ପୂର୍ବତନ କ୍ରିକେଟ୍‌ରଙ୍କ ଖୁଲାସା, ବିବାହ ଦିନ ବାକି ଖେଳାଳି ଦେଲେ 'ଧୋକା', ସମାରୋହକୁ ଆସି ମୋ ଇଜ୍ଜତ ରଖିଲେ ସୌରଭ ଗାଙ୍ଗୁଲି

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧।୦୬: ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ୟାସିର  ଅରାଫତ ଖୁଲାସା କରିଛନ୍ତି ଯେ, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବ୍ୟସ୍ତ ଥାଇ ସୁଦ୍ଧା ତାଙ୍କ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଖେଳାଳି କହିଛନ୍ତି, ସେ ଅନେକ ଖେଳାଳିଙ୍କୁ ନିମନ୍ତ୍ରଣ କରିଥିଲେ। ମାତ୍ର ଏହି ଅବସରରେ କେହି ଆସିପାରିନଥିଲେ। କିନ୍ତୁ ଗାଙ୍ଗୁଲି ତାଙ୍କ ବିବାହରେ ଯୋଗ ଦେଇଥିଲେ। ସେହି ମୁହୂର୍ତ୍ତ ତାଙ୍କ ପାଇଁ ଏକ ଭିନ୍ନ ଥିଲା  ବୋଲି ଅରାଫତ କହିଛନ୍ତି।

ସ୍ପୋର୍ଟ୍ସ ୟାରି ୟୁଟ୍ୟୁବ୍ ଚ୍ୟାନେଲ ସହ ଆଲୋଚନା ବେଳେ ୟାସିର କହିଛନ୍ତି, ଗାଙ୍ଗୁଲି ଜଣେ ନମ୍ର ବ୍ୟକ୍ତି। ଗାଙ୍ଗୁଲି ସେହି ସମୟରେ ବ୍ୟସ୍ତ ଥାଇ ମଧ୍ୟ ମୋ ବିବାହ ସମାରୋହରେ ଯୋଗ ଦେବା ପାଇଁ ସମୟ ବାହାର କରିଥିଲେ। ଅନ୍ୟ କେହି ଖେଳାଳି ଯୋଗ ଦେଇନଥିଲେ। ଗାଙ୍ଗୁଲି ସମାରୋହରେ ଯୋଗ ଦେଇ ମୋ ସମ୍ମାନ ବଢାଇଥିଲେ। ଅଧିକାଂଶ ପ୍ରଶଂସକ ଏହି ବିଷୟରେ ଜାଣିନଥିବେ ଗାଙ୍ଗୁଲି ମୋ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଦ୍ରୁତ ବୋଲରଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଛୋଟ ରହିଥିଲା। ସେ ୨୦୦୭ ରୁ ୨୦୧୨ ମଧ୍ୟରେ ପାକିସ୍ତାନ ପକ୍ଷରୁ ୩ ଟେଷ୍ଟ, ୧୧ ଦିନିକିଆ ଓ ୧୩ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ଏଥିରୁ ସେ ୨୯ ଓ୍ଵିକେଟ୍ ନେଇଥିଲେ। ସେ ୨୦୦୯ରେ ପ୍ରଥମ ଏବଂ ଏକ ମାତ୍ର ଟି-୨୦ ବିଶ୍ଵ କପ୍ ଜିତିଥିବା ପାକିସ୍ତାନ ଦଳର ସଦସ୍ୟ ଥିଲେ। ପାକିସ୍ତାନ ଶ୍ରୀଲଙ୍କାକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଚମ୍ପିଆନ ହୋଇଥିଲା।

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସେତେଟା ସଫଳ ହୋଇନଥିଲେ ବି ୟାସିର ଅରାଫତଙ୍କ ଘରୋଇ କ୍ରିକେଟ୍ ରେକର୍ଡ ବହୁତ ଦମଦାର ରହିଛି। ସେ ସକ୍ସେ, ହମ୍ପସାୟର, ସରେ ଏବଂ ସମରରେଟ୍ ପରି ଇଂଲଣ୍ଡ ଘରୋଇ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ପାକିସ୍ତାନ ଦଳକୁ ମହେନ୍ଦ୍ର ସିଂହ ଧୋନୀଙ୍କ ପରି ଅଧିନାୟକଙ୍କ ଆବଶ୍ୟକତା ରହିଛି। ଆମ କ୍ରିକେଟରଙ୍କ ପାଖରେ ଦକ୍ଷତ ଅଛି, ମାତ୍ର ଧୋନୀଙ୍କ ପରି ଯୋଗ୍ୟ ଅଧିନାୟକ ଦରକାର ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.