜ-ଏ-ଜନାଜା ଆୟୋଜନ କରିବେ ବୋଲି କୁହାଯାଉଛି। ସରିଫ ଏବେ ନିର୍ବାସୀତ ହୋଇ ଲଣ୍ଡନରେ ଅବସ୍ଥାନ କରୁଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ମଧ୍ୟ କରାଉଛନ୍ତି। ଶରିଫଙ୍କ ସ୍ୱାସ୍ଥ୍ୟାବସ୍ଥା ଗତ ସପ୍ତାହରେ ଭଲ ନଥିଲା। ଏଣୁ ତାଙ୍କୁ ଅନେକ ଥର ହସ୍ପିଟାଲ ଯିବାକୁ ପଡ଼ିଥିଲା ବୋଲି ପାକିସ୍ତାନରୁ ପ୍ରକାଶିତ ସମ୍ବାଦପତ୍ର ‘ଦି ଡନ୍‌’ ସୂତ୍ରରୁ ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.