ଜାତୀୟ ରାଜପଥ ୫୫ର ସମ୍ପ୍ରସାରଣ ପାଇଁ ଚୌଦ୍ବାରରେ ଜବର ଦଖଲ ଉଚ୍ଛେଦ

Published By : Prameya-News7 Bureau | June 26, 2019 IST

ଚୌଦ୍ବାର ୨୬|୬: ଜାତୀୟ ରାଜପଥ ୫୫ର ସମ୍ପ୍ରସାରଣ ପାଇଁ ଚୌଦ୍ବାର ଥାନାର ମଙ୍ଗୁଳି ଠାରୁ ଧୂମାବତୀ ମନ୍ଦିର ଯାଏଁ ରାସ୍ତାର ଉଭୟ ପାର୍ଶ୍ଵରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ସହରର ସମସ୍ତ ମୁଖ୍ୟ ବଜାରଗୁଡିକରେ ୭ଶହରୁ ଉର୍ଦ୍ଧ୍ବ ଛୋଟ ବଡ଼ ବ୍ୟବସାୟୀ ରାଜପଥର ଦୁଇ କଡରେ ଦୀର୍ଘ ୪୦ବର୍ଷ ଧରି ବେପାର କରି ପରିବାର ପୋଷଣ କରିଆସୁଛନ୍ତି । ଏବେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରି ଶହ ଶହ ଦୋକାନ ଘର ତଥା ବାସଗୃହ ଗୁଡିକୁ ଭାଙ୍ଗି ମାଟିରେ ମିଶାଇ ଦେଉଛନ୍ତି ।

{"id":127343}

ଓଡ଼ିଶାର ପ୍ରଥମ ଶିଳ୍ପ ନଗରୀ ଚୌଦ୍ବାର ଶିଳ୍ପ ଶୂନ୍ୟ ହେବାପରେ ବହୁ ଯୁବକ ଛୋଟମୋଟ ବେପାର କରି ନିଜ ଗୁଜୁରାଣ ମେଣ୍ଟାଉ ଥିଲେ । ଉଚ୍ଛେଦ ଦୋକାନ ଗୁଡିକ ମଧ୍ୟରେ ପୌରପାଳିକାର ମଧ୍ୟ ୬୦ରୁ ଉର୍ଦ୍ଧ୍ବ ଗୃହ ରହିଛି । ଦୀର୍ଘ ଦିନ ଧରି ଉଚ୍ଛେଦ ପାଇଁ ନୋଟିସ ଦିଆଯାଇଥିଲେ ମଧ୍ୟ ପୌରପାଳିକା ତରଫରୁ ଏମାନଙ୍କ ଥଇଥାନ ପାଇଁ କୌଣସି ବ୍ୟବସ୍ଥା କରାଯାଇପାରିନାହିଁ । ଯାହାକି ସାଧାରଣରେ ତୀବ୍ର ଅସନ୍ତୋଷର କାରଣ ହୋଇଛି । ଶତାଧିକ ଆଶାୟୀ ଥିଲେ ମଧ୍ୟ ପୌରପାଳିକା ତରଫରୁ ମାତ୍ର ୧୬ଟି ଦୋକାନ ଗୃହ ନିର୍ମାଣ କରାଯାଇଛି । ତାହା ମଧ୍ୟ ଆବଣ୍ଟନ ହୋଇପାରିନି ।

{"id":127344}

ଜାତୀୟ ରାଜପଥ ପ୍ରାଧିକରଣର ରିଭନ୍ୟୁ ଅଫିସର ସମସ୍ତ ଉଚ୍ଛେଦ ହେଉଥିବା ଦୋକାନ ଗୁଡିକ ସରକାରୀ ଜମି ଉପରେ ହୋଇଥିବାରୁ ସେମାନଙ୍କୁ କୌଣସି ପ୍ରକାର କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଇପାରିବନି ବୋଲି କହିଛନ୍ତି । ସେହିପରି ପୌରାଧିକାରୀ ଉଚ୍ଛେଦ ପରେ ବଳୁଥିବା ଜମି ଉପରେ ଭେଣ୍ଡିଂ ଜୋନ୍ କରାଯାଇ ସେମାନଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି । ଚୌଦ୍ବାରରେ ଥିବା ଓଟିଏମ୍, ବଲ୍ଲାରପୁର, ଟାଇଲ ପ୍ୟାକ୍ଟ୍ରି ବନ୍ଦ ପଡିଛି  । ଏବେ ଶହ ଶହ ଦୋକାନ ଭଙ୍ଗା ପରେ ଏଠି ବେରୋଜୋଗାରି ସମସ୍ୟା ଉତ୍କଟ ହେବା ସହ ବିଷମ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.