ମନ୍ତ୍ରୀଙ୍କ ଜ୍ଞାନବାଣୀ- ଲୋକଙ୍କ ରୋଜଗାର ବଢିଛି, ଏବେ ମହଙ୍ଗା ମାଡକୁ ବି ସ୍ଵୀକାର କରିବାକୁ ପଡିବ

Published By : Prameya-News7 Bureau | October 31, 2021 IST

ଭୋପାଳ ୩୧।୧୦: ମହଙ୍ଗା ଉପରେ ମହଙ୍ଗା ମାଡ। କଲବଲ ଜନତା। ପେଟ୍ରୋଲ ଦର ହୁ ହୁ ହୋଇ ବଢୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଦାମ ଆକାଶ ଛୁଆଁ ରହିଛି। ହେଲେ ମନ୍ତ୍ରୀଙ୍କ ଅଜବ ଯୁକ୍ତି। ଆୟ ତ ବଢାଇଲୁ ଏଥର ମହଙ୍ଗାଇ ମଧ୍ୟ ସ୍ଵୀକାର କର। ଆଉ ଏମିତି ବିତଣ୍ଡା ବୟାନ ଦେଇଛନ୍ତି ଶିବରାଜ ସିଂହ ସରକାରଙ୍କ ମନ୍ତ୍ରୀ ମହେନ୍ଦ୍ର ସିଂହ ସିସୋଦିଆ। ତାଙ୍କ ଯୁକ୍ତି ପେଟ୍ରୋଲ-ଡିଜେଲ ଦର ଆହୁରି ବଢିଲେ ଚଳିବ।

ରବିବାର ଇନ୍ଦୋରରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନେ ମହେନ୍ଦ୍ରଙ୍କୁ ମହଙ୍ଗାଇ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ ” ଏ  ସମ୍ପର୍କରେ ମୁଁ ଆପଣଙ୍କୁ ବାସ୍ତବରେ କହିବାକୁ ଚାହୁଁଛି। କ’ଣ ସାଧାରଣ ଲୋକଙ୍କର ରୋଜଗାର ବଢ଼ି ନାହିଁ ? ଯଦି ରୋଜଗାର ବୃଦ୍ଧିକୁ ଆପଣ ଗ୍ରହଣ କଲେ ତେବେ ଅଳ୍ପ ବହୁତ ମହଙ୍ଗା ବଜାରକୁ ମଧ୍ୟ ଆପଣଙ୍କୁ ସହିବାକୁ ପଡ଼ିବ। ସବୁ ଜିନିଷ ତ ସରକାର ମାଗଣାରେ ଦେଇପାରିବେ ନାହିଁ। ସରକାରଙ୍କୁ ଏଇଥିରୁ ହିଁ ରାଜସ୍ୱ ମିଳୁଛି। ଏଥିରେ ସମସ୍ତ ବିକାଶ କାର୍ଯ୍ୟ ମଧ୍ୟ ଚାଲୁଛି। ଲୋକମାନେ ଏହା ବୁଝିବା ଦରକାର ଯେ ଆମଦାନୀ ବଢ଼ିଛି ତେଣୁ ମହଙ୍ଗାମାଡ଼କୁ ବି ସହିବାକୁ ପଡ଼ିବ।”

ମହେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ” ଆପଣ ଏହା କହିପାରିବେ ନାହିଁ କି ୧୦ ବର୍ଷ ପୂର୍ବରୁ ମୋତେ ୬ ହଜାର ଦରମା ମିଳୁଥିଲା। ଆଜି ୫୦ ହଜାର ମିଳୁଛି। ତେବେ ଆପଣ କୁହନ୍ତୁ, କ’ଣ ପେଟ୍ରୋଲ ଓ ଡିଜେଲ୍ ସେତିକି ରହୁ ଯାହା ୧୦ ବର୍ଷ ତଳେ ଥିଲା। ଏହା ସମ୍ଭବ ନୁହେଁ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.