ୟୁପିରେ ବିଜେପିକୁ ଝଟକା, ସପାରେ ଯୋଗଦେଲେ ଶିବଶଙ୍କର ସିଂହ ପଟେଲ

Published By : Prameya-News7 Bureau | June 09, 2021 IST

ଲକ୍ଷ୍ନୌ ୯।୬: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଦଳୀୟ ପ୍ରସ୍ତୁତି ଏବେ ଜୋରଧରିଛି। ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଭଳି ଏଠାରେ ମଧ୍ୟ ଚାଲିଲାଣି ଭଙ୍ଗାଗଢା ରାଜନୀତି। ଦଳୀୟ ଅସନ୍ତୁଷ୍ଟମାନେ ଏବେଠାରୁ  ନିଜ ଲାଗି ସୁରକ୍ଷିତ ଛାତ ଯୋଗାଡରେ ଲାଗି ଗଲେଣି। ସେହିପରି ବିଭିନ୍ନ ଦଳ ଲାଭଜନକ ନେତାଙ୍କୁ ନିଜନିଜ ଦଳରେ ନେବା ଲାଗି ପ୍ରତିଯୋଗୀତା ଆରମ୍ଭ କରିଛନ୍ତି। ଏଥିରେ ବୁଧବାର କଂଗ୍ରେସର ଟାଣୁଆ ନେତା ଜିତିନ ପ୍ରସାଦଙ୍କୁ ବିଜେପି ଦଳରେ ସ୍ୱାଗତ କରିଥିବା ବେଳେ ପ୍ରମୁଖ ବିରୋଧୀ ଦଳ ସମାଜବାଦୀ ପାର୍ଟି (ସପା) ଦଳରେ ପୂର୍ବତନ ବିଜେପି ମନ୍ତ୍ରୀଙ୍କୁ ଦଳରେ ସାମିଲ କରିବା ଏବେ ରାଜ୍ୟ ରାଜନୀତିକୁ ଉଠପଡ କରୁଛି।

ବିଜେପିର ପୂର୍ବତନ ରାଜ୍ୟମନ୍ତ୍ରୀ ଶିବଶଙ୍କର ସିଂହ ପଟେଲ ବୁଧବାର ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ତେବେ ବିଜେପି ତାଙ୍କୁ ଅନେକ ପୂର୍ବରୁ ଦଳରୁ ନିଷ୍କାସିତ କରିଛି। ନିକଟରେ ଶେଷ ହୋଇଥିବା ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶିବଶଙ୍କର ତାଙ୍କ ପତ୍ନୀଙ୍କୁ ଦଳୀୟ ଟିକେଟରେ ପ୍ରାର୍ଥୀ କରିବାକୁ ଚାହିଁଥିଲେ। ତେବେ ଦଳରୁ ତାଙ୍କୁ ଟିକେଟ୍‌ ଦିଆ ନଯିବାରୁ ସେ ପତ୍ନୀଙ୍କୁ ସ୍ୱାଧୀନ ପ୍ରାର୍ଥୀ କରିଥିଲେ। ଏଥିରେ କ୍ଷୁବ୍ଧ ଦଳୀୟ ନେତା ତାଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ କରିବା ସହ ଶିବଶଙ୍କରଙ୍କୁ ଦଳରୁ ବାହାରକୁ ରାସ୍ତା ଦେଖାଇଥିଲେ।

ତେବେ ଶିବଶଙ୍କର ରାଜ୍ୟ ଦଳରେ ଉପୁଜିବାକୁ ଥିବା ପରିସ୍ଥିକୁ ଆଗରୁ ମାପି ସାରିଥିଲେ। ଏଣୁ ବିଧାନସଭା ନିର୍ବଚନକୁ ଦୃଷ୍ଟିରେ ରଖି ବୁଧବାର ରାଜଧାନୀ ଲକ୍ଷ୍ନୌରେ ସପା ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଭେଟି ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଶିବଶଙ୍କରଙ୍କ ସପା ଯୋଗଦାନ ଖବର ରାଜ୍ୟରେ ବିଦ୍ୟୁତ ବେଗରେ ବ୍ୟାପି ଯାଇଛି। ଯାହା ଆଗକୁ ଅନେକ ଦଳୀୟ ଅସନ୍ତୁଷ୍ଟଙ୍କ ଲାଗି ପଥ ପ୍ରଦର୍ଶକ ହୋଇପାରେ ବୋଲି ରାଜନୈତିକ ବିଶ୍ଲେଷକ ଆଶଙ୍କା ପ୍ରକାଶ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.