ପାର୍ଲାମେଣ୍ଟର ଐତିହାସିକ ପ୍ରାସଙ୍ଗିକତାକୁ ମଳିନ କରିପାରିବନି ନୂତନ ସଂସଦ ଭବନ: ସୁଭାଷ କାଶ୍ୟପ
10/12/2020 at 8:02 PM

ନୂଆଦିଲ୍ଲୀ ୧୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନୂଆ ସଂସଦ ଭବନ ନିର୍ମାଣ ଲାଗି ରାଜଧାନୀରେ ଶିଳାନ୍ୟାସ କରିଛନ୍ତି। ଏଣୁ ଆଉ କିଛିକାଳ ପରେ ନୂଆ ଭବନ ଲାଗି ପାର୍ଲାମେଣ୍ଟ ଭବନ କ୍ଷମତାର ଚମକଦମକରୁ ଦୂରେଇଯିବ। ତେବେ ଭାରତର ସର୍ବୋଚ୍ଚ ପଞ୍ଚାୟତ ଅର୍ଥାତ ଗୋଲାକାର ଆକୃତିର ପାର୍ଲାମେଣ୍ଟ ହାଉସ୍ର ଐତିହାସିକ ପ୍ରାସଙ୍ଗିକତାରେ କିନ୍ତୁ ମଳିନତା ଲାଗିବ ନାହିଁ। ଏହା ସେହି ଭବନ ଯେଉଁଠି ଆଜିର ଭାରତ ତାର ନିୟତୀ ସହ ସାକ୍ଷାତକରିଥିଲା ବୋଲି କହିଛନ୍ତି ଲୋକସଭାର ପୂର୍ବତନ ମହାସଚିବ ସୁଭାଷ କାଶ୍ୟପ।

ସେ କହିଛନ୍ତି ଯେ ଇଏ ସେଇ ଭବନ ଯେଉଁଠି କ୍ରାନ୍ତିକାରୀ ଭଗତ ସିଂହ ଓ ବଟୁକେଶ୍ୱର ଦତ୍ତ ବୋମା ପକାଇ ବ୍ରିଟିଶ ସରକରଙ୍କ ପର୍ଯ୍ୟନ୍ତ ଦେଶର ଅସନ୍ତୋଷ ପହଞ୍ଚାଇଥିଲେ। ଏହିଠାରେ ହିଁ ଦେଶର ସମ୍ବିଧାନକୁ ମିଳିଥିଲା କଳେବର ଯେଉଁଠାରେ ବ୍ରିଟିଶ ସରକାର ଭାରତୀୟଙ୍କ ହାତରେ ଦେଶର କ୍ଷମତା ଅର୍ପଣ କରିଥିଲେ। ଇଏ ସେହି ପରିସର ଯେଉଁଠାକୁ ପ୍ରବେଶମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଥାନତ କରି ପ୍ରଣାମ କରିଥିଲେ। ଏ ସବୁକୁ ଇତିହାସରୁ କେବେବି ବାଦ ଦିଆଯାଇ ପାରିବନାହିଁ ବୋଲି କହିଛନ୍ତି କାଶ୍ୟପ।

ତେବେ ବର୍ତ୍ତମାନ ଭବନର ଐତିହ୍ୟ ଓ ଗୌରବକୁ ଆମେ ସାଇତି ରଖିବା ଦରକାର। ଯେପରି ଏହାର ଆଖପାଖରେ ସୁ ଉଚ୍ଚ ଅଟ୍ଟାଳିକା ନିର୍ମାଣ କରି ଏହାକୁ ଘୋଡାଇ ଦିଆନଯାଏ। ଏଭଳି କୌଣସି ବି ଉଦ୍ୟମକୁ ଇତିହାସ ସହ ହିଂସା ବ୍ୟତୀତ ଅନ୍ୟ କିଛି କୁହାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି।

ଏହି ଭବନରେ ଭାରତୀୟ ସମ୍ବିଧାନ ସଭାର ପ୍ରଥମ ବୈଠକ ହୋଇଥିଲା। ଏହିଠାରେ ହିଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ୧୯୪୭ ମସିହା ଅଗଷ୍ଟ ୧୪-୧୫ ତାରିଖ ନିଶାର୍ଦ୍ଧରେ ଦେଶର ସ୍ୱାଧୀନତା ସମ୍ପର୍କରେ ତାଙ୍କର ଇଂରାଜୀ ଅଭିଭାଷଣ ‘ଥ୍ରାଇଷ୍ଟ ୱିଥ୍ ଡେଷ୍ଟିନୀ’ (ନିୟତି ସହ ସାକ୍ଷାତ)ରେ ସାରା ବିଶ୍ୱକୁ ସୂଚିତ କରିଥିଲେ। ଏଣୁ ଇତିହାସର ଏହିସବୁ ଘଟଣାବଳୀକୁ ଭାରତ କେବେବି ଭୁଲିପାରିବ ନାହିଁ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିବା ନୂଆ ସଂସଦ ଭବନ ୨୦୨୨ ସୁଦ୍ଧା ନିର୍ମିତ ହୋଇଯିବ। ଭବ୍ୟ ଭବନ ଆଧୁନିକ ବିଶ୍ୱର ଅତ୍ୟାଧୁନିକ ସଂସଦ ହେବ। ଏହା ସହ ଦେଶର ଭାଗ୍ୟ ନୂଆ ଭବନରୁ ନିୟନ୍ତ୍ରିତ ହେବ।