କରୋନା ଯୋଗୁ ଏଭେରେଷ୍ଟ ବନ୍ଦ, ଚୀନ ପରେ ଅନୁମତି ପ୍ରତ୍ୟାହାର କଲେ ନେପାଳ ସରକାର
13/03/2020 at 4:13 PM

କାଠମାଣ୍ଡୁ ୧୩।୩: କରୋନା ସଂକ୍ରମଣ ଏବେ ଏଭେରେଷ୍ଟ ଅଭିଯାତ୍ରୀଙ୍କୁ ନିରାଶ କରିଛି। ଚୀନ ପଟରୁ ଏଭେରେଷ୍ଟ ଆରୋହଣ ଲାଗି ଅନୁମତି ଦିଆଯାଉନଥିବା ବେଳେ ଶୁକ୍ରବାର ନେପାଳ ସରକାର ମଧ୍ୟ ଦେଇଥିବା ଅନୁମତି ନିଲମ୍ବିତ କରିଛନ୍ତି। କେବଳ ଏଭେରେଷ୍ଟ ନୁହେଁ ଦେଶର କୌଣସି ପାର୍ବତ୍ୟ ଅଭିଯାନ ଲାଗି ପର୍ବତାରୋହଣକାରୀଙ୍କୁ ଅନୁମତି ଦିଆଯିବନି ବୋଲି କହିଛନ୍ତି ସରକାର। ସେପଟେ ଦେଶକୁ ବିଦେଶୀ ପର୍ଯ୍ୟଟଙ୍କ ଆଗମନ ଉପରେ ମଧ୍ୟ କଟକଣା ଲଗାଇଛନ୍ତି।

ନେପାଳ ପର୍ଯ୍ୟଟନ ଲାଗି ଭିସା ଆବେଦନ କରିଥିବା ପର୍ଯ୍ୟଟକଙ୍କ ଭିସା ଶୁକ୍ରବାର ନିଲମ୍ବିତ କରାଯାଇଥିବା ସଂସ୍କୃତି ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ୟୋଗେଶ ଭଟ୍ଟରାଇ କହିଛନ୍ତି। ବସନ୍ତ ଋତୁରେ ଦେଶରେ ସ୍ଥିରିକୃତ ସମସ୍ତ କାର୍ଯ୍ୟକ୍ରମ ସରକାର ବାତିଲ କରିଥିବାର ମଧ୍ୟ ସେ ସୂଚନା ଦେଇଛନ୍ତି। ଏଣୁ ଏହି ସମୟରେ ବିଭିନ୍ନ ଦୁଃଶାହାସିକ କ୍ରିଡା ଆୟୋଜନ ମଧ୍ୟ ବନ୍ଦ ରହିବ।

ଆଗାମୀ ମାସମାନଙ୍କରେ ଉପୁଜିଥିବା ପରିସ୍ଥିତିର ସମୀକ୍ଷା ପରେ ସରକାର ପରବର୍ତ୍ତି ନିଷ୍ପତ୍ତି ନେବେ ବୋଲି ଭଟ୍ଟରାଇ କହିଛନ୍ତି। ନେପାଳର ରାଜସ୍ୱ ଆୟ ଦୁଃଶାହାସିକ କ୍ରିଡା ଓ ପର୍ଯ୍ୟଟନ ସ୍ରୋତରୁ ହୋଇଥାଏ। ତେବେ କରୋନା ସଂକ୍ରମଣ ଚଳିତବର୍ଷ ଦେଶର ମେରୁଦଣ୍ଡରେ ପ୍ରହାର କରିଛି।