Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମେଘନାଦ ପାଚେରୀ ପାଖରେ ଥିବା ଲଙ୍ଗୁଳି ମଠ ସହ ୧୭ଟି ଦୋକାନ ଭାଙ୍ଗିଲା ପ୍ରଶାସନ, ଉଚ୍ଛେଦ ଉପରେ ସ୍ଥଗିତାଦେଶ ପାଇଁ ଦାଖଲ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ…

27/08/2019 at 5:48 PM

ପୁରୀ ୨୭|୮: ଶାନ୍ତି ଶୃଙ୍ଖଳାର ସହ ପୁରୀରେ ଶ୍ରୀମନ୍ଦିର ଚାରିପାଖରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି ।  ଆଜି ମେଘନାଦ ପାଚେରୀ ପାଖରୁ ୩୦ମିଟର ଦୂରତାରେ ଥିବା ଲଙ୍ଗୁଳି ମଠ ସହ ଏହାର ୧୭ଟି ଦୋକାନ ଘରକୁ ଭାଙ୍ଗିଛି ପ୍ରଶାସନ । ସେପଟେ ସୁପ୍ରିମ କୋର୍ଟରେ ଖାରଜ ହୋଇଛି ଉଚ୍ଛେଦ କାମ ବନ୍ଦ କରିବା ପାଇଁ କରାଯାଇଥିବା ୨ଟି ମାମଲା । ଉଚ୍ଛେଦ କାମ ଜାରି ରହିବ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ ।…

ମିଶନ ୭୫ ମିଟର । ଜାରି ରହିଛି ଶ୍ରୀମନ୍ଦିର ଚାରିପାଖରୁ ୭୫ମିଟର ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ । ଆଜି ମେଘନାଦ ପାଚେରୀ ପାଖରୁ ୩୦ ମିଟର ଦୂରତାରେ ଥିବା ଲଙ୍ଗୁଳି ମଠ ସହ ଏହାର ୧୭ଟି ଦୋକାନ ଘରକୁ ଭାଙ୍ଗିଛି ପ୍ରଶାସନ । ଗତକାଲି ଦୋକାନଗୁଡ଼ିକୁ ଖାଲି କରିବାକୁ କୁହାଯାଇଥିବା ବେଳେ ଆଜି ସକାଳୁ ଲଙ୍ଗୁଳି ମଠର କିଛି ଜିନିଷପତ୍ରକୁ ଖାଲି କରିବାରେ ସହାୟତା କରିଥିଲା ପ୍ରଶାସନ ।

ମଠର ଉପରମହଲାରୁ ବୁଲଡୋଜର ମାଧ୍ୟମରେ ଆସବାବପତ୍ର ବାହାର କରାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ଉଚ୍ଛେଦ କାର୍ଯ୍ୟ । ଉଚ୍ଛେଦ ସ୍ଥାନରେ ଉପସ୍ଥିତ ଥିଲେ ଏକାଧିକ ମାଜିଷ୍ଟେ୍ରଟ୍‌, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଏସପି, ଡିଏସପି । ଏଥି ସହ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ୧୦ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିଲେ ।

ଶ୍ରୀକ୍ଷେତ୍ର ହେବ ବିଶ୍ବ ଐତିହ୍ୟ ନଗରୀ । ଶ୍ରୀମନ୍ଦିର ସୁରକ୍ଷା ଏବଂ ଏହାର ସୌନ୍ଦର୍ଯ୍ୟକରଣ ପାଇଁ  ମେଘନାଦ ପାଚେରୀ ଚାରି ପାଖରୁ ୭୫ମିଟର ପର୍ଯ୍ୟନ୍ତ ସ୍ଥାନ ଖାଲି କରାଯିବ । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପୁରୀବାସିନ୍ଦା ।

ସେପଟେ ସୁପ୍ରିମ କୋର୍ଟରେ ଖାରଜ ହୋଇଛି ଉଚ୍ଛେଦ କାମ ବନ୍ଦ କରିବା ପାଇଁ କରାଯାଇଥିବା ୨ଟି ମାମଲା । ଦିଲ୍ଲୀ ଏବଂ ଚେନ୍ନାଇର ୨ଟି ସଂସ୍ଥା ଏନେଇ ଆବେଦନ କରିଥିଲେ । ତେବେ ଆଇନ୍‌ ଅନୁସାରେ ଉଚ୍ଛେଦ କାମ ଚାଲିଛି ଏବଂ ଉଚ୍ଛେଦ ହେଉଥିବା ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ ବୋଲି ଆଡଭୋକେଟ୍‌ ଜେନେରାଲ ଯୁକ୍ତି ଦର୍ଶାଇବା ପରେ ଉଚ୍ଛେଦ କାମ ଜାରି ରହିବ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ ।

ଆଜି ଲଙ୍ଗୁଳି ମଠ ଭଙ୍ଗାଯିବା ପରେ ଆସନ୍ତା କାଲି ଏମାର ମଠକୁ ଉଚ୍ଛେଦ କରାଯିବ । ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ଚାରିପାଖରୁ ୭୫ମିଟର ପର୍ଯ୍ୟନ୍ତ ସ୍ଥାନକୁ ଖାଲି କରାଯିବ । ଶ୍ରୀମନ୍ଦିରକୁ ବିଶ୍ବସ୍ତରୀୟ କରିବା ଓ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ନିର୍ମାଣର ଉଚ୍ଛେଦର ନିହାତି ଆବଶ୍ୟକତା ଥିଲା ।

   Related Posts