କଂଗ୍ରେସରେ ଯୋଗ ଦେବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ !

Published By : Prameya-News7 Bureau | January 24, 2019 IST

ଭୁବନେଶ୍ବର୨୪|୧:  ଦୀର୍ଘଦିନ ହେଲା ବିଜେଡି ଛାଡିଥିବା ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଆସନ୍ତାକାଲି ରାହୁଲଗାନ୍ଧୀଙ୍କ ଗସ୍ତ ସମୟରେ କଂଗ୍ରେସରେ ଯୋଗ ଦେଇପାରନ୍ତି । ୨୦୦୬ ମସିହାରୁ ବିଜେଡି ଛାଡିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ସକ୍ରୀୟ ରାଜନୀତିଠୁ ନିଜକୁ ଦୂରେଇ ରଖିଥିଲେ ମଧ୍ୟ ରାଜ୍ୟର ରାଜନୀତିକୁ ବରାବର ସମୀକ୍ଷା କରି ଆସୁଥିଲେ ଏବଂ ବିଭିନ୍ନ ଅର୍ଥନୈତିକ ଓ ବୌଦ୍ଧିକ କାର୍ଯ୍ୟକ୍ରମ ସହ ସଂପୃକ୍ତ ଥିଲେ ।

{"id":77560,"width":593,"height":297}

ପଞ୍ଚାନନ କାନୁନଗୋ କଂଗ୍ରେସରେ ଯୋଗ ଦେଉଥିବା ସମ୍ପର୍କରେ ଆଜି ପିସିସି ସଭାପତି ନିରଂଜନ ପଟ୍ଟନାୟକ ଗଣମାଧ୍ୟମ ସହ ଅନୌପଚାରିକ କଥାବାର୍ତ୍ତା ବେଳେ ପରୋକ୍ଷରେ ଇଂଗିତ ଦେଇଛନ୍ତି । ଏସପିଜିଠାରୁ ଅନୁମତି ମଗାଯାଇଛି । ଏସପିଜି ଅନୁମତି ଦେବାପରେ ପଞ୍ଚାନନଙ୍କୁ ରାହୁଲଙ୍କ ମଞ୍ଚ ଉପରକୁ ଆମନ୍ତ୍ରଣ କରାଯିବ ଓ ସେ ବିଧିବଦ୍ଧଭାବେ କଂଗ୍ରେସରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

{"id":77561}

୧୯୭୦ ମସିହାରେ ଛାତ୍ରଅବସ୍ଥାରେ କଂଗ୍ରେସ ଦଳ ସହ ସଂପୃକ୍ତ ଥିବା ପଞ୍ଚାନନଙ୍କର ଏହା ଘର ବାହୁଡା ହେବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, କଂଗ୍ରେସର ଛାମୁଆ ଛାତ୍ର ସଂଗଠନ ଏନଏସୟୁଆଇର ପ୍ରତିଷ୍ଠାତା ସଦସ୍ୟ ଥିଲେ ପଞ୍ଚାନନ କାନୁନଗୋ ।  ପରବର୍ତ୍ତୀ ସମୟରେ ସେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।ଯୁବ କଂଗ୍ରେସ ସହ ମଧ୍ୟ ଶ୍ରୀ କାନୁନଗୋ ସଂପୃକ୍ତ ଥିଲେ । ଅମ୍ବିକା ସୋନିଙ୍କ ସହ ସେ ଯୁବକଂଗ୍ରେସର ମୁଖପତ୍ର ୟଂଙ୍ଗ ମାର୍ଚ୍ଚ ଏବଂ ଯୁବ ପ୍ରଗତୀର ସହଯୋଗୀ ସମ୍ପାଦକ ଥିଲେ । ତେବେ ଜରୁରୀ ପରିସ୍ଥିତିକୁ ବିରୋଧ କରି ଜେଲ ଯିବାପରେ କଂଗ୍ରେସ ଛାଡିଥିଲେ । ୧୯୭୭ ମସିହାରେ ନିର୍ବାଚନ ରାଜନୀତିରେ ପାଦ ଦେଇଥିଲେ ସେ । ୧୯୭୭ ମସିହାରେ ଜନତା ପାର୍ଟି ଟିକେଟରେ ଗୋବିନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳିରୁ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ ।

{"id":77562}

ତେବେ ଏହାପରେ ଦୀର୍ଘ ଦିନ ଧରି ଶ୍ରୀକାନୁନଗୋ ଭୋଟ ରାଜନୀତିରୁ ନିଜକୁ ଦୂରେଇ ରଖି ଟ୍ରେଡ ୟୁନିଅନ ସହ ସଂପୃକ୍ତ ରହିଥିଲେ । ୧୯୯୫ ମସିହାରେ ପୁଣି ଜନତାଦଳ ଟିକେଟରେ ଗୋବିନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ୧୯୯୭ ମସିହାରେ ବିଜୁ ଜନତାଦଳ ଗଠନ ବେଳେ ସେ ତାର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ । ୨୦୦୦ ମସିହାରେ ବିଜୁ ଜନତାଦଳ ଟିକେଟରେ ଗୋବିନ୍ଦପୁରରୁ ବିଧାନସଭାକୁ ନିର୍ବାଚିତ ହେବାପରେ ସେ ଅର୍ଥ ବିଭାଗର ମମନ୍ତ୍ରୀ ହୋଇଥଲେ । ତେବେ ୨୦୦୪ ମସିହାରେ ସେ ନିର୍ବାଚନ ହାରିଯାଇଥିଲେ ।

{"id":77565,"width":578,"height":735}

ଦଳର ନେତୃତ୍ବ ସହ ତାଙ୍କର ସମ୍ପର୍କ ଖରାପ ହୋଇଥିଲା । ମୁଖ୍ୟତଃ ପ୍ୟାରୀମୋହନ ମହାପାତ୍ରଙ୍କୁ ବିରୋଧ କିରିବା ଆରମ୍ଭ କରିଥିଲେ । ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁବୋଲି ଦର୍ଶାଇ ସେ ୨୦୦୬ ମସିହାରୁ ବିଜେଡିଠୁ ନିଜକୁ ଦୂରେଇ ରଖିଥିଲେ । ତେବେ ୨୦୦୮ ମସିହା ଏପ୍ରିଲ ମାସରେ ସେ ବିଜେଡିରୁ ବିଧିବଦ୍ଧ ଇସ୍ତଫା ଦେଇଥିଲେ ।

{"id":77566,"width":591,"height":443}

ଡାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କାର ହେବାପରେ ସେ ଗଠନ କରିବାକୁ ଥିବା ସମ୍ଭାବ୍ୟ ରାଜନୈତିକ ଦଳରେ ପଞ୍ଚାନନ ଯୋଗ ଦେବେ ବୋଲି ଆଲୋଚନା ହେଉଥିଲା । ଏପରିକି ନିକଟରେ ବ୍ରଜ କିଶୋର ତ୍ରିପାଠୀଙ୍କ ସମତାକ୍ରାନ୍ତି ଦଳ ଓ ଖାରବେଳ ସ୍ବାଇଁଙ୍କ ଉତ୍କଳ ଭାରତ ଦଳ ଆରମ୍ଭ କରିଥିବା ରାଷ୍ଟ୍ରୀୟ ଗଣତନ୍ତ୍ରିକ ସାମୁଖ୍ୟରେ ମଧ୍ୟ ପଞ୍ଚାନନ ଯୋଗ ଦେବେ ବୋଲି ଆଲୋଚନା ହେଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.