ସନ୍ଧ୍ୟାରେ ଦିଲ୍ଲୀ ପହଁଚିବ ସିଡିଏସ ବିପିନ ରାଓ୍ୱତଙ୍କ ପାର୍ଥିବ ଶରୀର, ଶୁକ୍ରବାର ଅନ୍ତିମ ସଂସ୍କାର

Published By : Prameya-News7 Bureau | December 09, 2021 IST

ନୂଆଦିଲ୍ଳୀ ୦୯/୧୨: ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିବ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ପାର୍ଥିବ ଶରୀର। ଶୁକ୍ରବାର ହେବ ଅନ୍ତିମ ସଂସ୍କାର। ବୁଧବାର ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ୍‌ ବିପିନ ରାୱତ୍‌ (୬୩)ଙ୍କ ଜୀବନ ଯାଇଛି । ଏହି ଭୟାବହ ଦୁର୍ଘଟଣାରେ ରାୱତ୍‌ଙ୍କ ପତ୍ନୀ ମଧୁଲିକାଙ୍କ ସମେତ ମୋଟ ୧୩ ଜଣ ପ୍ରାଣ ହରାଇଛନ୍ତି । ସ୍ଥଳସେନା, ବାୟୁସେନା ଏବଂ ନୌସେନା ମଧ୍ୟରେ ଯୋଗସୂତ୍ର ରକ୍ଷା ଭଳି ଗୁରୁ ଦାୟିତ୍ୱ ତୁଲାଉଥିବା ଜେନେରାଲଙ୍କ ରାୱତ୍‌ଙ୍କର ଏହି ଅକାଳ ବିୟୋଗରେ ସେନା ଏବଂ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି । ଦେଶବିଦେଶର ସେନା ମୁଖ୍ୟ ଓ ରାଜନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

କୁନ୍ନୁରର ଜଙ୍ଗଲରେ ବୁଧବାର ପ୍ରାୟ ୧୨.୨୦ ମିନିଟ୍‌ରେ ଏମ୍‌ଆଇ-୧୭ଭି-୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେଥିରେ ସିଡିଏସ୍‌ ରାୱତ୍‌, ତାଙ୍କ ପତ୍ନୀ ମଧୁଲିକା ଓ ସେନାର ୧୨ ଜଣ ଅଧିକାରୀ ଥିଲେ । ଘନ ଜଙ୍ଗଲରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗିଯାଇଥିଲା । ଏହାଯୋଗୁ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂହ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ହୋଇଥିବା ମୃତଦେହଗୁଡ଼ିକର ୯୫% ପୋଡ଼ିଯାଇଥିବାରୁ ଡିଏନ୍‌ଏ ପରୀକ୍ଷା ମାଧ୍ୟମରେ ହିଁ ସେମାନଙ୍କୁ ଚିହ୍ନଟ କରାଯିବ । ୧୦ ତାରିଖ (ଶୁକ୍ରବାର)ରେ ଜେନେରାଲ ରାୱତ୍‌ ଓ ପତ୍ନୀଙ୍କ ଶେଷକୃତ୍ୟ ଦିଲ୍ଲୀରେ ସମ୍ପନ୍ନ ହେବ । ଗୁରୁବାର ସନ୍ଧ୍ୟା ସୁଦ୍ଧା ସେମାନଙ୍କ ମରଶରୀର ସେନା ବିମାନ ଯୋଗେ ରାଜଧାନୀରେ ପହଞ୍ଚିବ ।

ସେପଟେ ରାୱତ୍‌ଙ୍କ ଦେହାନ୍ତ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ବରିଷ୍ଠ ନେତା ଶୋକପ୍ରକାଶ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସେନା ମୁଖ୍ୟ ଜେନେରାଲ ନରୱଣେ ପ୍ରମୁଖ ରାୱତ୍‌ଙ୍କ ପରିଜନଙ୍କୁ ସାକ୍ଷାତ କରିଛନ୍ତି । ସେହି ଦମ୍ପତିଙ୍କର ଦୁଇ ଜଣ ଝିଅ ଥିବାବେଳେ ସେମାନେ ଏକସଙ୍ଗରେ ବାପା, ମା’ଙ୍କୁ ହରାଇଛନ୍ତି ।

ସିଡିଏସ୍‌ ଓ ସେନାର ଅଧିକାରୀଙ୍କୁ ନେଇ ହେଲିକପ୍ଟରଟି ତାମିଲନାଡୁ ନିକଟବର୍ତ୍ତୀ ସୁଲୁର ଏୟାରବେସ୍‌ରୁ ଉଟ୍ଟିର ୱେଲିଂଟନ୍‌ ଅଭିମୁଖେ ଯାଉଥିଲା । ୱେଲିଂଟନ୍‌ରେ ସଶସ୍ତ୍ର ବାହିନୀର କଲେଜ ଥିବାବେଳେ ସେଠାରେ ଏକ କାର୍ଯ୍ୟକ୍ରମରେ ରାୱତ୍‌ ଅଭିଭାଷଣ ରଖିବାର ଥିଲା । ସେହି କାର୍ଯ୍ୟକ୍ରମ ପରେ ସେ ନୂଆଦିଲ୍ଲୀ ଅଭିମୁଖେ ବାହାରିଥାନ୍ତେ । ତେବେ ଦୁର୍ଭାଗ୍ୟବଶତଃ ଅବତରଣ ସ୍ଥଳଠାରୁ ମାତ୍ର ୧୬ କିମି ଦୂରରେ ପ୍ରାୟ ୧୨.୨୦ରେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ପ୍ରଥମେ ଜାଣିବା ପରେ ତୁରନ୍ତ ଉଦ୍ଧାର ଅଭିଯାନରେ ଲାଗି ପଡ଼ିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.